ସିଟି ବସ ଧକ୍କାରେ ଗାଇ ମୃତ, ଆଇଟିଆଇ ଛାତ୍ର ଆହାତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ ): ୫୯ ନଂ ଜାତୀୟ ରାଜପଥ ହିଂଜିଳି ଥାନା ପୋଚିଲିମା ଛକ ନିକଟରେ ସୋମବାର ସନ୍ଧ୍ୟାରେ ସିଟିବସ (ଓଡ଼ିି୦୭ଏଲ ୬୪୦୫) ଧକ୍କାରେ ଏକ ଗାଇର ମୃତ୍ୟୁ ଘଟିଥିବା ବେଳେ ଜଣେ ବାଇକ ଚାଳକ ଆହତ ହୋଇଛନ୍ତି । ଆହତ ଜଣକ ହିଂଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ତଥା ପୋଚିଲିମା ଆଇଟିଆଇର ଛାତ୍ର ଉତମ ଗୌଡ଼ (୧୮) ବୋଲି ଜଣାପଡ଼ିଛି । ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ହିଂଜିଳିକାଟୁ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ସିଟିବସ ପୋଚିଲିମା ଛକ ନିକଟରେ ଏକ ଗାଇକୁ ଧକ୍କା ଦେବା ସହ ଆଇଟିଆଇରୁ କ୍ଳାସ ଶେଷ କରି ବାଇକ (ଓଡ଼ି୦୭ଡ଼ବ୍ଳ୍ୟୁ ୪୫୧୯) ଯୋଗେ ଘରକୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଗାଇଟିର ମୃତ୍ୟୁ ଘଟିଥିବା ବେଳେ ଛାତ୍ର ଜଣକ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଖବର ପାଇ ଆଇଟିଆଇର କିଛି ଛାତ୍ର ଘଟଣା ସ୍ଥଳରେ ପଂହଚି ୫୯ ନଂ ଜାତୀୟ ରାରଜଥ ହିଂଜିଳିକାଟୁ- ବ୍ରହ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ପ୍ରାୟ ଅଧ ଘଂଟା ଧରି ଯାନବାହାନ ବନ୍ଦ ରହିଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପଂହଚି ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ସଂପୃକ୍ତ ସିଟିବସକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।


