ସିଟି ହସପିଟାଲ ଦାବିରେ ଆନ୍ଦୋଳନକୁ ୩୩ ଦିନ ଛୁଇଁଲା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରୁ ଉଠିଯାଇଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଳକୁ ସିଟି ହସ୍ପିଟାଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆନ୍ଦୋଳନକୁ ସୋମବାର ୩୩ ଦିନ ପୂରିଲା । କେନ୍ଦ୍ରାପଡା ଜିଲ୍ଲା ଗଠନ ପରେ ଏତେ ବଡ ଓ ଦୀର୍ଘମିଆଦି ଆନ୍ଦୋଳନ କେବେ ହୋଇନଥିଲା । ଏପଟରେ ଆନ୍ଦୋଳନକାରୀମାନଙ୍କ ଜିଦ୍ ସିଟି ହସ୍ପିଟାଲ ଘୋଷଣା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ । ସେପଟରେ ପୂର୍ବ ଘୋଷଣା ଅନୁ୍ଯାୟୀ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ବିଧାନସଭାରେ କରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମନ୍ତବ୍ୟ ଆନ୍ଦୋଳନକାରୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ରାଜ୍ୟ ସରକାର ୨୩ ବର୍ଷ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ଯେଉଁ ଯୋଜନା ଘୋଷଣା କରିଛନ୍ତି ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ତେଣୁ ମନ୍ତ୍ରୀଙ୍କ ଉତ୍ତର ପାଣିର ଗାର ବୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତ୍ତରରେ କୌଣସି ପ୍ରକୃତ ପ୍ରସ୍ତାବ ଥିବା ଭଳି ମନେ ହେଉନାହିଁ । ତେଣୁ ରାଜ୍ୟ ସରକାରଙ୍କ ଲିଖିତ ପ୍ରତିଶୃତି ସହିତ ପ୍ରକୃତ ସିଟି ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି । ଜିଲ୍ଲା ଜନସମ୍ପର୍କ ମଞ୍ଚର ସମ୍ପାଦକ ନରୋତ୍ତମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା କୃଷକ ସଭାର ଜିଲ୍ଲା ସମ୍ପାଦକ ବିଜୟ ଦାସ, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସମ୍ପାଦକ ହେମନ୍ତ କୁମାର ଜେନା, ମହାକାଳପଡା ବିକାଶ ପରିଷଦର ସଭାପତି କାଶୀନାଥ ରାଉତରାୟ, ସିପିଆଇ ନେତା ସିତାକାନ୍ତ ମହାପାତ୍ର, କଂଗ୍ରେସ ନେତା ସେକ ଚାନ୍ଦ, ଯୁବ ନେତା ଅବ୍ଦୁଲ ମାଜିଦ୍, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ହୃଷିକେଶ ମହାରଣା, ଆଇ.ଏନ.ଟି.ୟୁ.ସି.ର ଜିଲ୍ଲା ସଭାପତି ମୁକ୍ତାର ଖାଁ, ପୂର୍ବତନ କାଉନ୍ସିଲର ହିବଜୁର ରହେମାନ, ସୌମେନ୍ଦ୍ର ପୃଷ୍ଟି, ବିଜେଡି ନେତା ଅକମଲ ଅଲ୍ଲି, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ ପ୍ରମୁଖ ବକ୍ତବ୍ୟ ରଖିବା ସହିତ ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ଏ ଆନ୍ଦୋଳନ ଚାଲୁରହିବ ବୋଲି ଘୋଷଣା କରିଥିଲେ ।