ସିଟ୍ବେଲ୍ଟ ବାନ୍ଧି ନ ଥିବାରୁ ମୋପେଡ୍ ଚାଳକଙ୍କୁ ଜରିମାନା
ଭୁବନେଶ୍ବର : ଅତୀତରେ ଟ୍ରାଫିକ୍ ନିୟମକୁ ନେଇ ଅଜବ ଚାଲାଣ କରାଯାଉଥିବା ସମ୍ପର୍କରେ ବହୁ ଖବର ପ୍ରସାରିତ ହୋଇଛି। ସାଧାରଣତଃ ଚାରିଚକିଆ ଯାନ ଚଳାଉଥିବା ଚାଳକ ସିଟ୍ ବେଲ୍ଟ ବାନ୍ଧି ନ ଥିଲେ, ଟ୍ରାଫିକ ନିୟମ ଅନୁସାରେ ଚାଲାଣ କଟାଯାଇଥାଏ। ମାତ୍ର ଏଠାରେ ମୋପେଡ୍ ଚଳାଉଥିବା ଜଣେ ଚାଷୀଙ୍କ ନାମରେ ସିଟ୍ବେଲ୍ଟ ନ ପିନ୍ଧିବା ନେଇ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍। ବିନା ସିଟ୍ବେଲ୍ଟରେ ଗାଡ଼ି ଚଳାଉଥିବା ଦର୍ଶାଇ ବାଇକ୍ ଆରୋହୀଙ୍କୁ ୧୦୦୦ ଟଙ୍କାର ଜରିମାନା କରାଯାଇଛି।
ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ମୋପେଡ୍ ଚାଳକ ପୂରଣ ପୂଜାରୀ ହେଉଛନ୍ତି ନବରଙ୍ଗପୁର ଜିଲ୍ଳାର ପାପଡାହାଣ୍ଡି ବ୍ଲକ୍ର କଣ୍ଟାସାରୁ ଗ୍ରାମର ବାସିନ୍ଦା। ମାତ୍ର ସେ କଳାହାଣ୍ଡିରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଛନ୍ତି ବୋଲି ତାଙ୍କ ନାମରେ ଚାଲାଣ କଟିଛି। ପୂଜାରୀ ଡିସେମ୍ବର ୨ ତାରିଖରେ କଳାହାଣ୍ଡି ପୁଲିସ୍ ନିକଟରୁ ଏକ ମେସେଜ୍ ପାଇଲେ। ତାଙ୍କ ନାମରେ ଯେଉଁ ତାରିଖରେ ଚାଲାଣ ଜାରି କରାଯାଇଛି ସେ ସେହିଦିନ କୁଆଡ଼େ ନଯାଇ ନିଜ ଚାଷ ଜମିରେ କାମ କରୁଥିଲେ ବୋଲି କହିଛନ୍ତି। ସେ କହିଛନ୍ତି କି ନା ସେ ନିଜେ ପୂର୍ବରୁ କେବେ କଳାହାଣ୍ଡି ଯାଇଛନ୍ତି ନା ତାଙ୍କ ଗାଡ଼ି ନେଇ ଆଉ କିଏ ଯାଇଛି। ପୂଜାରୀଙ୍କ ବାପା କହିଛନ୍ତି, ‘ମୁଁ ଜଣେ ଚାଷୀ। ଯେଉଁ ତାରିଖରେ ମୋ ନାମରେ ଚାଲାଣ କଟିଛି ସେହି ଦିନ ମୁଁ ମୋ ଜମିରେ ଚାଷ କାମ କରୁଥିଲି। ଯଦି ମୁଁ ବାସ୍ତବରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥାନ୍ତି ତେବେ ନିଶ୍ଚୟ ଜରିମାନା ଦେଇଥାନ୍ତି। ମୋ ପୁଅ ମଧ୍ୟ କିଛି ଭୁଲ୍ ନ କରି ତା’ ନାମରେ ଜରିମାନା ପଡ଼ିଛି। ଆମର କୌଣସି ପ୍ରକାର ଜରିମାନା ଦେବାର ନାହିଁ। ପୁଲିସ୍ ଯାହା କରୁଛି କରୁ, କାରଣ ୧୦୦୦ ଟଙ୍କାଟା ମୋ ପାଇଁ ଏକ ଛୋଟ ପରିମାଣ ନୁହେଁ। ୧୦ରୁ ୧୫ ଦିନ କାମ କଲେ ଆମେ ଏତିକି ଟଙ୍କା ରୋଜଗାର କରିଥାଉ।’


