ସିଡ୍ନିରେ ୧୩ରୁ ଅଭ୍ୟାସ କରିବ ଭାରତୀୟ ଦଳ
ନୂଆଦିଲ୍ଲୀ: ସାଂପ୍ରତିକ କରୋନା ମହାମାରୀ ଯୋଗୁଁ ସଂଗରୋଧ ଅବଧି କୋହଳ ହୋଇପାରିବନି ଏବଂ ସେଥିପାଇଁ ଅଷ୍ଟ୍ରେଲିଆରେ ଭାରତୀୟ ଦଳ କିପରି ପ୍ରଶିକ୍ଷଣ ଆରମ୍ଭ କରିବ ସେନେଇ ଏକାଧିକ ଆଲୋଚନା ପରେ ଶେଷରେ କିଛିଟା ଆଶ୍ବସ୍ତିକର ଖବର ମିଳିଛି। ବିରାଟ କୋହଲିଙ୍କ ଦଳ ଅଷ୍ଟ୍ରେଲିଆ ପହଞ୍ଚିବା ପରେ ଗୋଟିଏ ରାଉଣ୍ଡ କରୋନା ପରୀକ୍ଷାର ସମ୍ମୁଖୀନ ହେବ। ଏହାପରେ ଦଳକୁ ପଡ଼ିଆରେ ଅଭ୍ୟାସ କରିବାର ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ମିଳିଥିବା ସୂତ୍ରରୁ ଯାହା ଜଣାପଡ଼ିଛି ଭାରତୀୟ ଦଳ ନଭେମ୍ବର ୧୨ ତାରିଖ ସକାଳେ ଅଷ୍ଟ୍ରେଲିଆ ପହଞ୍ଚିବ। ଦଳ ପ୍ରଥମେ ସିଡ୍ନିରେ ପାଦ ଥାପିବ। ପହଞ୍ଚିବା ମାତ୍ରେ ସେମାନେ କରୋନା ପରୀକ୍ଷା ଦେବେ। ଆଉ ଯେଉଁମାନଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବ ସେମାନେ ହିଁ ପ୍ରସ୍ତୁତି ଆରମ୍ଭ କରିପାରିବେ। ଏହି ଦୃଷ୍ଟିରୁ ଭାରତୀୟ ଦଳ ନଭେମ୍ବର ୧୩ରୁ ସିଡ୍ନିରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିପାରିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ବିଶେଷକରି ୟୁଏଇରେ ୬୦ ଦିନ ଧରି ଜୈବ ବଳୟ ମଧ୍ୟରେ ରହି ଆଇପିଏଲ୍ ଖେଳୁଥିବାରୁ ଅଷ୍ଟ୍ରେଲିଆ ପହଞ୍ଚିବା ପରେ ସଂଗରୋଧ ସମୟରେ ଭାରତୀୟ ଦଳ ନିଜ ଭିତରେ ମ୍ୟାଚ୍ ଖେଳିବାର ଆଶା ମଧ୍ୟ ରହିଛି। ନିଜ ନିଜ ମଧ୍ୟରେ ପ୍ରସ୍ତୁତି ମ୍ୟାଚ୍ ଖେଳି ସେମାନେ ଅଷ୍ଟ୍ରେଲିଆର ୱିକେଟ୍ ଓ ପରିବେଶ ସହ ଖାପଖୁଆଇପାରିବେ ବୋଲି କୁହାଯାଇଛି । ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ତିନିଟି ଲେଖାଏଁ ଦିନିକିଆ ଓ ଟି-୨୦ ବ୍ୟତୀତ ୪ ଟେଷ୍ଟ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଟେଷ୍ଟ୍ ଶୃଙ୍ଖଳା ମଧ୍ୟ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ର ଅଂଶବିଶେଷ ରହିବ। ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଏବେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ତାଲିକାରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟରେ ରହିଛନ୍ତି। ଶେଷ ଥର ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିବା ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ୍ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଥିଲା।


