ସିଦ୍ଧିଦାତ୍ରୀ ମାଁ ସିଦ୍ଧେଶ୍ୱରୀଙ୍କ ଶ୍ରୀଶ୍ରୀଶ୍ରୀ ସିଦ୍ଧେଶ୍ୱରୀ ମନ୍ଦିରରେ ନିଆରା ଚଣ୍ଡୀପାଠ ଓ ଶକ୍ତି ପୂଜା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ ବ୍ଲକର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା ‘ ସିଦ୍ଧେଶ୍ୱରୀଙ୍କ ମନ୍ଦିର. ଏହି ଜିଲ୍ଲାର ନୂଆଗଡ ଠାରେ ସିଦ୍ଧିଦାତ୍ରୀଙ୍କ ମନ୍ଦିର ଅବସ୍ଥିତ. ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଆଜି ଏଠାରେ ମହାଅଷ୍ଟମୀ ତିଥିରେ ଚଣ୍ଡୀପାଠ, ଶକ୍ତିପୂଜା ଆଦିରେ ମନ୍ଦିରଟି ଝଲସି ଉଠିବା ସହ ଭକ୍ତଙ୍କ ଭିଡ଼ ବେଶ ଜମିଛି. କିମ୍ବଦନ୍ତୀ ଓ ଇତିହାସରୁ ବହୁ ଉର୍ଦ୍ଧରେ ମାଁ ଙ୍କ ମାହାତ୍ମ୍ୟ। ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳ କୁହାଯାଉଥିବା ନୂଆଗଡ଼ ବ୍ଲକର ସଦର ମହକୁମାରେ ବିରାଜମାନ ଶ୍ରୀଶ୍ରୀଶ୍ରୀ ମାଁ ସିଦ୍ଧେଶ୍ୱରୀ । ନୂଆଗଡ଼ ଗ୍ରାମକୁ ଲାଗିରହିଥିବା ଶାଳ ବଣରେ ଭରପୁର ଏକ ସୂ- ଉଚ୍ଚ ପର୍ବତ ଉପରେ ନିମ୍ବ ଗଛ ମୂଳେ ବିଦ୍ୟମାନ ଏହି ମାଁ ସିଦ୍ଧେଶ୍ୱରୀଙ୍କ ମନ୍ଦିର। ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଓ ଚତୁର୍ପାଶ୍ୱରେ ଘେରିରହିଥିବା ମେଘଷୁମ୍ବି ଶାଳ ଗଛ ଏହା ଭକ୍ତଙ୍କୁ ମନମୁଗ୍ଧ କରିଥାଏ। ଏଠାକାର ଶାନ୍ତ ପରିବେଶରେ ମାଁ ଙ୍କୁ ଦରଶନ କଲେ ଜୀବନରେ କେତେ ଦୁଃଖ, କଷ୍ଟ ଥିଲେ ମଧ୍ୟ ଶାନ୍ତି ମିଳିଥାଏ। ହଁ ମନ୍ଦିର ନୂତନ ଭାବେ ନିର୍ମିତ ହୋଇଥିଲେ ମଧ୍ୟ ଏହାର କିମ୍ବଦନ୍ତୀ ଅତି ପୁରାତନ। ତତକାଳିନ ରାଜା ମହାରାଜା ଙ୍କର ଶାସନ କାଳର ପତ୍ରଙ୍କର ଗଡ଼ ଦେବୀ ଭାବରେ ପୂଜିତ ହେଉଥିଲେ। କାଳକ୍ରମେ ଭକ୍ତଙ୍କ ମନସ୍କାମନା ସିଦ୍ଧ ହେଉଥିବାରୁ ମାଁ ଙ୍କୁ ସିଦ୍ଧେଶ୍ୱରୀ ବୋଲି ନାମିତ କରାଯାଇଛି। ମାଁ ସିଦ୍ଧେଶ୍ୱରୀ ସେ ହେଉଛନ୍ତି ଅସୀମ, ଜଗତଜନନୀ, ଦୁଃଖ ହାସିନି, ଭକ୍ତଙ୍କ ମନସ୍କାମନା ପୂରଣ କାରି ବୋଲି ବିଶ୍ୱାସ ରହିଛି। ଏହା ଅତି ପୁରାତନ ମନ୍ଦିର। ଏହା ଗ୍ରାମର ଶକ୍ତି ପୀଠ ବୋଲି ଧରାଯାଏ।ଗ୍ରାମର ବୃଦ୍ଧା ବୃଦ୍ଧି ଏବଂ ଜ୍ଞାନୀ ଗୁଣିଙ୍କ କହିବା ଅନୁଜାଇ କିମ୍ବଦନ୍ତୀ ବା ଇତିହାସରୁ ଜଣାଯାଏ ଏହା ଅତି ପୁରାତନ ଶକ୍ତି ପୀଠ। ଏହି ଶକ୍ତି ପୀଠରେ ମାଁ ପ୍ରଥମେ ବନବାସୀ ମାନଙ୍କ ଦ୍ଵାରା ପୂଜା ପାଉଥିଲେ। ନୂଆଗଡ଼ ଗ୍ରାମର ନିକଟସ୍ଥ ଲୁହାଙ୍ଗର ଗ୍ରାମର ଭୂୟାଁ ବଂଶର ଶବର ମାନେ ଥିଲେ ମାଁ ଙ୍କ ପ୍ରଥମ ପୂଜକ। ପାତ୍ରଙ୍କୁ ସ୍ୱପ୍ନାଦେଶ ଦେବାପରେ ଏହି ପାହାଡ଼ର ଶିଖରରେ ଏକ ନିମ୍ବ ଗଛ ମୂଳରେ ଚାଳ କୁଡିଆ ରେ ମାଁ ପୂଜା ପାଉଥିଲେ। କହିବା ଅନୁଯାୟୀ ଅଞ୍ଚଳର ସଉରା ଆଦିବାସୀ ମାନେ ଥିଲେ ପ୍ରକୃତିର ଉପାସକ। ଅଞ୍ଚଳର ସଉରା ଆଦିବାସୀ ମାନଙ୍କର ଇଷ୍ଟ ଦେବୀ ଥିଲେ ମାଁ ସିଦ୍ଧେଶ୍ୱରୀ। ଅବଶ୍ୟ ସଉରା ଆଦିବାସୀ ମାନଙ୍କ ଦ୍ଵାରା ପୂଜା ପାଉଥିଲେ ମାଁ କିନ୍ତୁ ଏହି ପୀଠର ଅଧିକାରୀ ସ୍ଥାନୀୟ ମୁଠା ହେଡ୍ ପାତ୍ର ରହିଥିଲେ। ପୂର୍ବରୁ ନୂଆଖାଇ ଓ ଚଇତି ପର୍ବ ଏଠାକାର ନିଆରା ଥିଲା। ଆଦିମ କାଳରୁ ମୁଠା ଲୋକେ ବିଭିନ୍ନ ପ୍ରକାରର ନୂଆ ଫସଲ ମାଁ ଙ୍କ ମନ୍ଦିରରେ ପ୍ରସାଦ ରୂପେ ଅର୍ପଣ କରୁଥିଲେ। ମୁଠା ହେଡ ପାତ୍ରଙ୍କ ଆଦେଶ କ୍ରମେ ଏକ ଦିନ ଧାର୍ଯ୍ୟ କରି ଗାଁ ର ସମସ୍ତ ଲୋକ ଏକତ୍ର ହୋଇ ନୂଆଖାଇ ପର୍ବ ପାଳନ କରୁଥିଲେ। ଭକ୍ତ ମାନେ ଉକ୍ତ ଦିନ ଗଜା ମୁଆଁ ସହ କୁଡେଇ ଫୁଲ ଓ ଟାଙ୍ଗିଣି ଫୁଲ ମାଳରେ ସୁସଜ୍ଜିତ ଛେଳି ବୁଦା ନେଇ ପାରମ୍ପରିକ ବାଦ୍ୟ , ଭେରି ତୂରୀ ସହ ସମସ୍ତ ଭକ୍ତ ମନ୍ଦିରକୁ ଯାଇ ନୂତନ ଉତ୍ପାଦିତ ଫସଲ ମାଁ ଙ୍କୁ ଅର୍ପଣ କରିବା ସହ ଛେଳି ବୁଦା ବଳି ଦେଉଥିଲେ। କୁହାଯାଏ ଭକ୍ତଙ୍କ ମନସ୍କାମନା ପୂରଣ ବା ସିଦ୍ଧ ହେଉଥିବା କାରଣରୁ ମାଁ ଙ୍କୁ ସିଦ୍ଧେଶ୍ୱରି ନାମରେ ଡାକୁଥିଲେ। ଠିକ ତଦୃପ ଜମି ଏବଂ ପାହାଡ଼ ଜମି, ବଗଡ଼ରେ ବିହନ ବୁଣିବା ପୂର୍ବରୁ ମାଁ ଙ୍କ ଆଶିଷ ନିମନ୍ତେ ଚଇତି ପର୍ବରେ ମନ୍ଦିରରେ ପୂଜାର୍ଚ୍ଚନା କରି ଜମିକୁ ଯାଇ ବିହନ ବୁଣୁଥିଲେ।କାଳକ୍ରମେ ପୂର୍ବ ପରମ୍ପରା ଧୀରେ ଧୀରେ ପରିବର୍ତ୍ତନ ହୋଇ ଅବଶ୍ୟ ସେହି ଛେଳି ବୁଦା ବଳି ପ୍ରଥାକୁ ବନ୍ଦ କରାଯାଇଛି। କିନ୍ତୁ ଆଜି ବି ସୁସଜ୍ଜିତ ଗଜା ମୂଆଁ ସହ ପାରମ୍ପରିକ ରୀତି ଅନୁଯାୟୀ ନୂଆଖାଇ ଓ ଚଇତି ପର୍ବ ପାଳନ କରାଯାଏ। ଏହା ବ୍ୟତୀତ ଗ୍ରାମର ଓଡ଼ିଆ ସାହିରେ ଦୁଇ ବର୍ଷରେ ଥରେ ଘଟ ଯାତ୍ରା ଅନୁଷଠିତ ହୋଇଥାଏ। ଉକ୍ତ ଯାତ୍ରା ୫ଦିନ କିମ୍ବା ୭ଦିନ ଧରି ପାଳନ କରାଯାଏ। ଯାତ୍ରାର ପ୍ରଥମ ଦିନ ମଧ୍ୟ ରାତ୍ରରେ ମନ୍ଦିରରେ ମାଁ ଙ୍କୁ ଆମନ୍ତ୍ରଣ କରି ଗାଁ ର ସାହି ମଝିରେ ଏକ ଅସ୍ଥାୟୀ ମଣ୍ଡପରେ ବିଜେ କରିଥାନ୍ତି। ଘଟ ଯାତ୍ରା ସରିବା ପର୍ଯ୍ୟନ୍ତ ଅସ୍ଥାୟୀ ମଣ୍ଡପରେ ପୂଜା ପାଆନ୍ତି ମାଁ। ଯାତ୍ରା ସମୟରେ ବିଭିନ୍ନ ଅଞ୍ଚଳର ଭକ୍ତଙ୍କ ଭିଡ଼ ଜମିଥାଏ।ଏହି ଯାତ୍ରା ସମୟରେ ଏଠାକାର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଜସଜ୍ଜା ନୂଆଗଡ଼ ଅଞ୍ଚଳ ଛଡ଼ା ସମଗ୍ର ଜିଲ୍ଲାରେ ବେଶ୍ ଚହଳ ସୃଷ୍ଟି କରିଥାଏ। ଏଠାରେ ଦଶହରା ପର୍ବର ୯ଦିନ ପୂର୍ବରୁ ନବରାତ୍ରି ଯଜ୍ଞ ୯ଦିନ ଧରି ପ୍ରତିବର୍ଷ ପାଳନ କରାଯାଏ। ଏବଂ ପ୍ରତି ସଂକ୍ରାନ୍ତିରେ ମାଁ ଙ୍କ ମନ୍ଦିରରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇ ଆସୁଅଛି। ମାଁ ଙ୍କୁ ପ୍ରତିଦିନ ପୂଜକ ଅର୍ଣ୍ଣ ଭୋଗ କରିଥାନ୍ତି। ପ୍ରତି ମଙ୍ଗଳ ବାର ଦିନ ମାଜଣା, ଯଜ୍ଞ କରାଯିବା ସହ ସ୍ୱତନ୍ତ୍ର ଅର୍ନ ଭୋଗ କରାଯାଇଥାଏ। ମନ୍ଦିରକୁ ଭକ୍ତ ମାନଙ୍କ ଯାତାୟାତ ନିମନ୍ତେ ୨୧୪ଟି ପାହାଚ ରହିଥିବା ବେଳେ ଯାନ ବାହାନରେ ଯିବା ନିମନ୍ତେ ମଧ୍ୟ ରାସ୍ତାର ବ୍ୟବସ୍ଥା ରହିଛି। ମନ୍ଦିରର ପୂଜକ ଭାବେ ଗ୍ରାମର ଶ୍ରୀ ସୁବାସ ପୂଜାରୀ ରହିଥିବା ବେଳେ ମନ୍ଦିରର ପରିଚାଳନା ଦୃଷ୍ଟିରୁ ଗୋଟିଏ କମିଟି ଗଠନ କରାଯାଇଛି। ମାଁ ସିଦ୍ଧେଶ୍ୱରୀ ମନ୍ଦିର ପରିଚାଳନା କମିଟି ନାମକ ସରକାରଙ୍କ ଦେବୋତ୍ତର ବିଭାଗରେ ପଞ୍ଜିକରଣ କରାଯାଇଅଛି। ଯେଉଁଥିରେ ସ୍ଥାନୀୟ ବିଡିଓ ଅଧ୍ୟକ୍ଷତା କରନ୍ତି ଓ ସ୍ଥାନୀୟ ବ୍ୟବସାୟୀ ଏବଂ କିଛି ଗ୍ରାମବାସୀ କମିଟି ରୁହନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ