ସିଦ୍ଧୁଙ୍କ ଟିପ୍ପଣୀ ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପ୍ରଶ୍ନ ୩ଠଠ ମୋବାଇଲ୍ କ’ଣ ଗଛ ବ୍ୟବହାର କରୁଥିଲେ?
ନୂଆଦିଲ୍ଲୀ(ଏଜେନ୍ସି): ଦିନକ ପୂର୍ବେ ପଞ୍ଜାବ କଂଗ୍ରେସ ସରକାରରେ ମନ୍ତ୍ରୀ ଥିବା ନବଜୋତ୍ ସିଂହ ସିଦ୍ଧୁ ଦେଇଥିବା ମନ୍ତବ୍ୟ ‘ଆତଙ୍କବାଦୀଙ୍କୁ ମାରିବାକୁ ସେଠାକୁ ଯାଇଥିଲ ନାଁ ଗଛ ଉପାଡିବାକୁ?’ ଉପରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ପ୍ରଶ୍ନ କରିଛନ୍ତି ଯେ, ଘଟଣାସ୍ଥଳରୁ ମିଳିଥିବା ୩ଠଠ ମୋବାଇଲ୍ କ’ଣ ସେଠାରେ ଥିବା ଗଛ ବ୍ୟବହାର କରୁଥିଲେ? ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍କୁ ନେଇ ବିରୋଧୀ ଦଳ ପକ୍ଷରୁ ରାଜନୈତିକ ବୟାନବାଜି ଜାରି ରହିଥିବା ବେଳେ ଶାସକ ଦଳ ପକ୍ଷରୁ ମଧ୍ୟ ଏହାର କଡା ଜବାବ ଦିଆଯିବା ପ୍ରକ୍ରିୟା ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆଜି ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିଛନ୍ତି । ରାଜନାଥ କହିଛନ୍ତି, ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଉପରେ ପ୍ରଶ୍ନ କରୁଥିବା ବିରୋଧୀ ଦଳ ନେତା ଘଟଣାସ୍ଥଳକୁ ଯାଇ ମୃତଦେହଗୁଡିକୁ ନିଜେ ଗଣନ୍ତୁ । ବାଲାକୋଟ୍ ଏୟାରଷ୍ଟ୍ରାଇକ୍କୁ ନେଇ ଚାଲିଥିବା ରାଜନୈତିକ ପରିବେଶ ମଧ୍ୟରେ ରାଜନାଥ ଆଜି ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତାକାଲି ବାଲାକୋଟ୍ରେ ପ୍ରାଣ ହରାଇଥିବା ଆତଙ୍କୀଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟଚିତ୍ର ମିଳିପାରିବ । ସେ ସୂଚନା ଦେଇ କହିଛନ୍ତି, ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପୂର୍ବରୁ ଜୈଶ କ୍ୟାମ୍ପରେ ୩ଶହ ମୋବାଇଲ୍ ଫୋନ୍ ସକ୍ରିୟ ଥିଲା ବୋଲି ଗୁଇନ୍ଦା ସଂସ୍ଥା ସୂଚନା ଦେଇଥିଲା । ଏବେ ଷ୍ଟ୍ରାଇକ୍ ହେବା ପରେ ସେସମ୍ପର୍କରେ କୌଣସି ସୂଚନା ନାହିଁ । ପାକିସ୍ତାନ ପକ୍ଷରୁ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍ରେ କ୍ଷୟକ୍ଷତି ହୋଇଥିବା ସମ୍ପର୍କରେ ସ୍ପଷ୍ଟ କରାଯାଇସାରିଥିବା ବେଳେ ନିଜ ଦେଶର କିଛି ଖଳଚରିତ୍ରର ଲୋକେ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି । ପ୍ରମାଣ ଆସିଲେ ସମସ୍ତେ ଜାଣିପାରିବେ, ସେପର୍ଯ୍ୟନ୍ତ ସମସ୍ତେ ଚୁପ୍ ହୋଇ ରହିବା ଆବଶ୍ୟକ ବୋଲି ରାଜନାଥ କହିଛନ୍ତି ।