ସିଦ୍ଧ ପୋଖରୀ ପୋତି ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ସହରର ଏକ ଐତିହ୍ୟ ସମ୍ପନ୍ନ ପୋଖରୀକୁ ପୁନର୍ବାର ପୋତି ତା ଉପରେ ନିଜର ବ୍ୟବସାୟୀକ ଜମିକୁ ରାସ୍ତା ନିର୍ମାଣ କରିବାକୁ ଜନୈକ ଜମି ମାଫିଆ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ନିଜେ କିଣିଥିବା ଜମିକୁ ପ୍ଲଟିଂ କରି ବିକ୍ରୟ କରି ବେଶ କିଛି ଅର୍ଥ ଲାଭ କରିବା ଉଦେଶ୍ୟରେ ସେହି ପୋଖରୀକୁ ପୋତି ରାସ୍ତା ନିର୍ମାଣ କରିବାକୁ ସଂପୃକ୍ତ ଜମିମାଫିଆ ଜଣକ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଭଗବାନପୁର ମୈାଜାରେ ଥିବା ସେହି ପୋଖରୀରୁ ସିଦ୍ଧ ରାମଦାସ ବାବା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ପାଦପଦ୍ମକୁ ଦର୍ଶନ କରିବା ସହିତ ଉଦ୍ଧାର କରିଥିଲେ ବୋଲି କଥିତ ଅଛି । ସେହି ପୋଖରୀ କୂଳରେ ପାଦପଦ୍ମ ମନ୍ଦିରଟି ଆଜିବି ବିରାଜମାନ କରୁଛି । ତେଣୁ ସେହି ପୋଖରୀଟି ସିଦ୍ଧ ପୋଖରୀ ବା ପାଦ ପୋଖରୀ ଭାବେ ପରିଚିତ । ସରକାର ଐତିହ୍ୟ କିର୍ତ୍ତିରାଜୀର ପୁନରୁଦ୍ଧାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସମୟରେ ସେଠାରେ ଥିବା ପୁରାତନ ଐତିହ୍ୟର ସୁରକ୍ଷା ବିପନ୍ନ ହୋଇପଡିଥିବାର ଦେଖିବାକୁ ମିଳିଛି । ଅତୀତରେ ସଂପୃକ୍ତ ଜମି ମାଫିଆ ଜଣକ ସେହି ପୋଖରୀକୁ ପୋତି ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ପାଇ ତତକାଳୀନ ଜିଲ୍ଲାପାଳ ରଘୁଜୀଙ୍କ ନିର୍ଦେଶରେ କେନ୍ଦ୍ରାପଡା ତହସିଲଦାର ଡୋଜର ଲଗାଇ ସେହି ରାସ୍ତାକୁ ଖୋଳି ଦେଇଥିଲେ । ଏବେ ପୁନର୍ବାର ସେହି ଜମି ମାଫିଆ ଜଣକ ସେହି ପୋଖରୀକୁ ପୋତି ରାସ୍ତା ତିଆରି କରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।