ସିଧାସଳଖ ରାଜନୀତିକୁ ଓହ୍ଲାଇଲେ ପାଣ୍ଡିଆନ
ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):କିଛି ଦିନ ହେଲା ରାଜନୈତିକ ଓ ପ୍ରଶାସନିକ ମହଲରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟିଛି। ବିଜୁ ଜନତା ଦଳରେ ସାମିଲ ହୋଇ ସିଧାସଳଖ ରାଜନୀତିକୁ ଓହ୍ଲାଇଛନ୍ତି ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ। ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ଯୋଗଦାନ ନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ଏହି ସମୟରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଗତ ମାସ ଶ୍ରୀ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହାପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଥିଲା। ଏହାପରେ ସେ ବିଜେଡିରେ ଯେକୌଣସି ସମୟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗତକାଲି ଦଳର ବରିଷ୍ଠ ନେତାମାନଙ୍କୁ ଫୋନ୍ କରାଯାଇ ସୋମବାର ପୂର୍ବାହ୍ନରେ ନବୀନ ନିବାସରେ ପହଞ୍ଚିବା ପାଇଁ କୁହାଯାଇଥିଲା। ଏହା ପରଠାରୁ ତାଙ୍କର ବିଜେଡି ଯୋଗଦାନ ନେଇ ସାମାଜିକ ଗଣମାଧ୍ୟମରେ ସରଗରମ ଚର୍ଚ୍ଚା ଚାଲିଥିଲା। କାର୍ତ୍ତିକ ପୂର୍ଣ୍ଣିମା ଶୁଭଦିନ ହୋଇଥିବାରୁ ସେହିଦିନ ସେ ରାଜନୀତିକୁ ଓହ୍ଲାଇବେ ବୋଲି ସ୍ପଷ୍ଟ ଆଭାସ ମିଳିଥିଲା। ହେଲେ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନଥିଲା।ଆଜି ଭୋର୍ରୁ ଶ୍ରୀ ପାଣ୍ଡିଆନ୍ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲା ପରେ ନବୀନ ନିବାସରେ ପହଞ୍ଚିଥିଲେ। ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ବ୍ୟାଚ୍ ପିନ୍ଧାଇଥିଲେ। ଏହା ପରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ସେଠାରୁ ସେ ସିଧାସଳଖ ଶଙ୍ଖ ଭବନ ଯାଇ ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଦଳର ଯୁବ ଓ ଛାତ୍ର ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ। ପରେ ଶ୍ରୀ ପାଣ୍ଡିଆନ୍ ଗଞ୍ଜାମ ଯାଇ ମା’ ତାରାତାରିଣୀଙ୍କ ଦର୍ଶନ କରିଥିଲେ। ତାଙ୍କୁ ଦଳରେ କେଉଁ ଦାୟିତ୍ବ ଦିଆଯିବ, ତାହାକୁ ନେଇ କଳ୍ପନାଜଳ୍ପନା ଚାଲିଛି।ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଲୋକଙ୍କ ପାଇଁ ଶ୍ରୀ ପାଣ୍ଡିଆନ ବିଗତ କିଛି ବର୍ଷ ହେଲା କଠିନ ପରିଶ୍ରମ କରୁଛନ୍ତି। ସେ ଲୋକଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି। ଏବେ ଦଳର ଜଣେ ସଦସ୍ୟ ଭାବେ ସେ ରାଜ୍ୟବାସୀଙ୍କ ପାଇଁ କାମ ଜାରି ରଖିବେ। ଶ୍ରୀ ପାଣ୍ଡିଆନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ବରିଷ୍ଠ ନେତାମାନଙ୍କ ସହଯୋଗରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଓ ନିଃସ୍ବାର୍ଥପର ଭାବେ କାମ କରିବେ। ୨୦୦୦ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଶ୍ରୀ ପାଣ୍ଡିଆନ ୨୦୦୨ ମସିହାରେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ପ୍ରଥମ ନିଯୁକ୍ତି ପାଇଥିଲେ। ପରେ ସେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ନିଜ ପ୍ରଶାସନିକ ଦକ୍ଷତାର ପରିଚୟ ଦେଇଥିଲେ। ବିଶେଷ କରି ଗଞ୍ଜାମରେ ତାଙ୍କର କାର୍ଯ୍ୟଶୈଳୀକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା। ଏଡ୍ସ୍ ଆକ୍ରାନ୍ତଙ୍କ ପାଇଁ କାର୍ଯ୍ୟ, ନରେଗାର ସଫଳ କାର୍ଯ୍ୟକାରିତାରେ ଗଞ୍ଜାମ ଏକ ରୋଲ୍ ମଡେଲ୍ ପାଲଟିଥିଲା। ୨୦୧୧ରେ ସେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୨୦୧୯ରେ ତାଙ୍କୁ ୫-ଟି ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା।ଏହା ପରେ ବିଭିନ୍ନ ସରକାରୀ ସ୍କୁଲ୍ର ୫-ଟି ରୂପାନ୍ତରଣ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସରକାରୀ ସ୍କୁଲ୍ଗୁଡ଼ିକର ନବକଳେବର ଶ୍ରୀ ପାଣ୍ଡିଆନଙ୍କୁ ଅଧିକ ଚର୍ଚ୍ଚିତ କରିଥିଲା। ଏବେ ରାଜ୍ୟର ପ୍ରମୁଖ ହସ୍ପିଟାଲ୍ଗୁଡ଼ିକୁ ୫-ଟି ଅଭିଯାନରେ ରୂପାନ୍ତରଣ କରାଯାଇଛି। ବହୁଚର୍ଚ୍ଚିତ ପୁରୀ ଐତିହ୍ୟ ପରିକ୍ରମା ପ୍ରକଳ୍ପ ସିଧାସଳଖ ଶ୍ରୀ ପାଣ୍ଡିଆନଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକାରୀ କରାଯାଉଛି। ଏହାସହ ଏସ୍ସିବି ମେଡିକାଲ କଲେଜର ରୂପାନ୍ତରଣ କାର୍ଯ୍ୟକୁ ସେ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସେ ବିଭିନ୍ନ ଜିଲ୍ଲା ବୁଲି ଲୋକଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ସେହି ଅଭିଯୋଗ ଓ ପ୍ରସ୍ତାବକୁ ଭିତ୍ତି କରି ସବୁ ଜିଲ୍ଲାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିମନ୍ତେ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରୁଛନ୍ତି। ୫-ଟି ସଚିବ ଥିବା ସମୟରେ ଆରମ୍ଭ ହୋଇଥିବା ଏହିସବୁ କାର୍ଯ୍ୟ ଏବେ ସେ ୫-ଟି ଅଧ୍ୟକ୍ଷ ଭାବେ କାର୍ଯ୍ୟକାରୀ କରୁଛନ୍ତି।