ସିନେମା ଛକରୁ ବାରବାଟୀ ଛକ ପର୍ଯ୍ୟନ୍ତ ହେବ ‘ନୋ-ୱାୟର ଜୋନ’
ବାଲେଶ୍ୱର, (ସରୋଜ ପଣ୍ଡା):ସଦର ନିର୍ବାଚନମଣ୍ଡଳୀରେ ବିଦ୍ୟୁତ ବିତରଣ ସେବା ସହିତ ଭିତ୍ତିଭୂମୀର ଉନ୍ନତି ପାଇଁ ଟାଟା ପାୱାର ଉତ୍ତର ଓଡିଶା ବିତରଣ ସଂସ୍ଥା (ଟିପିଏନଓଡିଏଲ) ସହିତ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ବିଧାୟକ ମାନସ କୁମାର ଦତ୍ତ । ନୂତନ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ ଅଥବା ରାଜ୍ୟର ବଜେଟ ପ୍ରସ୍ତୁତି ପୂର୍ବରୁ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲେଶ୍ୱର ପୌରାଂଚଳ ସମେତ ପଂଚାୟତଗୁଡିକରେ ଭିତ୍ତିଭୂମୀର ବିକାଶ ପାଇଁ ଆବଶ୍ୟକୀୟ ଯୋଜନା ପ୍ରସ୍ତୁତି ପାଇଁ ଏହି ଭଳି ଏକ ବୈଠକ ଆୟୋଜିତ ହୋଇଥିବା ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏଥିରେ ଟିପିଏନଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ୱିଜଦାସ ବାସକ, ଚିଫ ଅପରେସନ ନିଲେଶ ଫୋଟଫଡେ, ଅଧିକ୍ଷଣ ଯନ୍ତ୍ରୀ ଶିଦ୍ଧାର୍ଥ ଶଙ୍କର ରାୟ, ବାଲେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମରେଶ୍ୱର ଶତପଥୀ, ସେଂଟ୍ରାଲ ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବାଶିଷ ପୁହାଣ, ବାଲେଶ୍ୱର ସହରାଂଚଳରେ ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଏସଡିଓ ଗିରିଜା ଶଙ୍କର ନାୟକ ଓ ମନୋରଞ୍ଜନ ବେହେରା ଏବଂ ଗ୍ରାମାଂଚଳରେ ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଏସଡିଓ ବିଜୟ ମହାନ୍ତି ଓ ଚିତ୍ତରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ବ୍ୟବସ୍ଥିତ ବିଦ୍ୟୁତ ଭିତ୍ତିଭୂମୀ ଓ ସେବା ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତଙ୍କୁ ଅବଗତ କରିଥିଲେ । ଟାଟା ପାୱାର ବିଦ୍ୟୁତ ବିତରଣ ସେବା ଦାୟିତ୍ୱ ନେବା ଠାରୁ ଭିତ୍ତିଭୂମୀ ସେବା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିନଥିବା ବେଳେ ଏହାକୁ ଅଧିକ କ୍ରିୟାଶୀଳ କରିବା ଉପରେ ଶ୍ରୀ ଦତ୍ତ ଗୁରୁତ୍ୱ ଦେଇଥିଲେ । ବିଶେଷ କରି ବାଲେଶ୍ୱର ସହରରେ ନିରବିଚ୍ଛିନ ବିଦ୍ୟୁତ ସେବା ପ୍ରଦାନ ପାଇଁ ସେ ଟାଟା ପାୱାର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଗ୍ରୀଡରୁ ସହର ମଧ୍ୟରେ ଥିବା ସମସ୍ତ ୩୩କେଭି ଷ୍ଟ୍ରକ୍ଚରଗୁଡିକୁ ଭୂତଳ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରିବାକୁ ପରାମର୍ଶ ଦେବା ସହିତ ଏହା ନିରବିଚ୍ଛିନ୍ନ ବିଦ୍ୟୁତ ସେବାରେ ସହାୟକ ହେବ ବୋଲି ଶ୍ରୀ ଦତ୍ତ କହିଥିଲେ । ଏହା ସହିତ ବାଲେଶ୍ୱର ସହରର ବ୍ୟସ୍ତବହୁଳ ସିନେମା ଛକରୁ ବାରବାଟୀ ଛକ ପର୍ଯ୍ୟନ୍ତ ରାସ୍ତାରେ ଭୂତଳ ବିଦ୍ୟୁତ ସଂଯୋଗ ମାଧ୍ୟମରେ ‘ନୋ-ୱାୟର ଜୋନ’ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଝଡବାତ୍ୟା ବା ଅନ୍ୟାନ୍ୟ ପାକୃତିକ ବିପର୍ଯ୍ୟୟ ସମୟରେ ନିରବିଚ୍ଛିନ ବିଦ୍ୟୁତ ସେବା ପାଇଁ ଦୀର୍ଘ ମିଆଦି ଯୋଜନା ଭାବେ ସହରର ୧୧କେଭି ସବଷ୍ଟେସନଗୁଡିକୁ ମଧ୍ୟ ଭୂତଳ ବିଦ୍ୟୁତ ସଂଯୋଗରେ ସାମିଲ କରିବାକୁ ସେ କହିଥିଲେ । ବିଗତ ୧୦ବର୍ଷ ଧରି ଗ୍ରାମଂଚଳର ଜନସାଧାରଣଙ୍କୁ ଉନ୍ନତ ବିଦ୍ୟୁତ ଭିତ୍ତିଭୂମୀ ଓ ସେବାକୁ ନେଇ ଯେଉଁ ପ୍ରତାରଣା ଚାଲିଥିଲା । ସେଥିପାଇଁ ସିନ୍ଧିଆ ଓ କଷାଫଳ ପଂଚାୟତରେ ନୂଆ ୩୩କେଭି ବିଦ୍ୟୁତ ଷ୍ଟ୍ରକ୍ଚର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ସହିତ ଏଥି ନିମନ୍ତେ ସର୍ଭେ ଓ ପ୍ରସ୍ତୁତି ଆରମ୍ଭ କରିବାକୁ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ । ସେହିପରି ଲୋ-ଭୋଲଟେଜ ସମସ୍ୟା ଦୂର ପାଇଁ ସହରାଂଚଳ ଭଳି ଗ୍ରାମଂଚଳରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ପୁରୁଣା ଟ୍ରାନ୍ସଫର୍ମକୁ ନୂଆ ୨ଶହ ବା ୪ଶହ କେଭିଏ ଟ୍ରାନ୍ସଫର୍ମରରେ ପରିବର୍ତ୍ତନ ପାଇଁ ସେ କହିଥିଲେ । ଅନ୍ୟପକ୍ଷରେ ବିଦ୍ୟୁତ ଗ୍ରାହକଙ୍କ ପ୍ରତି ସମ୍ବେଦନଶୀଳ ହେବା ସହିତ ଗ୍ରାହକ ସେବାକୁ ଅଧିକ ଜନାଦୃତ କରିବାକୁ ଶ୍ରୀ ଦତ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ବିଦ୍ୟୁତ ମିଟରିଂ ଓ କେବଲ ଜନିତ ସମସ୍ୟା ଦୂରୀକରଣ ପାଇଁ ନୂତନ ନୀତି ପ୍ରଣୟନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନିମନ୍ତେ ଏହି ବେଠକରେ ସିଦ୍ଧାନ୍ତ ନିଆଯାଇଥିବା ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଏହି ବୈଠକରେ ଟିପିଏନଓଡିଏଲ ଅଧିନରେ ପରିଚାଳିତ ସମସ୍ତ ସର୍କଲର କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ ସହ ବିଧାୟକଙ୍କ ପରାମର୍ଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ସମ୍ମତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପୌରାଂଚଳ ଓ ପଂଚାୟତସ୍ତରୀୟ ପ୍ରତିନିଧି ଭାବେ ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ସୀତାକାନ୍ତ ସ୍ୱାଇଁ, ହରେନ୍ଦ୍ର ପ୍ରଧାନ, ଉପେନ୍ଦ୍ର ଶତପଥୀ, ରାଜେନ୍ଦ୍ର ଚାଟାର୍ଜୀ, ସୌଭଗ୍ୟ ମାନସ ନାୟକ, ଉମେଶ କୁମାର ବେହେରା, ରବି ନନ୍ଦୀ ପ୍ରମୁଖ ଯୋଗଦେଇ ସଦର ନିର୍ବାଚନମଣ୍ଡଳୀରେ ବିଭିନ୍ନ ଅଂଚଳରେ ବିଦ୍ୟୁତ ସେବାକୁ ନେଇ ଦେଖା ଦେଉଥିବା ସମସ୍ୟା ଉପସ୍ଥାପନ ସହ ତାହାର ନିରାକରଣ ଉପରେ ଆଲୋଚନା କରିଥିଲେ ।


