ସିନ୍ଦୁର ଖେଳରେ ସାମିଲ ହେଲେ ବିପାଶା
(ଯୁଗାବ୍ଦ ନ୍ୟୁଜ) : ସମଗ୍ର ଦେଶରେ ମଙ୍ଗଳବାର ପାଳିତ ହେଉଛି ବିଜୟା ଦଶମୀ । ଏହି ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ସହ ପାଳିତ ହୋଇଥାଏ ଏହି ଶାରଦୀୟ ଉତ୍ସବ । ସେହିକ୍ରମରେ ମୁଖ୍ୟତଃ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆୟୋଜିତ ହୁଏ ସିନ୍ଦୁର ଖେଳ । ଏଥିରେ ବିବାହିତ ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୁର ଲଗାଇବା ପରେ ସେହି ସିନ୍ଦୁରକୁ ଅନ୍ୟ ମହିଳାଙ୍କ ମଥାରେ ଲଗାଇ ସିନ୍ଦୁର ଖେଳି ଥାଆନ୍ତି । ଏହି ସିନ୍ଦୁର ଖେଳ ଖେଳିଲେ ଅଖଣ୍ଡ ସୌଭାଗ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।ଦଶହରା ଅବସରରେ ମା’ଦୁର୍ଗା ତାଙ୍କ ମାତାପିତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ସିନ୍ଦୁର ଖେଳ ମାଧ୍ୟମରେ ବିଦାୟ ଦିଆଯାଇଥିଲା। ତେଣୁ ଦଶହରା ଅବସରରେ ସବୁ ସଧବା ନାରୀ ମା’ଙ୍କ ମଥା ଓ ପାଦରେ ସିନ୍ଦୁର ଲଗାଇବା ପରେ ସୌଭାଗ୍ୟ ପ୍ରାପ୍ତି ପାଇଁ ସିନ୍ଦୁର ଖେଳିଥାଆନ୍ତି। ପଶ୍ଚିମବଙ୍ଗରେ ରହୁଥିବା ବଲିଉଡ ଅଭିନେତ୍ରୀ ବିପାଶା ବସୁ ବିଜୟାଦଶର୍ମୀ ଅବସରରେ ସିନ୍ଦୂର ଖେଳର ଭରପୂର ମଜା ନେଇଛନ୍ତି । ସିନ୍ଦୂର ଖେଳ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ବିପାଶାଙ୍କ ସହିତ ସ୍ୱାମୀ କରଣ ସିଂହ ଗ୍ରୋଭର ମଧ୍ୟ ନଜର ଆସିଛନ୍ତି । ସମ୍ପୂର୍ଣ୍ଣ ପାରମ୍ପରିକ ବେଶରେ ବିପାଶା ବେଶ୍ ସୁନ୍ଦର ମଧ୍ୟ ଲାଗୁଛନ୍ତି। ବିପାଶା ସବୁ ବର୍ଷ ଦୁର୍ଗା ପୂଜା ଧୁମଧାମରେ ପାଳନ କରନ୍ତି। ସିନ୍ଦୂର ଖେଳ ବଙ୍ଗାଳୀମାନଙ୍କ ବଡ଼ ପର୍ବ ।