ସିନ୍ଦୂର ପୋଛିବାର ଜବାବ ଅପରେସନ ସିନ୍ଦୂର
ଆକାଶ ଥିଲା ସ୍ବଚ୍ଛ ନିର୍ମଳ । ବିଶାଳ ନୀଳ ଅମ୍ବର ତଳେ ଧିର ପବନରେ ଦୋହଲି ଦୋହଲି ଖୁବ୍ ସୁନ୍ଦର ପାଇନ୍ ଜଙ୍ଗଲ ଗାଉଥିଲା ମାନବବାର ମନ୍ତ୍ର । ପ୍ରକୃତି ରାଣୀ ମାଟି ଉପରେ ବିଛେଇ ଦେଇଥିବା ସବୁଜ ଘାସର ଗାଲିଚା ଉପରେ ପ୍ରବାହିତ ହେଉଥିଲା ଖୁସିର ଏକ ଭିନ୍ନ ଋତୁ । ଅପୂର୍ବ ସୁନ୍ଦରୀ ପେହଲଗାମର ସୌନ୍ଦର୍ଯ୍ୟ ଓ ହସରେ ବିମୋହିତ ହେଉଥିଲେ ପର୍ଯ୍ୟଟକ । ଭାରତର ଭୂସ୍ବର୍ଗ କାଶ୍ମୀରର ପେହଲଗାମରେ ଏକ ଶୀତ ପ୍ରଧାନ ଦେଶ ସଦୃଶ ପରିବେଶରେ ହଠାତ୍ ଗୁଳିକାଣ୍ଡ ଘଟିବ ଓ ୨୬ ଜଣ ସଧବା ନାରୀଙ୍କ ସିନ୍ଦୂର ଲିଭିଯିବ , ସେକଥା ଥିଲା କଳ୍ପନାର ବାହାରେ । ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ଗୁଳିକରି ମାରିଦେଲେ ଆତଙ୍କବାଦୀ ଧର୍ମ ପଚାରି ପଚାରି । ଓହୋଃ, କି ବିଭତ୍ସ ଛାତିଥରା ଦୃଶ୍ୟ !!! ଅପ୍ରିଲ୍ ୨୨ , ୨୦୨୫ ରେ ଘଟିଲା ଏହି ନରସଂହାର । ଏହି ବର୍ବରତା ପରେ ସମଗ୍ର ଭାରତବର୍ଷରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆତଙ୍କବାଦୀଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ଉଠିଲା ସ୍ବର । ଲାଗୁଥିଲା ସତେ ଯେମିତି ଭାରତର ୧୪୦ କୋଟି ଭାରତୀୟ ନିଜ ଦେଶର ସୀମାରେଖା ଡେଇଁ ଆତଙ୍କବାଦର ଏନ୍ତୁଡ଼ିଶାଳ ଉପରେ ଜୋରଦାର ପ୍ରହାର କରିବାକୁ ପ୍ରସ୍ତୁତ । ସିଂହର ଗର୍ଜନ ଶୁଭିଥିଲା ଭାରତର ଦୃଢ଼ ନେତୃତ୍ବଙ୍କ ମୁହଁରୁ । ନିଦ ହଜି ଯାଇଥିଲା ନେତାଙ୍କ ଆଖିରୁ । ରକ୍ତଭୋଜି,ରକ୍ତପାତ ଓ ନରସଂହାର ପରେ ଲୋକଙ୍କ ମନରେ ଜଳୁଥିବା ନିଆଁ ଓ ଭାବାବେଗକୁ ଆଖିରେ ରଖି ଆତଙ୍କବାଦୀଙ୍କ ଅଭୟାରଣ୍ୟ ଉପରେ ପ୍ରହାର କରିବାକୁ ଭିତରେ ଭିତରେ ଯୋଜନା ପ୍ରସ୍ତୁତ କରିଥିଲେ ସରକାର । ଦୃଢ଼ କଣ୍ଠରେ କହିଥିଲେ ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଓ ରକ୍ଷାମନ୍ତ୍ରୀଙ୍କ ସହିତ ଭାରତର ସବୁ ଦଳର ତୁଙ୍ଗ ନେତୃମଣ୍ଡଳୀ ଯେ ସଧବାଙ୍କ ସିନ୍ଦୂର ପୋଛିବାର ଜବାବ ନିଶ୍ଚିତ ଦିଆଯିବ । ସରକାର ଡାକିଥିଲେ ସର୍ବଦଳୀୟ ବୈଠକ । ସବୁ ଦଳର ଗୋଟିଏ ମତ ଥିଲା ଯେ ଭାରତ ଏ ରକ୍ତପାତ ଓ ନରସଂହାରର ଉଚିତ୍ ଜବାବ୍ ଦେବା ଜରୁରୀ । ତା’ପରେ ଭାରତର ଶୀର୍ଷ ନେତୃମଣ୍ଡଳୀ, ଜଳସେନା , ସ୍ଥଳସେନା,ବାୟୁସେନା ଓ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଭିତରେ ବସୁଥିଲା ଘନଘନ ବୈଠକ । ଛବି ଧିରେ ଧିରେ ସ୍ପଷ୍ଟ ହେଉଥିଲା ଯେ ଆତଙ୍କବାଦର ଅଭୟାରଣ୍ୟ ଏଥର ନିଶ୍ଚିତ ପାନେ ପାଇବ । ତା’ପରେ ମେଁ ସାତ ତାରିଖ ମଧ୍ୟରାତ୍ରୀରେ ଆରମ୍ଭ ହେଲା ଅପରେସନ ସିନ୍ଦୂର । ୨୬ ଜଣ ସଧବାଙ୍କ ସିନ୍ଥିରୁ ସିନ୍ଦୂର ପୋଛିବାର ଜବାବ ଅପରେସନ ସିନ୍ଦୂର ।
ଗଭୀର ନିଦରେ ଶୋଇଥିଲା ପାକିସ୍ତାନ । ଭାବିଥିଲା ସବୁଥର ପରି ଏଥର ବି ଖସିଯିବ । ବୁଝିପାରି ନଥିଲା ନୂଆ ଭାରତର ସାମରିକ ଶକ୍ତି , ପରାକ୍ରମ ଓ ନେତୃତ୍ବକୁ । ମଧ୍ୟରାତ୍ରୀରେ ମାତ୍ର ପଚିଶ ମିନିଟରେ ଏକାସାଙ୍ଗରେ ଆତଙ୍କବାଦୀଙ୍କ ନଅଟି ଆଡ୍ଡାସ୍ଥଳୀ ଓ ତାଲିମ୍ ଶିବିରକୁ ମାଟିରେ ମିଶେଇଦେଲେ ଭାରତର ବାୟୁସେନା । ସଜାଗ ଜଳସେନା ଓ ସ୍ଥଳସେନା ବି ପ୍ରସ୍ତୁତ ହେଇ ରହିଥିଲେ ଶତ୍ରୁ ଦେଶକୁ ଉପଯୁକ୍ତ ଶିକ୍ଷା ଦେବାପାଇଁ । ଭାରତର ଗୋଟି ଚାଳନାରେ ପାକିସ୍ତାନର ସବୁ ଚକ୍ରାନ୍ତ ଫେଲ୍ ମାରିଥିଲା । ଅପରେସନ ସିନ୍ଦୂରର ନେତୃତ୍ବ ନେଉଥିବା ଭାରତର ଦୁଇ ନାରାୟଣୀ କର୍ଣ୍ଣେଲ ସୋଫିଆ କୁରେସି ଓ ଭୌମିକା ସିଂହ ପାକିସ୍ତାନର ନିଦ ହଜେଇ ଦେଇଥିଲେ । ଉଭୟେ ନାରୀ,ଜଣେ ହିନ୍ଦୁ ଓ ଜଣେ ମୁସଲମାନ । ବିଶ୍ବ ଦେଖିଲା ଭାରତର ଭାଇଚାରା ଓ କାନଡ଼େରି ଶୁଣିଲା ଭାରତବାସୀ ଗାଉଥିବା ଏକତାର ଗୁରୁମନ୍ତ୍ର । ଦେଶର ସୁରକ୍ଷା କଥା ଆସିଲେ ଧର୍ମ, ଜାତି , ଉଚ୍ଚ ନୀଚ୍ଚ , ଧନୀ ଗରିବର କିଛି ମାନେ ନଥାଏ । ଦେଶ ସୁରକ୍ଷିତ ରହିଲେ ତ ଦେଶବାସୀ ଶାନ୍ତିରେ ଶୋଇବେ । ଦେଶପ୍ରେମ ରାଷ୍ଟ୍ରବାଦ ଚିନ୍ତାଧାରା ପାଖରେ ସଂକିର୍ଣ୍ଣତାର ସ୍ଥାନ ନାହିଁ ।
ଅପରେସନ ସିନ୍ଦୂର ସାମରିକ କାର୍ଯ୍ୟାନୁଷ୍ଠାନରେ ଭାରତର ଲକ୍ଷ୍ୟ ଥିଲା ପାକିସ୍ତାନ ମାଟିରୁ ବଳପାଇ ଭାରତରେ ରକ୍ତପାତ ଘଟଉଥିବା ଆତଙ୍କବାଦୀ ମାନଙ୍କୁ ନିପାତ କରିବା । ଏଥିରେ ଯେମିତି କୋୖଣସି ସାଧାରଣ ଲୋକଙ୍କର ଜୀବନ ହାନି ନହୁଏ , ସେଥିପ୍ରତି ସଜାଗ ଥିଲା ଭାରତ । ସାମରିକ କାର୍ଯ୍ୟାନୁଷ୍ଠାନ ହେଲା ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଉପରେ । ଆତଙ୍କବାଦୀ ମାନଙ୍କୁ ଖୁଆଇ ପିଆଇ ଲାଳନପାଳନ କରୁଥିବା ପାକିସ୍ତାନ ଦେହରେ ନିଆଁ ଲାଗିଗଲା । ଭାରତ ଉପରେ ଆରମ୍ଭ କଲା ହାମଲା ଯାହାର ଦୃଢ଼ ଜବାବ ଦେଲେ ଭାରତୀୟ ସେନା । ଚାରିଦିନ ଧରି ଚାଲିଲା ଅଘୋଷିତ ଯୁଦ୍ଧ । ଭାରତର ଏସ୍ ୪୦୦ ଓ ଆକାଶ ମିଜାଇଲ୍ ଡିଫେନ୍ସ ସିଷ୍ଟମ ସୀମାରେ ଭାରତର ରକ୍ଷା କବଚ ସାଜି ପାକିସ୍ତାନର ସବୁ ଆକ୍ରମଣକୁ ପଣ୍ଡ କରୁଥିଲା ବେଳେ ଭାରତର ଦୁର୍ଦ୍ଦଶ ସେନା ପାକିସ୍ତାନର ନିଦ ହଜେଇ ଦେଇଥିଲେ । ଭୟରେ ଥରୁଥିଲା ପାକିସ୍ତାନ। ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ପଙ୍ଗୁ ହେବା ସହିତ ପାକିସ୍ତାନର କିଛି ବାୟୁସେନା ଘାଟି ନଷ୍ଟଭ୍ରଷ୍ଟ ହେଲା ଭାରତର ଶାଣିତ ଆକ୍ରମଣରେ । କରାଚି, ଲାହୋର, ସିଆଲକୋଟ,ରାୱଲପିଣ୍ଡି ସମେତ ପାକିସ୍ତାନର ରାଜଧାନୀ ଇସଲାମବାଦ ଥରି ଉଠିଲା ଭାରତର ଡ୍ରୋନ ଆକ୍ରମଣରେ । ବିଶ୍ବ ଦରବାରରେ ଆତଙ୍କବାଦୀଙ୍କ ଅଭୟାରଣ୍ୟ ଭାବରେ ନିନ୍ଦିତ ଭୟଭୀତ ପାକିସ୍ତାନ ବାଟ ପାଇଲାନି କେମିତି ରକ୍ଷା କରିବ ନିଜକୁ । ବାଧ୍ୟହୋଇ ପାକିସ୍ତାନର ଡିଜିଏମଓ ଫୋନରେ ପ୍ରାର୍ଥନା କଲେ ଭାରତର ଡିଜିଏମଓ ଙ୍କୁ ଅସ୍ତ୍ର ବିରତି ପାଇଁ ମେଁ ଦଶ ତାରିଖରେ । ବିଶ୍ବକୁ ଶାନ୍ତିର ବାର୍ତା ଦେଉଥିବା ଭାରତରେ ଉଚ୍ଚସ୍ତରୀୟ ଆଲୋଚନା ପରେ ଭାରତ ରାଜି ହେଇଥିଲା ଅସ୍ତ୍ର ବିରତି ପାଇଁ ।
ଭାରତବର୍ଷ ଏକ ଶାନ୍ତିପ୍ରିୟ ଦେଶ। କେଉଁ ଆଦିମ କାଳରୁ ଭାରତ ସମଗ୍ର ବିଶ୍ବରେ ଶାନ୍ତି, ଭାଇଚାରା ଓ ମାନବବାଦର ବାର୍ତ୍ତା ପ୍ରଚାର କରିଆସୁଅଛି । ଯୁଗେ ଯୁଗେ ଏ ପବିତ୍ର ମାଟିରେ ବିଭିନ୍ନ ଅବତାରରେ ପ୍ରଭୁ ଜନ୍ମ ନେଇଛନ୍ତି ଦୁଷ୍ଟ ଦମନ ନିମନ୍ତେ । ପ୍ରଭୁ ଶ୍ରୀରାମ ଓ ପ୍ରଭୁ ଶ୍ରୀକୃଷ୍ଣ ସତ୍ୟ , ନ୍ୟାୟ,ଶାନ୍ତି, ପ୍ରେମ, ଭଲପାଇବା, ଅସଲ ଧର୍ମର ବାର୍ତ୍ତା ପ୍ରଚାର କରିଛନ୍ତି । କିନ୍ତୁ ଶାନ୍ତି, ନ୍ୟାୟ, ଶ୍ରଦ୍ଧା, ଧର୍ମର ଅର୍ଥ ବୁଝୁ ନଥିବା ଅହଂକାରୀ ରାବଣ ଓ ଦୂରାଚାରୀ କଂସକୁ ବି ନିପାତ କରିଛନ୍ତି। ଏଥିରୁ ସ୍ପଷ୍ଟ ଭାବରେ ବୁଝିହୁଏ, ଯିଏ ଧର୍ମ , ମାନବିକତା ଓ ଶାନ୍ତିର ଭାଷା ବୁଝୁନି, ଶାସ୍ତ୍ରର ଭାଷା ବୁଝୁନି , ତାହେଲେ ସେଇଠି ଶସ୍ତ୍ରର ଭାଷା କହିବା ଅତ୍ୟନ୍ତ ଜରୁରୀ । ବାରମ୍ବାର ଭାରତ ଯୁଦ୍ଧର ଶିକାର ହେଇଛି। ଲୁଣ୍ଠିତ ହେଇଛି, ରକ୍ତାକ୍ତ ହେଇଛି। ବିଦେଶୀ ଆତଙ୍କବାଦୀ ମୋଗଲମାନଙ୍କ କଥା କୁହନ୍ତୁ କି ଡଚ୍ , ପର୍ତ୍ତୁଗିଜ୍, ଇଂରେଜ ମାନଙ୍କ କଥା କୁହନ୍ତୁ, ଶହ ଶହ ବର୍ଷ ଧରି ଏ ଦେଶ ଅକଥନୀୟ ନିର୍ଯାତନା ଓ ଶୋଷଣର ଶିକାର ହେଇଛି । ୧୯୪୭ ରେ କାଶ୍ମିରୀକୁ ନେଇ ପାକିସ୍ତାନ ଭାରତ ସହିତ ଯୁଦ୍ଧ କରିଛି । ୧୯୬୫, ୧୯୭୧ ଓ ୧୯୯୯ ରେ ବି ହାରିଛି ପାକିସ୍ତାନ ଭାରତର ପରାକ୍ରମ ଆଗରେ । ଏତେଥର ମୁହାଁମୁହିଁ ଯୁଦ୍ଧରେ ଶୋଚନୀୟ ଭାବରେ ପରାଜୟ ବରଣ କରିବା ପରେ ପରୋକ୍ଷ ଭାବରେ ଆତଙ୍କବାଦୀଙ୍କ ମାଧ୍ୟମରେ ଭାରତରେ ଘଟେଇ ଚାଲିଛି ରକ୍ତପାତ ଓ ନରସଂହାର । ୧୯୯୩ ରେ ମୁମ୍ବାଇରେ ସିରିଏଲ ବମବ୍ଲାଷ୍ଟ , ୧୯୯୯ ରେ ଆସି ୮୧୪ ବିମାନର ଅପହରଣ,୨୦୦୧ ରେ ଭାରତର ଗଣତନ୍ତ୍ରର ମନ୍ଦିର ସଂସଦ ଉପରେ ଆକ୍ରମଣ, ୨୦୦୮ ରେ ତାଜ୍ ହୋଟେଲ ସହିତ ବିଭିନ୍ନ ଜାଗାରେ ଏକାସାଙ୍ଗରେ ଆତଙ୍କବାଦୀଙ୍କ ଆକ୍ରମଣ, ୨୦୧୬ ରେ ଉରିରେ ଅବସ୍ଥିତ ଭାରତୀୟ ଆର୍ମି ବ୍ରିଗେଡ ହେଡକ୍ୱାଟର୍ସ ଉପରେ ଆକ୍ରମଣ, ୨୦୧୯ ରେ ପୁଲୱମା ଆକ୍ରମଣ ଓ ୨୦୨୫ ରେ ପେହଲଗାମରେ ରକ୍ତଭୋଜି , ସବୁଠି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ରକ୍ତର ସ୍ବାକ୍ଷର । ଏମିତି କଳଙ୍କିତ କଳୁଷିତ ଘଟଣାର ଫର୍ଦ୍ଦ ବେଶ୍ ଲମ୍ବା ଓ ସବୁଠି ପାକିସ୍ତାନର ଦୁର୍ଗନ୍ଧଭରା ମାନସିକତାର ଛାପ । କେତେ ବା ଆଉ ସହିବ ଭାରତ ? ଅପ୍ରିଲ୍ ୨୨ ,୨୦୨୫ ପରେ,ବାଣିଜ୍ୟିକ, କୁଟନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ଭାରତର କଠୋର ପଦକ୍ଷେପରୁ ପାକିସ୍ତାନ ବୁଝି ଯିବାର ଥିଲା ଭାରତର ମନୋଭାବକୁ । କିନ୍ତୁ ମରଣ କାଳେ ବିପରୀତ ବୁଦ୍ଧି ଭଳି ପାକିସ୍ତାନ ଭାରତକୁ ପରମାଣୁ ବୋମାର ଧମକ ଦେଖେଇଲା । ତେଣୁ ଏଥର ଭାରତ ଶାନ୍ତିର ଭାଷା ବୁଝୁ ନଥିବା ଅହଂକାରୀ ପାକିସ୍ତାନକୁ ଶସ୍ତ୍ରରେ ସାମାନ୍ୟ ଜବାବ ଦେଲା ଯେଉଁ ଆଘାତରେ ବେହୋସ୍ ହୋଇପଡ଼ିଲା ଆତଙ୍କୀ ରାଷ୍ଟ୍ର ପାକିସ୍ତାନ ଓ ତ୍ରାହି ତ୍ରାହି ଡାକରା ଛାଡ଼ିଲା ।
ଅପରେସନ ସିନ୍ଦୂର ରେ ଶତାଧିକ ଆତଙ୍କବାଦୀ ମଲେ । ଦୂର୍ଭାଗ୍ୟ ଯେ ଆତଙ୍କବାଦୀ ମାନଙ୍କୁ ପାକିସ୍ତାନ ଶହୀଦର ସମ୍ମାନ ଦେଲା । ଟିଭି ପରଦାରେ ସମଗ୍ର ବିଶ୍ବ ଦେଖିଲା ଆତଙ୍କବାଦୀଙ୍କ ପ୍ରତି ପାକିସ୍ତାନର ଦରଦ କେତେ । ଆତଙ୍କବାଦୀଙ୍କ ଶବ ଉପରେ ପାକିସ୍ତାନର ଜାତୀୟ ପତାକା ଘୋଡା ଯାଇଥିଲା ଓ ସେମାନଙ୍କର ଶବ ସତ୍କାରରେ ପାକିସ୍ତାନର ପୁଲିସ୍ ଓ ସେନା ବାହିନୀ ଯୋଗଦାନ କରିଥିଲେ । ଏଥିରୁ ପୁଣିଥରେ ପ୍ରମାଣିତ ହେଲା ଯେ ଆତଙ୍କବାଦ ଓ ପାକିସ୍ତାନ ପରସ୍ପରର ପରିପୂରକ । ଏକଥା ଏଇଠି ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୧, ୨୦୦୧ ରେ ବିଶ୍ବ ବାଣିଜ୍ୟ କେନ୍ଦ୍ରର ଧ୍ବଂସ ହେବା ପଛରେ ମୁଖ୍ୟ ଖଳନାୟକ ଓସମା ବିନ୍ ଲାଡେନ୍ ପାକିସ୍ତାନରେ ଦୃଢ଼ ସୁରକ୍ଷା ଭିତରେ ଏବୋଟାବାଦରେ ରହୁଥିଲା । ଓସମା ପାକିସ୍ତାନରେ ନାହିଁ ବୋଲି ଡିଣ୍ଡିମ ପିଟୁଥିଲା ପାକିସ୍ତାନ । କିନ୍ତୁ ଆମେରିକାର ସିଲ୍ କମାଣ୍ଡୋ ବାହିନୀ ନିପାତ କରିଥିଲେ ଲାଡେନକୁ ମେଁ ମାସ ୨ ତାରିଖ ୨୦୧୧ ରାତି ଅଧରେ ପାକିସ୍ତାନ ମାଟିରେ । ଭାରତର ତାଜ୍ ହୋଟେଲ ଉପରେ ଆକ୍ରମଣ ଘଟଣାରେ ଜିଅନ୍ତା ଧରାପଡ଼ିଥିବା ଆତଙ୍କବାଦୀ କସବ୍ ପାକିସ୍ତାନର ନାଗରିକ ଥିଲା । ଏମିତି ସବୁ ଆତଙ୍କବାଦୀଙ୍କ ନରସଂହାର ଘଟଣାରେ ପାକିସ୍ତାନର ସିଧାସଳଖ ସଂପୃକ୍ତି ଥିବାର ପ୍ରମାଣ ବିଶ୍ବ ପାଇଛି । କିନ୍ତୁ ମିଛୁଆ ପାକିସ୍ତାନ ସବୁବେଳେ ଗାଲୁଆମି କରିଛି । ଏତେ ପରେ ବି ଆତଙ୍କବାଦୀଙ୍କୁ ସହୀଦର ସମ୍ମାନ ଦେବା ପାକିସ୍ତାନର କେଉଁ ପ୍ରକାରର ମାନସିକତାକୁ ସୂଚାଉଛି, ସେ ବିଷୟରେ କହିବାର ଆବଶ୍ୟକତା ନାହିଁ ।
ଅପରେସନ ସିନ୍ଦୂରର ବିପୁଳ ସଫଳତା ପରେ ଭାରତର ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାଷାରେ କହିଛନ୍ତି, ଆମେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛୁ ଓ ପାକିସ୍ତାନର ପରବର୍ତ୍ତୀ ଆଚରଣ ଉପରେ ତୀକ୍ଷ୍ମ ନଜର ରଖିଛୁ । ଯଦି ଭାରତରେ କୌଣସି ଜାଗାରେ ଆତଙ୍କୀ ଆକ୍ରମଣ ହୁଏ ତାହେଲେ ଭାରତ ତା’ର ନିଜସ୍ବ ଶୈଳୀରେ ଜୋରଦାର ଜବାବ ଦେବ । ଏଥିସହିତ ପାକିସ୍ତାନର କୌଣସି ପରମାଣୁ ବ୍ଲାକମେଲିଂ ଭାରତ ଆଦୌ ସହ୍ୟ କରିବନି । ଏକଥା ବି ଶାଣିତ ସ୍ବରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ଓ
କଥାବାର୍ତ୍ତା ଏକାସଙ୍ଗେ ଚାଲିବା ଅସମ୍ଭବ। ରକ୍ତ ଓ ପାଣି ଏକାସାଙ୍ଗରେ ପ୍ରବାହିତ ହେଇ ପାରିବନି କି ଆତଙ୍କବାଦ ଓ ବାଣିଜ୍ୟିକ କାରବାର ଏକାସାଙ୍ଗରେ ଚାଲି ପାରିବନି । ଶାନ୍ତିପ୍ରିୟ ଭାରତର ନୀତି ସ୍ପଷ୍ଟ । ଆମେ ଯୁଦ୍ଧ ଚାହୁଁନାହିଁ । କିନ୍ତୁ ଆମ ଉପରେ ଯଦି ଯୁଦ୍ଧ ଲଦି ଦିଆଯାଏ, ତାହେଲେ ନିଜର ଆତ୍ମରକ୍ଷା କରିବା ସହିତ ଶତ୍ରୁକୁ ମୁହଁତୋଡ ଜବାବ ଦେବୁ । ତେଣୁ ବେଳ ଥାଉଁ ଥାଉଁ ପାକିସ୍ତାନ ଭାରତର ଶାନ୍ତି ମୈତ୍ରୀ ଓ ବନ୍ଧୁତାର ଭାଷାକୁ ବୁଝିଯିବା ଦରକାର ଓ ସୁଧୁରିଯିବା ଆବଶ୍ୟକ । ଯୁଦ୍ଧ କି ଆତଙ୍କବାଦ କେବେବି କୋୖଣସି ସମସ୍ୟାର ସମାଧାନର ରାସ୍ତା ନୁହେଁ । ଆତଙ୍କବାଦୀଙ୍କ ଦ୍ବାରା ନରସଂହାରର ଓ ଯୁଦ୍ଧ ମନୋଭାବ କେବଳ ଧ୍ବଂସକୁ ହିଁ ନିମନ୍ତ୍ରଣ କରେ । ଯାହା ହେଇଛି ତ ହେଇଛି । ଏବେଠାରୁ ଅନ୍ତତଃ ପାକିସ୍ତାନ ମଧ୍ୟଯୁଗୀୟ ଚିନ୍ତାଧାରାରୁ ମୁକୁଳିବାକୁ ଚେଷ୍ଟା କରିବା ନିହାତି ଜରୁରୀ । ପାକିସ୍ତାନର ନୂଆ ପିଢ଼ିର ଯୁବକ ଯୁବତୀ ଆଧୁନିକ ବିଜ୍ଞାନ ଭିତ୍ତିକ ଶିକ୍ଷାର ଆଲୋକରେ ଆଲୋକିତ ହେବା ଆବଶ୍ୟକ ଯେଉଁମାନେ ଭବିଷ୍ୟତରେ ପାକିସ୍ତାନକୁ ଠିକ୍ ରାସ୍ତାରେ ବାଟ କଢ଼େଇ ନେଇପାରିବେ । ଶେଷରେ ଏତିକି କହିବି,ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଯଦି ପୂର୍ବଭଳି ନିଜର ପୁରୁଣା ବିଷାକ୍ତ ଧ୍ବଂସକାରୀ ଅଭ୍ୟାସରେ ପରିବର୍ତ୍ତନ ନଆଣେ , ତାହେଲେ ସମୟର ଗତି ସେ ଦେଶକୁ କେଉଁ ପଥରେ ନେବ, ସେକଥା କେବଳ ଈଶ୍ବରଙ୍କୁ ଜଣା ।
ଭାସ୍କର ବାରିକ୍
ବାସୁଦେବପୁର,ଭଦ୍ରକ
୯୪୩୭୩୨୦୩୫୦