ସିପିଆଇ ଜୋନାଲ କମିଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ପାଇଁ ନିଷ୍ପତ୍ତି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ନିକଟ ସିପିଆଇ ଶାଖା କାର୍ଯ୍ୟାଳୟରେ ରବିବାର ବିଭିନ୍ନ ଜନସମସ୍ୟା କୁ ନେଇ ପାର୍ଟିର ଜୋନାଲ କମିଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି। କମ୍ରେଡ଼ ଲୋକନାଥ ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିପିଆଇ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ କମ୍ରେଡ଼ ଅଳକ ନାଥ ମିଶ୍ର,ବଡ଼ ଖେମୁଣ୍ଡି ଜୋନାଲ କମିଟି ସମ୍ପାଦକ କମ୍ରେଡ଼ କିଶୋର କୁମାର ଶତପଥି ଅତିଥିଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ମୂଲ୍ୟବୃଦ୍ଧି, ସରକାରଙ୍କ ଚାଷୀମାରଣ ନୀତି, ବେ- ରୋଜଗାର,ଅଚଳ ଜଳସେଚନ ପ୍ରକଳ୍ପ ଗୁଡ଼ିକର ମରାମତି,ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ର ସ୍ଥାୟୀ ସମାଧାନ ଏବଂ ସମସ୍ତ ବୃଦ୍ଧା ବୃଦ୍ଧ ଓ ଭିନ୍ନକ୍ଷମ ଙ୍କୁ ଭତ୍ତା,ଗରିବ ଅସହାୟ ଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଉଟି କାର୍ଡ ପ୍ରଦାନ ଦାବୀ ରେ ପାର୍ଟି ପକ୍ଷରୁ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଅତ୍ୟଧିକ ମିଟର ରିଡିଂ,ଲୋ – ଭୋଲଟେଜ ଏବଂ ଘନ ଘନ ବିଦ୍ୟୁତ କାଟ ବନ୍ଦ କରାଯିବା ଦାବୀ ରେ ଦିଗପହଣ୍ଡି ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ପାଇଁ ସଭାରେ ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଥିଲା।ପରେ ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି, ଗଣପାଣ୍ଠି ସଂଗ୍ରହ ପାଇଁ ଆଗତ ପ୍ରସ୍ତାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ କମ୍ରେଡ଼ ରମେଶ ଭୁଁୟା,ପ୍ରଦୀପ ପରିଡ଼ା,ରବି ସେଠୀ,ସନ୍ତୋଷ ପଣ୍ଡା,ପ୍ରମୋଦ ପାତ୍ର, ଜି. ରାଜେଶ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।