ସିପିଆଇ ପକ୍ଷରୁ ଔପଦା ବ୍ଲକ ନିର୍ବାଚନୀ ହିଂସାକୁ ନିନ୍ଦା
ବାଲେଶ୍ୱର, (ସରୋଜ ପଣ୍ଡା) :ଔପଦା ବ୍ଲକ ଅନ୍ତର୍ଗତ ବାଉଁଶବଣିଆ ପଞ୍ଚାୟତ ଗୁହାଳିଆ ଗ୍ରାମରେ ଗତ ୧୩ ତାରିଖ ଦିନ ନବନିର୍ବାଚିତ ସରପଞ୍ଚ ତଥା ସିପିଆଇ ଜିଲା ସମ୍ପାଦକ ନିରଞ୍ଜନ ବାରିକଙ୍କ ବଡ଼ପୁଅ ଲେଲିନ ବାରିକଙ୍କୁ ମରଣାନ୍ତକ ଆକ୍ରମଣକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଦୃଢ଼ ନିନ୍ଦା କରିଛି । ଅପରାଧିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଔପଦା ଅଞ୍ଚଳ ଗସ୍ତ ସହ ଘଟଣା ସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ବିବରଣୀ ସଂଗ୍ରହ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅପରାଧିଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ବାଉଁଶବଣିଆ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସିପିଆଇ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ଦୁଇ ପଞ୍ଚାୟତର ପରାଜିତ ପ୍ରାର୍ଥୀମାନଙ୍କ ପକ୍ଷରୁ ମିଳିତ ଚକ୍ରାନ୍ତରେ ଏପରି ଆକ୍ରମଣ କରାଯାଇଛି ବୋଲି ଶ୍ରୀ କାନୁନ୍ଗୋ ଏକ ପ୍ରେସ୍ ବିବତ୍ତିରେ ଅଭିଯୋଗ ଆଣିଛନ୍ତି । ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତଙ୍କୁ ସାକ୍ଷାତ କରି ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିର୍ବାଚନ ଆଳରେ ରାଜନୈତିକ ହିଂସା ସମଗ୍ର ରାଜ୍ୟରେ ଓ ଶାନ୍ତିପ୍ରିୟ ବାଲେଶ୍ୱର ଜିଲାରେ ବୃଦ୍ଧି ପାଇଥିବାରୁ ପୁଲିସ ମୁଖ୍ୟ ଏଥିପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ରାଜ୍ୟ ସମ୍ପାଦକଙ୍କ ଗସ୍ତ ଅବସରରେ ଦଳ ପକ୍ଷରୁୁ ନବ ନିର୍ବାଚିତ ସରପଞ୍ଚ ନିରଞ୍ଜନ ବାରିକ ଓ ପୁରୁଷୋତ୍ତମ ସେଠୀଙ୍କ ସମେତ ବର୍ଷିୟାନ କମ୍ୟୁନିଷ୍ଟ ନେତା କୈଳାସ ଚନ୍ଦ୍ର ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ ଓ ଯତୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


