ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ
ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ। ସିବିଏସଇ ତା’ର ଅଫିସିଆଲ୍ ୱେବ୍ସାଇଟ୍ରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷଣା କରିଛି। cbse.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଏ ବର୍ଷ ସମୁଦାୟ ୮୮. ୭୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଅଲଟର୍ନେଟିଭ୍ ଆସେସ୍ମେଣ୍ଟ୍ ସ୍କିମ୍ ଆଧାରରେ ୪୦୦ ଜଣ ଛାତ୍ରଛାତ୍ରୀଙ୍କୁ ଗଣନା କରାଯାଇ ନାହିଁ। ପରେ ସେମାନଙ୍କ ଫଳାଫଳ ପ୍ରକାଶ ପାଇବ। ଏ ବର୍ଷ କୌଣସି ପିଲାଙ୍କୁ ଫେଲ୍ କରାଯାଇନାହିଁ। ଫେଲ୍ ପରିବର୍ତ୍ତେ ‘ଏସେନ୍ସିଆଲ୍ ରିପିଟ୍’ ବ୍ୟବସ୍ଥା କରାଯାଇଛି। କିନ୍ତୁ, ଏ ବର୍ଷ ସିବିଏସ୍ଇ ମେଧା ତାଲିକା ବା ମେରିଟ୍ ଲିଷ୍ଟ୍ ପ୍ରକାଶ କରିବ ନାହିଁ। ଏଥର ଜବାହର ନବୋଦୟ ବିଦ୍ୟାଳୟ ଅଧିକ ପାସ୍ ପର୍ସେଣ୍ଟେଜ୍ ରେକର୍ଡ କରିଛି। ଏହାର ପାସ୍ ପର୍ସେଣ୍ଟେଜ୍ ହେଉଛି ୯୮. ୭୦। ତା’ପଛକୁ ରହିଛି କେନ୍ଦ୍ରୀୟ ବିଦ୍ୟାଳୟ (୯୮. ୬୨%) । ଏବର୍ଷ ଘରୋଇ ସ୍କୁଲ୍ମାନେ ସବୁଠୁ କମ୍ ପର୍ସେଣ୍ଟେଜ୍ (୮୮.୨୨ ପ୍ରତିଶତ) ରଖିଛନ୍ତି। ସିବିଏସଇ ଭୁବନେଶ୍ୱର ଜୋନରେ ପାସହାର ୯୧.୪୬ ପ୍ରତିଶତ ରହିଛି।
ଜୁନ୍ ମାସ ୨୬ ତାରିଖରେ ସିବିଏସ୍ଇ ସୁପ୍ରିମ୍ କୋର୍ଟଙ୍କୁ କହିଥିଲା ଯେ, ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବ। ଶେଷ ତାରିଖର ଦୁଇ ଦିନ ପୂର୍ବରୁ ଫଳାଫଳ ପ୍ରକାଶ କରିଛି ‘ସିବିଏସ୍ଇ’।
କୃତୀ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଅଧ୍ୟକ୍ଷ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।