ସିଭିଲ୍ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସିଭିଲ୍ ସୋସାଇଟି ପକ୍ଷରୁ ଉଠାଜଳ ସେଚନ କର୍ମଚାରୀ ଭବନରେ ବିଦ୍ୟୁତ୍ ଗ୍ରାହକମାନଙ୍କ ସମସ୍ୟା, ପୌରାଞ୍ଚଳରେ ମଶାର ପ୍ରାଦୁର୍ଭାବ, ବାଲେଶ୍ୱର ରେଳଷ୍ଟେସନର ବିକାଶ ଓ ସହରର ପ୍ରଥମ ଓଭରବ୍ରିଜ୍ ତଳଭାଗର ସୁରକ୍ଷା ଓ ସୌନ୍ଦର୍ଯ୍ୟୀକରଣ ପ୍ରଭୃତି ସମସ୍ୟାକୁ ନେଇ ଶୁକ୍ରବାର ଦିନ ଅପରାହ୍ନରେ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ବିମର୍ଷ ହୋଇଛି । ସଂପାଦକ ମନୋଜ ନାୟକ ସିଭିଲ୍ ସୋସାଇଟି ପକ୍ଷରୁ ଜାତୀୟ ରାଜପଥ ପାଶ୍ୱର୍ରେ ଗଣେଶ୍ୱରପୁର ମୌଜାରେ ସରକାରୀ ବସ୍‌ଷ୍ଟାଣ୍ଡ୍ ଓ ବାଲେଶ୍ୱର ସହରରେ ଜୁଡ଼ିସିଆଲ୍ ହବ୍ ନିର୍ମାଣ ସଂପର୍କରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥା ସଂପର୍କରେ ସୂଚନା ଦେଇଥିଲେ ।ଆସନ୍ତା ସପ୍ତାହରେ ବିଦ୍ୟୁତ୍ ଗ୍ରାହକମାନଙ୍କ ସମସ୍ୟା ସଂପର୍କରେ ଜିଲ୍ଲାପାଳ ଓ ବିଦ୍ୟୁତ୍ ବିତରଣକାରୀ କଂପାନୀକୁ ଏବଂ ଓଭରବ୍ରିଜ୍ ତଳଭାଗରେ ସୌନ୍ଦର୍ଯ୍ୟୀକରଣ ଓ ସୁରକ୍ଷା ସହ ପୌରାଞ୍ଚଳରେ ମଶା ନିପାତ ପାଇଁ କାର୍ଯ୍ୟପନ୍ଥା ନିମିତ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଯିବ । ସେହିପରି ବାଲେଶ୍ୱର ରେଳ ଷ୍ଟେସନର ବିକାଶ, ସଂପ୍ରସାରଣ ଓ ଅତ୍ୟାଧୁନିକୀକରଣ କାର୍ଯ୍ୟରେ ମନ୍ଥରତା ଏବଂ ପ୍ଲାଟଫର୍ମର ଦୁରାବସ୍ଥା ସଂପର୍କରେ ରେଳବିଭାଗ ମନ୍ତ୍ରୀ, ରେଳ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଅନ୍ୟ ଏକ ଦାବିପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଜନଦାବିକୁ ଅଗ୍ରାହ୍ୟକଲେ ଗଣତାନ୍ତ୍ରିକ ଧାରାରେ ବିଭିନ୍ନ ପର୍ଯ୍ୟାୟରେ ଆସନ୍ତା ୨୦୨୪ ଜାନୁଆରୀ ମାସରୁ ଆନ୍ଦୋଳନ ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି । ଆମ୍ବେଦକର ବିକାଶ ପରିଷଦର ନିମନ୍ତ୍ରଣ କ୍ରମେ ସୋସାଇଟିର ସଦସ୍ୟମାନେ ଆସନ୍ତା ୨୬ ତାରିଖ ଦିନ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ସୋସାଇଟିର ଆସନ୍ତା ମାସ ବୈଠକରେ ସଂଗଠନର ବାର୍ଷିକ ସମ୍ମିଳନୀ ଓ ନୂତନ ସଭ୍ୟ ଗ୍ରହଣ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସଂପାଦକ ଶ୍ରୀ ନାୟକ ଜଣାଇଥିଲେ ।ଏହି ବୈଠକରେ ସିଭିଲ୍ ସୋସାଇଟିର ଉପଦେଷ୍ଠା ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁଙ୍କ ସମେତ ସୀତାରାମ ପ୍ରଧାନ, ନନ୍ଦନ ପାଲ, ଦାମୋଦର ନାୟକ, ବେଣୁଧର ସାହୁ, ସୁଦର୍ଶନ ଜେନା, ସୁକୁମାର ରଣା, ଭରତ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦଳାଇ ଓ ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ