ସିମେଣ୍ଟ ବ୍ୟବସାୟୀ ହତ୍ୟା ଘଟଣା ୨ ଅଭିଯୁକ୍ତ ଗିରଫ୍ : ସୂଚନା ଦେଲେ ଅତିରିକ୍ତ ଏସପି
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ସିମେଣ୍ଟ ବ୍ୟବସାୟୀ କୃଷ୍ଣ ଚନ୍ଦ୍ର ପରିଡାଙ୍କ ହତ୍ୟା ଘଟଣାରେ ଛତ୍ରପୁର ଥାନା ପୋଲିସ୍ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଦୁଇ ଜଣ ସେହି ଗ୍ରାମର ପଙ୍କଜ ବିଶ୍ୱାଳ ଓ ତାଙ୍କ ସମ୍ପର୍କୀୟ ଭାଇ ସିମାଂଚଳ ବିଶ୍ୱାଳ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ବ୍ୟବସାୟିକ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତ ମାନେ ଏହି ହତ୍ୟାକାଣ୍ଡ କରିଥିବା ତଦନ୍ତ ବେଳେ ପୋଲିସ୍ ଜାଣିବାକୁ ପାଇଛି । ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଆଧାର କରିବା ସହ ୨ ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରି ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର କହିଛନ୍ତି । ପୋଲିସ୍ କହିବା ଅନୁସାରେ କୃଷ୍ଣ ଓ ପଙ୍କଜ ଦୁହେଁ ସିମେଣ୍ଟ ବ୍ୟବସାୟ କରୁଥିଲେ । କୃଷ୍ଣଙ୍କ ଲାଗି ପଙ୍କଜ ଙ୍କ ବ୍ୟବସାୟରେ ଦିନକୁ ଦିନ ଅବନତି ହେବାରେ ଲାଗିଲା । ଯାହା ଫଳରେ ପଙ୍କଜ ଏବଂ ତାଙ୍କ ପାଖରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସିମାଞ୍ଚଳ ମିଶି କୃଷ୍ଣଙ୍କୁ ଜୀବନରୁ ମାରିଦେବା ନିମନ୍ତେ ଯୋଜନା ଆରମ୍ଭ କରିଥିଲେ । ପୂର୍ବରୁ ଦୁଇ ଦୁଇ ଥର ଏନେଇ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହେବା ପରେ ଗତ ୨୨ ତାରିଖ ରାତ୍ରରେ କୃଷ୍ଣ ଙ୍କୁ ମାରିବାରେ ସଫଳ ହୋଇଥିଲେ ଅଭିଯୁକ୍ତ ଦ୍ୱୟ । ଘଟଣା ଘଟିବା ଦିନ କୃଷ୍ଣ ନିଜ ଦୋକାନ ବନ୍ଦକରି ଗ୍ରାମ ନିକଟରେ ଥିବା ଟୋଲକେଶ୍ୱର ଶିବ ମନ୍ଦିର ଅଭିମୁଖେ ଯାଉଥିବା ବେଳେ ପଙ୍କଜ ଓ ସୀମାଂଚଳ ତାଙ୍କୁ ଏକ ବାଇକ ଯୋଗେ ପିଛା କରିଥିଲେ । କୃଷ୍ଣ ମନ୍ଦିରକୁ ଯାଇ ପୂଜା କରିବା ସହ ଯୋଗ ଆଦି ନିତ୍ୟକର୍ମ ସାରି ଏକ ଫୋନ ଯୋଗେ କଥା ହୋଇ ଫେରୁଥିବା ବେଳେ ପ୍ରଥମେ ସିମାଞ୍ଚଳ କୃଷ୍ଣଙ୍କୁ ପଛପଟୁ ଏକ ଲାଠି ରେ ଆକ୍ରମଣ କରିଥିଲେ । ଯାହାଫଳରେ କୃଷ୍ଣ ତଳେ ପଡିଯାଇଥିଲେ । ପରେ ନିକଟରେ ଥିବା ଏକ ନଡିଆ ଗଛ ନିକଟରେ ପୁର୍ବରୁ ଛପି ରହିଥିବା ପଙ୍କଜ ସେଠାକୁ ଆସି ସିମାଞ୍ଚଳଙ୍କ ଠାରୁ ଲାଠି ଛଡାଇ କୃଷ୍ଣଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । କୃଷ୍ଣ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଯାଇଥିବା ବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତ ଦୁହେଁ ଏକ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ । ବଡଶଙ୍ଖ ନିକଟରେ ଲାଠି ଫୋପାଡି ଦୁହେଁ ଗ୍ରାମକୁ ଫେରିଥିଲେ ବୋଲି ଅତିରିକ୍ତ ଏସପି ଶ୍ରୀ ପାତ୍ର ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୃଷ୍ଣଙ୍କ ସମ୍ପର୍କୀୟ ରାକେଶ କୁମାର ସାହୁ ଏନେଇ ଗତ ୨୩ ତାରିଖ ଦିନ ଛତ୍ରପୁର ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନାରେ ୨୦୩ /୨୦୨୨ ନଂ ରେ ଏକ ମାମଲା ରୁଜୁ ହୋଇଥିଲା । ଏତାଲାକୁ ଭିତ୍ତି କରି ଖୋଳତାଳ ଆରମ୍ଭ କରିଥିଲା ପୋଲିସ୍ । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀ ରେ ଗ୍ରାମରେ ରାସ୍ତାରୋକ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଅପ୍ରିତିକର ପରିସ୍ଥିତି ଦେଖା ଦେଇଥିଲା । ଘଟଣା ଏତେ ଭୟାନକ ହୋଇଥିଲା ଯେ, ଗ୍ରାମରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହିତ ପୋଲିସ ଗାଡିକୁ ମଧ୍ୟ ଗ୍ରାମବାସୀ ମାନେ ଭଙ୍ଗାରୁଜା କରିଥିଲେ । ଏଥିରେ ଦୁଇ ଥାନା ଅଧିକାରୀ ମଧ୍ୟ ଆହାତ ହୋଇଥିଲେ । ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ସହ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଗ୍ରାମବାସି ମାନେ ଆନ୍ଦୋଳନ କରିଥିଲେ । ଏହା ସହିତ କୃଷ୍ଣଙ୍କୁ ଉଚିତ ନ୍ୟାୟ ପ୍ରଦାନ ମିଳିବ ଦର୍ଶାଇ ଗତ ୨୫ ତାରିଖରେ ତାଙ୍କ ଭାବିପତ୍ନୀ ଆରତୀ ପାହାନ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଏହାପରେ ଗ୍ରାମରେ ଘରେ ରହିଥିବା ମହିଳା ମାନେ ମଧ୍ୟ ଉତ୍ତେଜିତ ହୋଇ ପୋଲିସ୍ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଆନ୍ଦୋଳନକୁ ଓହ୍ଲାଇଥିଲେ । ପରେ ଗ୍ରାମରେ ଥିବା ପଙ୍କଜଙ୍କ ଦୁଇଟି ଦୋକାନକୁ ଭଙ୍ଗାରୁଜା କରିବା ସହିତ କିଛି ସାମଗ୍ରୀ ମଧ୍ୟ ଲୁଟ ହୋଇଥିଲା । ଏନେଇ ଗ୍ରାମରେ ଉତ୍ତେଜନା ଦେଖା ଦେବା ପରେ ଶୁକ୍ରବାର ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷରେ ହଂସପୁର ଗ୍ରାମର ଭଦ୍ର ବ୍ୟକ୍ତି ଏବଂ କିଛି ମହିଳାଙ୍କ ସହ ପୋଲିସ୍ ଅଧିକାରୀ ମାନେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଦୀର୍ଘ ଘଣ୍ଟା ଧରି ଆଲୋଚନା କରିବା ପରେ ସନ୍ଧ୍ୟାରେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଛି । ଏହି ହତ୍ୟାକାଣ୍ଡ କୁ ନେଇ ଛତ୍ରପୁର ଥାନାରେ ୪ଟି ମାମଲା ରୁଜୁ ହୋଇଛି । କୃଷ୍ଣଙ୍କୁ ହତ୍ୟା କରାଯାଇଥିବା ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଆରତୀ ପାହାନଙ୍କ ମାଆ ପକ୍ଷରୁ ଆଉ ଏକ ମାମଲା ରୁଜୁ ହୋଇଛି । ସେହିପରି ପୋଲିସ ଗାଡି ଭଙ୍ଗାରୁଜା ଓ ଆକ୍ରମଣ ନେଇ ପୋଲିସ ପକ୍ଷରୁ ଗୋଟିଏ ମାମଲା ଗୁଜୁ ହୋଇଥିବା ବେଳେ ଅଭିଯୁକ୍ତ ପଙ୍କଜଙ୍କ ଦୋକାନ ଭଙ୍ଗାରୁଜା ଓ ସାମଗ୍ରୀ ଲୁଟ ନେଇ ପଙ୍କଜଙ୍କ ପରିବାର ପକ୍ଷରୁ ଗାଁର କିଛି ଲୋକଙ୍କ ନାମରେ ଛତ୍ରପୁର ଥାନା ରେ ଆଉ ଏକ ମାମଲା ରୁଜୁ ହୋଇଥିବା ଅତିରିକ୍ତ ଏସପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ସମସ୍ତ ମାମଲାର ତଦନ୍ତ ଚାଲିଛି ଆଗାମୀ ଦିନରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


