ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ରକୁ ବାତିଲ୍ କରାଯିବ- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଭୁବନେଶ୍ବର :- ପାଖେଇ ଆସିଲାଣି ଯୁକ୍ତ ପରୀକ୍ଷା ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲ, ସେଲ୍ଫ ଫାଇନାନସିଂ ସ୍କୁଲକୁ ବାରମ୍ବାର ତାଗିଦ୍ କରାଯାଉଥିଲେ ବି କେତେକ ସ୍କୁଲ କର୍ତ୍ତୃପକ୍ଷ ସିସିଟିଭି ଲଗାଉନାହାନ୍ତି । ବିନା ସିସିଟିଭିରେ ପରୀକ୍ଷା କେନ୍ଦ୍ର ହୋଇପାରିବନି ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ କରିଥିଲେ ମଧ୍ୟ କେତେକ ସ୍କୁଲ ଏହି ନିୟମକୁ ମାନୁନଥିବା ଦେଖାଦେଇଛି । ଅନ୍ୟପଟେ ପରିଷଦର ପରୀକ୍ଷା ନିୟନ୍ତ୍ରକ ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁମାନେ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇ ନାହାନ୍ତି ସେମାନେ ଫେବ୍ରୁଆରି ୧୦ ସୁଦ୍ଧା ସିସିଟିଭି ଲଗାଇବେ । ଏଥିରେ ପାୱାର ବ୍ୟାକଅପ୍ ବ୍ୟବସ୍ଥା ସହ ସିସିଟିଭି ସଂଯୋଗ କରିବେ । ସେହିପରି ଯେଉଁଠି ସିସିଟିଭି ନଥିବ ସେହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ଉତ୍ତର ଖାତା ଏବଂ ମାର୍କ ଫଏଲ୍ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ଗ୍ରହଣ କରିବେନି ।