ସିସିଟିଭି ଭାଙ୍ଗିଲେ ଅଧୀକ୍ଷକ ଦାୟୀ: ମନ୍ତ୍ରୀ
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଅଧିକାଂଶ କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ତେବେ ଏବେ ଅଧିକାଂଶ ସ୍ଥାନରେ ତାକୁ ଭାଙ୍ଗି ଦିଆଯାଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି । ତେବେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଦାୟୀ ହେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଅସାଧୁ କାର୍ଯ୍ୟ ଓ କପି ପାଇଁ ସିସିଟିଭି ଭଙ୍ଗାଯାଉଥିବା ଅଭିଯୋଗ ଥିଲା । ପିଲାମାନେ ସିସିଟିଭି ଭାଙ୍ଗି ଦେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏନେଇ ଗତକାଲି ବୋର୍ଡ ପକ୍ଷରୁ କେନ୍ଦ୍ର ଅଧୀକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ କରାଯାଇଥିଲା । ଏଥିରେ ସିସିଟିଭି ଭାଙ୍ଗିଲେ ଅଧୀକ୍ଷକ ଦାୟୀ ରହିବେ ବୋଲି ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ଅନ୍ୟପକ୍ଷରେ କେଉଁ କେନ୍ଦ୍ରରେ କେଉଁ ଶିକ୍ଷକ ରହିବେ ତାହା ଅଧୀକ୍ଷକ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।