ସି.ଆଇ.ଟି.ୟୁର ରାଜ୍ୟ ସମ୍ମିଳନୀ ନିମନ୍ତେ ଅଭ୍ୟର୍ଥନା ସମିତି ଗଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶର ଛାମୁଆ ତଥା ଶ୍ରମିକ ଆନ୍ଦୋଳନର ଲଢୁଆ ଟ୍ରେଡ୍ ୟୁନିୟନ ସି.ଆଇ.ଟି.ୟୁ.ର ପଞ୍ଚଦଶତମ ରାଜ୍ୟ ସମ୍ମିଳନୀ ଆସନ୍ତା ନଭେମ୍ବର ମାସ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜଧାନୀ ସହର ଭୁବନେଶ୍ୱର ସ୍ଥିତ କସ୍ତୁରବା ନାରୀମହଲଠାରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀ ସର୍ବାନ୍ତକରଣେ ସଫଳ କରିବା ପାଇଁ ଗତକାଲି ଉତ୍କଳମଣି ସଭାକକ୍ଷଠାରେ ଦୈନିକ ସମ୍ବାଦପତ୍ର “ଧରିତ୍ରୀ”ର ସମ୍ପାଦକ ତଥା ବିଶିଷ୍ଟି ବୁଦ୍ଧିଜୀବୀ ଶ୍ରୀଯୁକ୍ତ ତଥାଗତ ଶତପଥୀଙ୍କ ଅଧ୍ୟକ୍ଷତାରେ ଅଭ୍ୟର୍ଥନା ସମିତି ଗଠିତ ହୋଇଯାଇଛି । ଦେଶର ବିଶିଷ୍ଟ ଭାଷାତତ୍ତ୍ୱବିତ୍ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରାକ୍ତନ ଉପମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ କଲ୍ୟାଣ ରାୟ, ଲେଖକ ଡ. ବିଭୂତି ପଟ୍ଟନାୟକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଫେସର ଉର୍ମିମାଳା ଦାସ, ବିଶିଷ୍ଟ ଆଇନଜ୍ଞ ଶ୍ରୀ ଅଜିତ ଦାସଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୪ଜଣ ବୁଦ୍ଧିଜୀବୀ ଏହି ଅଭ୍ୟର୍ଥନା ସମିତିର ପୃଷ୍ଠପୋଷକ ଭାବରେ ରହିଛନ୍ତି । ସିଟୁର ଭୁବନେଶ୍ୱର ଆଞ୍ଚଳିକ କମିଟିର ନେତା ସାଥୀ ସୁରେଶ ଉରାତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରମିକ କର୍ମଚାରୀ ସମାବେଶରେ ରାଜ୍ୟ ସଭାପତି ସାଥୀ ଜନାର୍ଦ୍ଦନ ପତି କହିଥିଲେ ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଯେତେବେଳେ ଅତ୍ୟାବଶ୍ୟକୀୟ ଜିନିଷପତ୍ର, ଗ୍ୟାସ୍, ପେଟ୍ରୋଲ, ଡ଼ିଜେଲର ଦାମ ହୁ ହୁ ହୋଇ ବଢିଚାଲିଛି, ଦେଶର ସର୍ବକାଳୀନ ବେକାରୀ ବୃଦ୍ଧି ଘଟିଛି, ଦେଶର ୮୦ ଭାଗରୁ ଅଧିକ ଶ୍ରମଜୀବୀ, କୃଷକ, କୃଷି ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଦୁଃଖ ଦରିଦ୍ର୍ୟରେ ଆଉଟ ପାଉଟ ହେଉଛନ୍ତି ଏବଂ ଶ୍ରମିକମାନଙ୍କର ଆଇନଗତ ଅଧିକାର ସାବ୍ୟସ୍ତ ନିମନ୍ତେ ୪୪ଗୋଟି ଶ୍ରମ ଆଇନକୁ ରଦ୍ଦ କରି ୪ଟି ମାଲିକ ସପକ୍ଷବାଦୀ ଶ୍ରମକୋର୍ଡ଼ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ଦେଶବାସୀଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ ବି.ଜେ.ପି. ସରକାର ଦେଶରେ ଅଗଣତାନ୍ତ୍ରିକ ଓ ଭୟାନକ ପରିସ୍ଥିତି ସୃଷ୍ଟି କରିଛନ୍ତି, ସେତିକି ବେଳେ ଆମର ଏହି ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ବାର୍ତ୍ତା ଜନତାଙ୍କ ପାଖକୁ ନେଇଯିବା ସହିତ ସମ୍ମିଳନୀର ସଫଳତା ପାଇଁ ଉପସ୍ଥିତ ଶ୍ରମିକ କର୍ମଚାରୀ ୟୁନିୟନର ନେତୃବୃନ୍ଦମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ବ୍ୟାଙ୍କ, ବୀମା, ରାଜ୍ୟ ସରକାର, କେନ୍ଦ୍ର ସରକା, ଡ଼ାକ, ତାର, ପେଟ୍ରୋଲ, ଗ୍ୟାସ୍, କୋଇଲା କ୍ଷେତ୍ରର କର୍ମଚାରୀ ସଂଗଠନ ସମେତ ଓ.ୟୁ.ଏ.ଟି, ବାଣୀବିହାର, ମହାନଗର ନିଗମ, ବିମାନ ବନ୍ଦର, ଔଷଧ ଶିଳ୍ପ, ନିର୍ମାଣ ଶିଳ୍ପ, ଫରେଷ୍ଟ କର୍ମଚାରୀ ସଂଘର ନେତୃବୃନ୍ଦମାନେ ଉପସ୍ଥିତ ରହି ସମ୍ମିଳନୀକୁ ସଫଳ କରିବା ପାଇଁ ଆର୍ଥିକ, ଶାରୀରିକ ଓ ମାନସିକ ସାହାଯ୍ୟ ସହଯୋଗ କରିବା ନିମନ୍ତେ ନିଜ ନିଜର ବକ୍ତବ୍ୟ ଜରିଆରେ ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ଭ୍ରାତୃପ୍ରତୀମ ସଂଗଠନ ସର୍ବଭାରତୀୟ କୃଷକ ସଭାର ରାଜ୍ୟ ସମ୍ପାଦକ ଶ୍ରୀ ସୁରେଶ ପାଣିଗ୍ରାହୀ, ସିଟୁର ରାଜ୍ୟ ନେତା ଶ୍ରୀ ସୁମନ୍ତ ଦାସ, ଏସ୍.ଏଫ୍. ଆଇ ନେତା ଶୁଭ୍ରାଂଶୁ ଉଦଗାତା, ଡି.ୱାଇ.ଏଫ୍.ଆଇ ରାଜ୍ୟ ସଭାପତି ଶ୍ରୀ ଯତିନ ମହାନ୍ତି, ଜୀବନବୀମା କର୍ମଚାରୀ ନେତା ଶ୍ରୀ ଚନ୍ଦ୍ରମୋହନ ହାଇବୁର, ସାଧାରଣ ବୀମା କର୍ମଚାଣୀ ନେତା ଶ୍ରୀ ରବିନାରାୟଣ ବାରିକ, ବ୍ୟାଙ୍କ କର୍ମଚାରୀ (ବେଫି) ନେତା ଶ୍ରୀ ଅଜୟ ମହାନ୍ତି ଓଡ଼ିଶା ସେଲ୍ସ୍ ରିପ୍ରେଜେଣ୍ଟେଟିଭ ୟୁନିୟନ ନେତା ଶ୍ରୀ ଏକାଦଶୀ ବେହେରା, ସି.ଏମ୍.ପି.ଡ଼ି.ଆଇ ନେତା ଶ୍ରୀ ପର୍ଶୁରାମ ପଲେଇ, ଓ.ୟୁ.ଏ.ଟି ଶ୍ରମିକ ନେତା ଶ୍ରୀ ସତ୍ୟନାରାୟର ନାୟକ, ରାଜ୍ୟ ସରକାରୀ କର୍ମଚାରୀ ସଂଗ୍ରାମ ସମିତିର ମହାସଚିବ ହୃଷିକେଶ ମହାପାତ୍ର, ସରକାରୀ କର୍ମଚାରୀ ସମନ୍ୱୟ ସମିତି ଶ୍ରୀ କ୍ଷେତ୍ରମୋହନ ଦାସ, ଟ୍ରେଜେରୀ ଅମଲା ସଂଘ ନେତା ଶ୍ରୀ ସମର ରଞ୍ଜନ କାନୁନଗୋ ଇତ୍ୟାଦି ବକ୍ତବ୍ୟ ଦେଇଥିଲେ । କାର୍ଯ୍ୟକାରୀ ଅଧ୍ୟକ୍ଷ ସାଥୀ ସୁରେଶ ରାଉତରାୟ, ସମ୍ପାଦକ ସାଥୀ ପ୍ରଦୀପ୍ତ ନାୟକ, କୋଷାଧ୍ୟକ୍ଷ ସାଥୀ ହରିହର ଆଚାର୍ଯ୍ୟଙ୍କ ସମେତ ୩୦ଜଣିଆ ଉପାଧ୍ୟକ୍ଷ ମଣ୍ଡଳ ଓ ୩୦ ଜଣିଆ ସମ୍ପାଦନା ମଣ୍ଡଳୀ ପ୍ରଭୃତି ଏକ ୧୦୦ ଜଣିଆ ଅଭ୍ୟର୍ଥନା ସମିତି ସମ୍ମିଳନୀକୁ ସଫଳ କରିବା ପାଇଁ ଗଠିତ ହୋଇଛି ।


