ସି.ଏଫ୍.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ କରୋନା ସଚେତନତା ସହ ପରିବା, ସାବୁନ ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାରିଗାଁ ପଞ୍ଚାୟତ ତେଲନଟି ଆଦିବାସୀ ସାହିର ପ୍ରାୟ ୨୨ଟି ପରିବାରକୁ ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ପକ୍ଷରୁ ପରିବା ଓ ସାବୁନ୍ ବଣ୍ଟନ କରାଯାଇଛି । ସଂସ୍ଥାର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି, ସଂଯୋଜକ ପ୍ରଦୀପ ଜେନା, କୋଷାଧ୍ୟକ୍ଷା ତୁଳସୀ ମହାନ୍ତି, ବିଜୁ ଯୁବବାହିନୀର ବରୁଣ ପେରେଇ ପ୍ରମୁଖ ଘର ଘର ବୁଲି ପରିବା ଓ ସାବୁନ ବାଣ୍ଟିବା ସହିତ ଲୋକ ମାନଙ୍କୁ କରୋନା ସଂକ୍ରମଣ ନହେବା ପାଇଁ ପ୍ରତିଷେଧ ମୂଳକ ପଦକ୍ଷେପ ବିଷୟରେ ସଚେତନ କରାଇଥିଲେ । ପ୍ରକାଶ ଥାଉକି, ଶନିବାର ବନ୍ତ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁ ଉକ୍ତ ସାହି ପରିଦର୍ଶନରେ ଆସି ଲୋକ ମାନେ ନିମ୍ବପତ୍ର ତୋଳୁଥିବାର ଦେଖିବାକୁ ପାଇଥିଲେ । ସେମାନଙ୍କ ସହ ଆଲୋଚନା କରି ଜାଣିବାକୁ ପାଇଥିଲେ ଯେ, ସେମାନେ ଦିନମଜୁରିଆ ଶ୍ରେଣୀର ହୋଇଥିବା ବେଳେ ଏବେ କାମଧନ୍ଦା ବନ୍ଦ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରୁନାହାନ୍ତି । ଫଳରେ ସେମାନେ ଭାତ ସହିତ ନିମ୍ବଶାଗ ଖାଉଥିବା କହିଥିଲେ । ଅତିରିକ୍ତ ତହସିଲଦାର ଏସଂପର୍କରେ ବ୍ଲକ ନୋଡାଲ ଏନ୍.ଜି.ଓ ସି.ଏଫ.ଡବ୍ଲ୍ୟୁ.ଏସ୍.ଡିର ସଂପାଦକଙ୍କୁ ଫୋନ୍ କରି ସହଯୋଗ କରିବାକୁ କହିଥିଲେ । ପରେ ଏନ୍.ଜି.ଓ ପକ୍ଷରୁ ଉକ୍ତ ସାହି ଲୋକଙ୍କୁ କରୋନା ସଚେତନତା ସହ ପନିପରିବା, ସାବୁନ ବଣ୍ଟନ କରାଯାଇଛି । ଏଥିସହ ୨୦ ଜଣ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ସରପଞ୍ଚ ବନମାଳୀ ବେହେରା କହିଛନ୍ତି ।