ସି.ଏ.ଏ. ଓ ଏନ୍ପିଆର୍ ବିରୋଧରେ ଆନ୍ଦୋଳନ ଜୋରଦାର ହେବ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ)-କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ସରକାରଙ୍କ ଦ୍ୱାରା ପ୍ରଣିତ ନାଗରିକତା ସଂଶୋଧନ ଆଇନ୍, ଜାତୀୟ ଜନସଂଖ୍ୟା ପଞ୍ଜିକା ଓ ପ୍ରସ୍ତାବିତ ଜାତୀୟ ନାଗରିକ ପଞ୍ଜିକାକୁ ନେଇ ସମଗ୍ର ଦେଶରେ ଭୟ ଆତଙ୍କ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିବାବେଳେ ଏ ସଂପର୍କରେ ଜନଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ନିମନ୍ତେ ଏକ ପ୍ରସ୍ତୃତି ସଭା ସ୍ଥାନୀୟ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ମନ୍ତ୍ରୀ ଜନନେତା ଗଣେଶ୍ୱର ବେହେରାଙ୍କ ସଭାପତିତ୍ୱରେ “ ଆମେ ଭାରତ ବାସୀ” ଆନୁକୁଲ୍ୟରେ ଗତ ରବିବାର ଅପରାହ୍ନରେ ଅନୁଷ୍ଠିତ ପ୍ରସ୍ତୃତି ସଭାରେ ଅବସରପ୍ରାପ୍ତ ବିଚାରପତି କୁଞ୍ଜବିହାରୀ ସାହୁ, ଡା. ବିଶ୍ୱ ପ୍ରକାଶ କାନୁନ୍ଗୋ, ବରିଷ୍ଠ ଆଇନ୍ଜିବୀ ଉମେଶ ଚନ୍ଦ୍ର ସିଂ, ପ୍ରଭାତ ଅଧିକାରୀ, ମହମ୍ମଦ ଆକବର ଅଲ୍ଲୀ, ରମଣୀ ରଞ୍ଜନ ରାଉତରାୟ, ବାବାଜୀ ଧଳ, ଶିକ୍ଷକ ନେତା କାଳୀ ପ୍ରସାଦ ନାୟକ, ଜଗତ୍ଜୀବନ ଦାସ, ଅବନ୍ତୀ ବେହେରା, ମୁକ୍ତାର ଖାଁ, ନିରଞ୍ଜନ ପରିଡା, ମହମ୍ମଦ ମୁସ୍ତାକ୍, ମହମ୍ମଦ ଲିଆକତ୍ ଅଲ୍ଲୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଆଲୋଚନା କରି ଦେଶରେ ଆସ୍ଥା ଓ ବିଶ୍ୱାସର ପରିବେଶ ସୃଷ୍ଟି କରିବା ନିମନ୍ତେ କେନ୍ଦ୍ର ସରକାର ଯଥାଶୀଘ୍ର ଏପରି ଅସାମ୍ବିଧାନିକ ଆଇନ୍ର ପ୍ରତ୍ୟାହାର କରିନେବାପାଇଁ ଦାବି କରିଥିଲେ । ଦେଶରେ ଏକାଧିକ ରାଜ୍ୟ ସରକାର ସିଏଏ ଓ ଏମ୍ପିଆର୍କୁ ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ ନକରିବାକୁ ବିଧାନସଭାରେ ଆଇନ୍ ପାଳିତ କରିସାରିଥିବା କାରଣରୁ ଓଡିଶା ସରକାର ତୁରନ୍ତ ବିଧାନସଭାରେ ଏ ସଂପର୍କିତ ବିଧେୟକ ପାଳିତ କରିବାକୁ ମଧ୍ୟ ଦାବି କରାଯାଇଥିଲା । କିନ୍ତୁ ଏଥିପାଇଁ ଜନଜାଗରଣ ମାଧ୍ୟମରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଆସନ୍ତା ମାର୍ଚ୍ଚ ୭ ତାରିଖରେ ଟାଉନ୍ ହଲ୍ ପରିସରରେ ଏକ ଜିଲ୍ଲାସ୍ତରୀୟ ସେମିନାରର ଆୟୋଜନ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ନିଷ୍ପତି ଗ୍ରହଣ କରାଗଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ ଆଦିକନ୍ଦ ରାଉଳ, ଗୟାଧର ଧଳ ଓ ମୁକ୍ତାର ଖାଁଙ୍କୁ ନେଇ ଏକ ତିନିଜଣିଆ ଆବାହକ ମଣ୍ଡଳୀ ଓ ୧୫ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଶେଷରେ ଭାଗିରଥି ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।