ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢିଚାଲିଛି ମାଫିଆରାଜ
ସାରସକଣା,(ଭଗୀରଥ ମହାନ୍ତ): ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ବଢ଼ିଚାଲିଛି କଳା ବେପାରୀଙ୍କ ଆତଙ୍କରାଜ । କେବେ ବାଲିତ କେବେ କୋଇଲା ପୁଣି ଆଉକେବେ ଲୁହା ଛୋଡ । ସରକାରଙ୍କ ନିୟମ ଅନୁଯାୟୀ ଏବେ ସମସ୍ତ ବାଲିଘାଟ ବନ୍ଦ ରହିଥିବା ବେଳେ ଦିନ ହେଉ ବା ରାତି ନିର୍ଦ୍ୱନ୍ଦ୍ୱରେ ଖଣିଜ ସମ୍ପଦକୁ ଲୁଟ କରିଚାଲିଛନ୍ତି ଅଞ୍ଚଳର ମାଫିଆମନେ । ଅଞ୍ଚଳରେ ଥିବା ସରକାରୀ ହେଉବା ବେସରକାରୀ ବାଲି ଘାଟରୁ ପ୍ରତିଦିନ ସହ ସହ ବାଲି ଟ୍ରିପ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି । ଉଦାହରଣ ସ୍ୱରୂପ ଅଞ୍ଚଳରେ ଥିବା ଜାମଶଳା ଏବଂ ଶୀର୍ଷା ସ୍ଥିତ ବଙ୍ଗଳା ଘାଟରୁ ଦିବାର ସୂର୍ଯ୍ୟା ଲୋକରେ ହେଉ ବା ରାତ୍ରି ସମୟରେ ନିର୍ଦ୍ୱନ୍ଦ୍ୱରେ ସହ ସହ ବାଲିଟ୍ରିପ ଚୋରି ଚାଲାଣ ହେଉଥିବା ବେଳେ ସରକାରୀ ବାବୁଙ୍କ ନାକ ତଳଦେଇ ଗାଡ଼ି ଯାଉଥିଲେ ସୁଦ୍ଧା କେମିତି ଜାଣିପାରୁନାହାନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି । ଅନ୍ୟପଟେ ଅଞ୍ଚଳରେ ଥିବା କିଛି ତଳ ସ୍ତରୀୟ ସରକାରୀ କର୍ମଚାରି ମାଫିଆ ମାନଙ୍କ ଗାଡିକୁ ଧରି ୨-୩ ହଜାରରେ ଡିଲ କରି ଗାଡିକୁ ଛାଡିଦେଉଥିବାର ଚର୍ଚ୍ଚା ଅଞ୍ଚଳରେ ଯୋର ଧରିଛି । ପୁଣି ଅନ୍ୟପଟେ ଚୋରି କୋଇଲା ସହିତ ଚୋରି ଲୁହା ଛୋଡର ମାଫିଆ ରାଜ ମଧ୍ୟ ବଢ଼ି ବଢ଼ି ଚାଲିଛି । ଅଞ୍ଚଳର ବୁଦ୍ଧିଜୀବୀମାନେ ଏବାବଦରେ ସରକାରୀ କର୍ମଚାରୀମାନଙ୍କୁ ଯଦି ଅବଗତ କରୁଛନ୍ତି ତାହାଲେ ସଙ୍ଗେ ସଙ୍ଗେ ସରକାରୀ ବାବୁମାନେ ମାଫିଆ ମାନଙ୍କୁ ଜଣେଇ ଦେଉଥିବା କଥା ଅଞ୍ଚଳର ବିଦ୍ଧିଜୀବୀମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି । ଯଦି ସାମ୍ବାଦିକମାନେ ଏବାବଦରେ ଖବର ପ୍ରସାରଣ କରିବାକୁ ଯାଇ ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରୁଛନ୍ତି ତାହାଲେ ମାଫିଆମାନେ ସାମ୍ବାଦିକ ମାନଙ୍କୁ ଧମକ ଚମକ ଦେଉଥିବା ଏକ ସାଧାରଣ କଥା ପାଲଟି ଗଲାଣି । ଏହି ସବୁ ଘଟଣାର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ଅନ୍ୟପଟେ ମାଫିଆ ମାନେ କହୁଛନ୍ତି ଆମେ ସରକାରୀ ଦଳର କର୍ମୀ ଆମର କିଏ କଣ ତାଡି ପାରିବ । ଯଦି ଏହିସବୁ ସମସ୍ୟାର ସମାଧାନ ଯଥା ଶୀଘ୍ର ନହୁଏ , କଳା ବେପେରୀଙ୍କ କଳା ସମ୍ରାଜ୍ୟକୁ ଭାଙ୍ଗି ଚୁରମାର କରାନଯାଏ ତାହାଲେ ଆଗାମୀ ଦିନରେ ବଡ଼ ଧରଣର ଜନ ଆନ୍ଦୋଳନ ଉପୁଜିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।