ସୀମାନ୍ତରେ ଗୁଳିମାଡ
ପହଲଗାଁଓରେ ୨୬ଜଣ ପର୍ଯ୍ୟଯକଙ୍କୁ ଆତଙ୍କବାଦୀଙ୍କ ହତ୍ୟା ଘଟଣା ଏବଂ ଭାରତର ‘ଅପରେସନ ସିନ୍ଦୂର’ ପରେ ଦୁଇ ପଡୋଶୀ ଭାରତ ଓ ପାକିସା୍ଥନ ମଧ୍ୟରେ ଉତେଜନା ବୃଦ୍ଧି ପାଉଥିବାବେଳେ ଜାମ୍ମୁ-କାଶ୍ମୀରର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଓସି) ସୀମାନ୍ତ ଗ୍ରାମଗୁଡିକ ଉପରେ ପାକିସ୍ଥାନୀ ସେନାର ଆଖିବୁଜା ଗୁଳିମାଡ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୨୦ରୁ ଉର୍ଦ୍ଧ୍ୱ ନିରୀହ ଲୋକଙ୍କ ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। କେବଳ ପୁଂଚ ସେକ୍ଟରରେ ୧୩ଜଣ ନିରୀହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମୋର୍ଟାର ଓ ଗୁଳି ମାଡରେ ବହୁ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଭାରତର ‘ଅପରେସନ ସିନ୍ଦୂର’ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପ୍ରତିହିଂସା ପରାୟଣ ହୋଇ ପାକିସ୍ଥାନ ୨୦୨୧ର ଅସ୍ତ୍ରବିରତି ରାଜିନାମାକୁ ଉଲଂଘନ କରି ବାରମ୍ବାର ସୀମାନ୍ତ ଗ୍ରାମଗୁଡିକ ଉପରେ ମୋର୍ଟାର ଓ ଗୁଳିମାଡ ଜାରି ରଖିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୪ଦିନ ମଧ୍ୟରେ ପୁଂଚ, ରାଜୌରୀ, ଜାମ୍ମୁ, ବାରମୂଳା ସେକ୍ଟରରେ ପାକିସ୍ଥାନ ପଟୁ ହୋଇଥିବା ଗୁଳି ମାଡରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ସମେତ ୨୦ଜଣଙ୍କର ମଅତୁୃ ଘଟିଛି। ଏହା କୁହାଯାଇପାରେ ଯେ, ଗଲା କଛି ଦିନ ଧରି ପାକିସ୍ଥାନ କେବଳ ଗ୍ରାମଗୁଡିକୁ ଟାର୍ଗେଟ କରିଆସୁଥିବାବେଳେ ଭାରତୀୟ ଯବାନ କେବଳ ଆତଙ୍କବାଦୀଙ୍କ ଆଡ୍ଡାକୁ ନିଶାଣ କରିଛନ୍ତି। ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ଜଣେ ହେଲେ ପାକିସ୍ଥାନୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପାକିସ୍ଥାନର ରକେଟର ମାଡରେ ଉଦ୍ଧମପୁରରେ ଜଣେ ଭାରତୀୟ ଯବାନ ସହିଦ୍ ହୋଇଛନ୍ତି। କେବଳ ଏତିକି ନୁହେଁ, ‘ଅପରେସନ ସିନ୍ଦୂର’ରେ ପାକିସ୍ଥାନ ଏତେ ଭୟଭିତ, ଆତଙ୍କିତ ହୋିପଡିଛି ଯେ, ଏବେ ମିଛ ଓ ମନଗଢା ଖବର ପରିବେଶଣର ଆଶ୍ରୟ ନେଇଛି। ସାମାଜିକ ଗଣମାଧ୍ୟମରେ ମିଥ୍ୟା, ବିଭ୍ରାନ୍ତିକର ଏବଂ ମନଗଢା ସମ୍ବାଦ ପରିବେଷଣ କରିବାରେ ଲାଗିଛି। ମିଥ୍ୟା ଖବର ପରିବେଷଣ କରୁଥିବା ୮୦୦୦ରୁ ଉର୍ଦ୍ଧ୍ୱ ଆକାଉଂଟକୁ ବନ୍ଦ କରିଦେବା ପାଇଁ ଭାରତ ‘ଏକ୍ସ’କୁ ନିର୍ଦ୍ଦେଶ ଦେଇଥିବାବେଳେ ବଙ୍ଗଳାଦେଶର ୪ଟି ଚ୍ୟାନେଲକୁ ନିଷିଦ୍ଧ ଘୋଷଣା କରିଛି। ଏହା ନିସନ୍ଦେହ ଯେ, ସାମାଜିକ ଗଣମାଧ୍ୟମ ସାମ୍ପ୍ରତିକ ସମୟରେ ବିଶ୍ୱରେ ଏକ ଶକ୍ତିଶାଳୀ ଏବଂ କ୍ଷିପ୍ତ ସଂକେତ ପରିବେଶଣର ମାଧ୍ୟମ ପାଲଟିଥିବାବେଳେ ଜନମତକୁ ବିଭ୍ରାନ୍ତ ଏବଂ କମ ସମୟରେ ଉତେଜନା ସୃଷ୍ଟି କରିବାରେ ମାଧ୍ୟମ ପାଲଟିଛି। ସାମାଜିକ ଗଣମାଧ୍ୟମ ଗୁଜବ ପ୍ରଚାର କରିବାରେ ଏବେ ମାଧ୍ୟମ ପାଲଟିଛି। ଏହାକୁ ପ୍ରତିହତ କରିବା ପାଇଁ ଭାରତ ସରକାର ସବୁ ମତେ ପ୍ରୟାସ ଜାରି ରଖିଥିବାବେଳେ ଯୁଦ୍ଧ ବା ଉତେଜନା ସଂକ୍ରାନ୍ତ ସମ୍ବାଦ ପରିବେଷଣ କରିବା କ୍ଷେତ୍ରରେ ସଂଜମତା ରକ୍ଷା କରିବା ପାଇଁ ଗଣମାଧ୍ୟମ ପାଇଁ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହା ସତ୍ୟ ଯେ, ପାକିସ୍ଥାନ ମାଟିରେ ସକ୍ରୀୟ ଥିବା ଆତଙ୍କବାଦୀ ଗୋଷ୍ଠୀଗୁଡିକ ଉପରେ ଭାରତର ସାମାଜିକ କାର୍ଯ୍ୟାନୁଷ୍ଠାନରେ କେବଳ ଆତଙ୍କବାଦୀ ନୁହଁନ୍ତି, ପାକିସ୍ଥାନ ମଧ୍ୟ ଥରହର ହୋଇପଡିଛି। ତେଣୁ ପାକିସ୍ଥାନ ସମ୍ଭବତଃ ଭାରତ ଓ ଭାରତୀୟ ଯବାନଙ୍କ ମନୋବଳ ଭାଙ୍ଗିବା ପାଇଁ ଏବେ ସାମାଜିକ ଗଣମାଧ୍ୟମର ସାହାରା ନେଇ ମିଥ୍ୟା, ମନଗଢା ଏବଂ ଉଦ୍ଦେଶ୍ୟମୂଳକ ସମ୍ବାଦ ପରିବେଶଣ ସାହାରା ନେଇଥିବା ମନେହୁଏ। କିନ୍ତୁ ଏହା ନିସନ୍ଦେହ ଯେ, ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ଥିବା ନେଇ ଏକ ବଳିଷ୍ଠ ସନ୍ଦେଶ ପାକିସ୍ଥାନକୁ ଦେଇଛି। ସୀମାନ୍ତ ଅଂଚଳରେ ପାକିସ୍ଥାନର ମୋର୍ଟାର ଏବଂ ଗୁଳିମାଡରୁ ପୁଂଚ, ରାଜୌରୀ, ଉରୀ, ବାରମୂଳା, ଜାମୁ ଆଦି ସେକ୍ଟରରେ ଗ୍ରାମବାସୀଙ୍କ ନିରାପତାକୁ ସୁନିଶ୍ଚିତ କରିବା ସାମ୍ପ୍ରତିକ ସମୟରେ ସବୁଠାରୁ ଜୁରୁରୀ ଆବଶ୍ୟକତା ଏହା ନିସନ୍ଦେହରେ କୁହାଯାଇପାରିବ। କେନ୍ଦ୍ରଶାସିତ ଅଂଚଳର ଆଇନଶୃଙ୍ଖଳା ଓ ଆଭ୍ୟନ୍ତ୍ରରୀଣ ନିରାପତା କେନ୍ଦ୍ର ସରକାରଙ୍କ ହାତରେ ଥିବାବେଳେ ନିରାପତା ଦୃଷ୍ଟିରୁ ସୀମାନବାସୀଙ୍କୁ ସାମୟିକ ଭାବେ ନିରାପଦ ସ୍ଥାନକୁ ଅଗ୍ରାଧିକାର ଭିତିରେ ସ୍ଥାନାନ୍ତର କରାଯିବା ଜରୁରୀ। ଅବଶ୍ୟ ଜାମ୍ମୁ-କାଶ୍ମୀ ସରକାରଙ୍କ ସହଯୋଗରେ ସୀମାନ୍ତ ଲୋକମାନଙ୍କୁ ସ୍ଥାନାନ୍ତର ଓ ଥଇଥାନ ପ୍ରକ୍ରିୟା ଜାରି ରହିଛି। ଅବଶ୍ୟ ରକ୍ତ ଚାଉଳ ଚୋବାଇବା ଭଳି ପାକିସ୍ଥାନ କେବଳ ସୀମାନ୍ତ ଗ୍ରାମ ନୁହେଁ, ଧର୍ମ ପୀଠ, ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନକୁ ନିଶାଣ କରିଛି। ଭାରତୀୟ ଯବାନଙ୍କ ତତ୍ପରତା ଏବଂ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ଥାନ ପ୍ରୟାସକୁ ବ୍ୟର୍ଥ କରିଦେଇଛି। ‘ଅପରେସନ ସିନ୍ଦୂର’ ନେଇ ଦେଶବ୍ୟାପୀ ମହା ଆନନ୍ଦର ଲହରୀ ସୃଷ୍ଟି ହୋଇଥିବା ସମୟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଦେଶର ସଶସ୍ତ୍ର ବାହିନୀର ଆଖି ଓ କାନ ଭାବେ କାର୍ଯ୍ୟ କରୁଥିବା ହତଭାଗ୍ୟ ସୀମାନ୍ତ ଗ୍ରାମବାସୀଙ୍କ ଜୀବନ ଓ ସମ୍ପତି ସୁରକ୍ଷିତ ରଖିବା ପାଇଁ ସରକାର ଅଗ୍ରାଧିକାର ଦେବା ଜରୁରୀ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୭୯୭୮୬୬୬୪୦୩