ସୀମାନ୍ତ ମହାବିଦ୍ୟାଳୟରେ ଓଡ଼ିଆ ଓ ଇଂରାଜୀ ବିଭାଗର ବାର୍ଷିକ ପାଠ ଚକ୍ର ଅନୁଷ୍ଠିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୁରଭଞ୍ଜ ଜିଲ୍ଲାର ଝାରପୋଖରୀଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ବାର୍ଷିକ ପାଠଚକ୍ର ବିଭାଗୀୟ ମୁଖ୍ୟ ପ୍ରାଚୀପ୍ରଭା ପଢ଼ିଆରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୧ ୩୦ ରେ ଆରମ୍ଭ ହୋଇଥିବା ଇଂରାଜୀ ବିଭାଗର ପାଠଚକ୍ରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୋତ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ପୂର୍ବତନ ଅଧ୍ୟକ୍ଷ ଡଃ ବୁଦ୍ଧଦେବ କର ବିଶାରଦ ଭାବେ ଯୋଗ ଦେଇ”ଭାରତର ସ୍ଵାଧୀନତା ଆନ୍ଦୋଳନରେ ସାହିତ୍ୟର ଭୂମିକା ” ଉପରେ ବକ୍ତବ୍ୟ ରଖିଥିଲେ।ଉଭୟ ଇଂରାଜୀ ସାହିତ୍ୟର ବିଶାରଦ ଡଃ ବୁଦ୍ଧଦେବ କର ଓ ବିଭାଗୀୟ ମୁଖ୍ୟ ବରିଷ୍ଠ ଅଧ୍ୟାପିକା ପ୍ରାଚୀ ପ୍ରଭା ପଢ଼ିଆରୀ ଓଡ଼ିଶାର ସ୍ଵାଧୀନତା ଆନ୍ଦୋଳନରେ ସାହିତ୍ୟ ମାଧ୍ୟମରେ କିପରି ଜନ ମାନସରେ ଦେଶପ୍ରେମର ବହ୍ନି ବିପ୍ଳବୀ କବି ଓ ସାହିତ୍ୟିକ ମାନେ ପ୍ରଜ୍ଜଳିତ କରିଥିଲେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବିସ୍ତୃତ ଭାବେ ବୁଝେଇବା ସହିତ ଦେଶପ୍ରେମ ସାହିତ୍ୟର ଅନ୍ୟତମ ପ୍ରମୁଖ ଅଙ୍ଗ ବୋଲି ମୁଖ୍ୟ ବକ୍ତା ଡଃ କର ତାଙ୍କ ସ୍ଵଭାବ ସୁଲ୍ଲଭ ଶୈଳୀରେ ଯୁକ୍ତି ଉପସ୍ଥାପନ କରିଥିଲେ। ଅଧ୍ୟାପିକା ସ୍ୱେତା ସିଂହ ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ମଞ୍ଚ ପରିଚାଳନା ଓ ବିଷୟ ବସ୍ତୁର ପ୍ରାସଙ୍ଗିକତା ଉପରେ ବିଭାଗୀୟ ମୁଖ୍ୟ ପ୍ରାଚୀପ୍ରଭା ପଢିଆରୀ ସୂଚନା ପ୍ରଦାନ କରିଥିଲେ।ଅଧ୍ୟାପିକା ସୋନାଲି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଓଡ଼ିଆ ବିଭାଗରେ ଅପରାହ୍ନ ୨ ୩୦ ମିନିଟରେ ଅନୁଷ୍ଠିତ ପାଠଚକ୍ରରେ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଥୋମାସ ମାରାଣ୍ଡି ଅଧ୍ୟକ୍ଷତା କରିଥିବାବେଳେ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ମୁଖ୍ୟ ଅତିଥି,ପ୍ରାଧ୍ୟାପକ ଅନିଲ କୁମାର ଝା ସମ୍ମାନିତ ଅତିଥି ଓ ବିଶାରଦ ଭାବେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ଯୋଗଦେଇ “ଓଡ଼ିଆ ଗଳ୍ପରେ ମାନବେତର ଚରିତ୍ର”(ଅର୍ଥାତ୍ ମଣିଷ ବ୍ୟତୀତ ଅନ୍ୟ ଇତର ପ୍ରାଣୀଙ୍କୁ ନେଇ ରଚିତ ଗଳ୍ପ) ଉପରେ ବିସ୍ତୃତ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସ୍ୱପ୍ନେଶ୍ୱରି ମୁର୍ମୁ,ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ,ଅଧ୍ୟାପକ ବିନୋଦ କୁମାର ମହାପାତ୍ର ମଞ୍ଚାସିନ
ଥିଲେ।ଛାତ୍ରୀ ସୁଶ୍ରୀ ଆନିସା ସାହୁ ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ଅତିଥି ପରିଚୟ ଓ ବିଷୟ ବସ୍ତୁର ପ୍ରାସଙ୍ଗିକତା ଉପରେ ସୂଚନା ପ୍ରଦାନ କରିଥିଲେ।ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଥୋମାସ ମାରାଣ୍ଡି ମଞ୍ଚ ପରିଚାଳନା କରିବା ସହିତ ଓଡ଼ିଆ ବିଭାଗ ତରଫରୁ ମୁଖ୍ୟ ବକ୍ତାଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।ଛାତ୍ରୀ ଜାନି ନାଏକ, ଲୀତା ନାଏକ,ମଧୁସ୍ମିତା ଗୋଚ୍ଛାୟତ, ଆନିଶା ସାହୁ ଓଡ଼ିଆ ଗଳ୍ପ ସାହିତ୍ୟ ଉପରେ ସ୍ବରଚିତ ନିବନ୍ଧ ପାଠ କରିଥିଲେ।ପ୍ରବନ୍ଧ ଓ ଏହାର ମାର୍ଗ ଦର୍ଶକ ମାନଙ୍କୁ ଅତିଥି ଉଚ୍ଚ ପ୍ରଶଂସା କରିଥିଲେ।ଅଧ୍ୟାପକ ନିହାର ରଞ୍ଜନ ମହାନ୍ତ, ଡଃ ସଦାଶିବ ଗୋଚ୍ଛାୟତ,ଅଜୟ କୁମାର ପରିଡ଼ା ,ବିଶ୍ୱଜିତ୍ ମହାନ୍ତି,କନିଷ୍ଠ କିରାଣି ନୀରୋଜ ରଞ୍ଜନ ମହାନ୍ତ ତଥା +୩ ଇଂରାଜୀ ଓ ଓଡ଼ିଆ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।ଶେଷରେ ଅଧ୍ୟାପିକା ସ୍ୱପ୍ବେଶ୍ୱରି ମୁର୍ମୁ ଧନ୍ୟବାଦ ଅର୍ପଣ ପୂର୍ବକ ସମସ୍ତ ବିଭାଗର ଛାତ୍ର ଛାତ୍ରୀ,ବିଶାରଦ ଓ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।


