ସୀମାସିଲ୍ ସତ୍ୱେ ଆନ୍ଧ୍ର ଓଡିଶାରେ ମାଲିକାନା ଜାହିର ରଖିଛି

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଆନ୍ଧ୍ର ସୀମାନ୍ତରେ ଥିବା ଓଡିଶାର ନଦୀ, ପାହାଡ, ରାସ୍ତାଘାଟ ଆଦି ଅଞ୍ଚଳରେ ଆନ୍ଧ୍ର ସରକାର ମାଲିକାନା ଜାହିର କରୁଥିବା ବହୁ ନଜିର ରହିଛି । ବର୍ତ୍ତମାନ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍ ଓ ଆନ୍ଧ୍ର ସୀମାକୁ ଓଡିଶାର ଗଜପତି ପ୍ରଶାସନ ସିଲ୍ କରି ରଖିଥିଲେ ସୁଦ୍ଧା ଆନ୍ଧ୍ର ଆଇନ ଉଲଂଘନ କରି ଓଡିଶାରେ ମାଲିକାନା ଜାହିର କରିଛି । ଘଟଣାରୁ ପ୍ରକାଶ, ଓଡିଶାର ଗଜପତି ଜିଲ୍ଲାର ପୋଡଶୀ ଆନ୍ଧ୍ରର ପୁରୁଣାପାଟଣା ମଣ୍ଡଳରେ କରୋନା ପଜିଟିଭ୍ ଯୋଗୁଁ ଗଜପତି ପ୍ରଶାସନ ତରଫରୁ ଆନ୍ଧ୍ର-ଓଡିଶା ସୀମାନ୍ତର ଅନେକ ପଥକୁ ସିଲ୍ କରିଦିଆଯାଇଛି । ସେଥି ମଧ୍ୟରୁ କାଶୀନଗର ବ୍ଲକର ମିନିଗାଁ ଏଫସିଆଇ ଗୋଦାମ ନିକଟରେ ଥିବା ରାସ୍ତା ଦେଇ ଆନ୍ଧ୍ରରୁ ବେଆଇନ ପ୍ରବେଶକୁ ରୋକ୍ ଲଗାଯାଇଛି । ଏଠାରେ ଏହି ଆନ୍ତଃରାଜ୍ୟ ରାସ୍ତାକୁ ୨ମିଟର ଗଭୀରର ଟ୍ରେଞ୍ଚ ଖୋଳି ମାଟି କାନ୍ଥ ଉଠାଇ ସିମାକୁ ସିଲ୍ କରାଯାଇଛି । ଏହି ଆନ୍ତଃରାଜ୍ୟ ରାସ୍ତା ଅଞ୍ଚଳଟି ଓଡିଶାର ଅଟେ । ପାରଳାଖେମୁଣ୍ଡି ବନ ମଣ୍ଡଳର କୁରୁଲଣ୍ଡା ରିଜର୍ଭ ଫରେଷ୍ଟ ମଧ୍ୟରେ ଏହା ରହିଛି । ଏ ସମସ୍ତର ପ୍ରମାଣ ଓଡିଶାର ଗଜପତି ରାଜସ୍ୱ ଓ ବନ ବିଭାଗ ମାନଚିତ୍ରରେ ରହିଛି । ତଥାପି ଆନ୍ଧ୍ର ଏହି ଅଞ୍ଚଳ ନିଜର ବୋଲି ଦାବୀ କରିଛି । ଏହି ଅଞ୍ଚଳରେ ଆନ୍ଧ୍ର ଏକ ଫଳକ ଲଗାଇ ନିଜର ବୋଲି ମାଲିକାନା ଜାହିର କରିଥିବା ଦେଖା ଦେବା ସହ ଏହି ଅଞ୍ଚଳକୁ ଆନ୍ଧ୍ର ନିଜର ବୋଲି ଯୁକ୍ତି ଦର୍ଶାଇ ଚାଲିଛି । ଏ ନେଇ କେତେକ ମିଥ୍ୟା ପ୍ରଚାର ହେବା ପରେ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ନିର୍ଦ୍ଦେଶକ୍ରମେ କାଶୀନଗର ତହସିଲଦାର ଶାନ୍ତି ସ୍ୱରୁପା ମିଶ୍ର ଘଟଣା ସ୍ଥଳ ଅନୁଧ୍ୟାନ କରି ଓଡିଶାର ମାନଚିତ୍ରର ସ୍ପଷ୍ଟ ସୁଚନା ଅନୁଯାୟୀ ସମସ୍ତ ତଥ୍ୟକୁ ଭିତ୍ତି କରି ଏହି ଅଞ୍ଚଳଟି ଓଡିଶାର ବୋଲି ସ୍ପଷ୍ଟ ଭାବେ ଜଣାଇଛନ୍ତି । ଓଡିଶାରେ ଆନ୍ଧ୍ରର ଏଭଳି ବେଆଇନ ମାଲିକାନା ଜାହିର ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଆନ୍ଧ୍ର ସମସ୍ତ ନୀତି ନିୟମକୁ ଉଲଂଘନ କରି ଉଦ୍ଦେଶ୍ୟ ମୁଳକ ଭାବେ ଏଭଳି ବେଦଖଲ କାର୍ଯ୍ୟ କରୁଥିବାରୁ ପ୍ରଶାସନ ଏହା ବିରୁଦ୍ଧରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ