ସୀମା ଉପରେ ନଜର ରଖିବ ଜିସାଟ୍‌-୧, ୧୨ରେ ଉ‌ତ୍‌କ୍ଷେପଣ

ନୂଆଦିଲ୍ଲୀ, (ୱାଇଏନ୍‌ଏସ୍‌) : ଅତ୍ୟାଧୁନିକ ଭୂଚିତ୍ର ଉତ୍ତୋଳନକାରୀ ଉପଗ୍ରହ (ଜିଓ-ଇମେଜିଂ ସାଟେଲାଇଟ୍‌) ଜିସାଟ୍‌-୧ ଉତ୍‌କ୍ଷେପଣ ଆସନ୍ତା ୧୨ ତାରିଖରେ ହେବାକୁ ଯାଉଛି , ଯାହା ପାକିସ୍ତାନ ଓ ଚୀନ୍ ସୀମା ଉପରେ ନଜର ରଖିପାରିବ। ଶ୍ରୀହରିକୋଟାଠାରେ ଅଗଷ୍ଟ ୧୨ ତାରିଖ ପ୍ରାତଃ ୫ଟା ୪୩ ସମୟରେ ଏହା ଉ‌ତ୍‌କ୍ଷେପଣ ହେବାକୁ ଯାଉଛି। ଇସ୍ରୋର ଜିଏସ୍‌ଏଲ୍‌ଭି-ଏଫ୍‌ଆଇଓ ରକେଟ୍ ଶେଷରେ ୨,୨୬୮ କେଜି ଓଜନବିଶିଷ୍ଟ ଜିସାଟ୍‌-୧ (କୋଡ୍‌ ନାମ ଇଓଏସ୍-୩)କୁ ଭୂ-କକ୍ଷପଥରେ ସ୍ଥାପନ କରିବ। ଚଳିତବର୍ଷ ଏହା ଭାରତର ପ୍ରଥମ ମୌଳିକ ଉପଗ୍ରହ ଉତ୍‌କ୍ଷେପଣ ହେବ। ଫେବୃୟାରୀ ୨୮ ତାରିଖରେ ଇସ୍ରୋ କେତେକ ଦେଶୀ ଉପଗ୍ରହ ସମେତ ୧୮ଟି ଛୋଟ ଛୋଟ ଉପଗ୍ରହ ଲଞ୍ଚ କରିଥିଲା। ତା’ ସହ ବ୍ରାଜିଲର ମୌଳିକ ଉପଗ୍ରହ ଆମାଜନିଆ-୧କୁ ବି ଉତ୍‌‌କ୍ଷେପଣ କରିଥିଲା। ପୃଥିବୀପୃଷ୍ଠରୁ ୩୬,୦୦୦ କିମି ଉପରେ ଭୂସ୍ଥିର-କକ୍ଷପଥରେ ସ୍ଥାପିତ ହେଲାପରେ ଭାରତର ଏହି ଉନ୍ନତ ‘ଆଇ ଇନ୍ ଦ ସ୍କାଇ’ ନିରବଚ୍ଛିନ୍ନ ଭାବରେ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନଜର ରଖିପାରିବ। ପୃଥିବୀ ଯେତିକି ବେଗରେ ବୁଲୁଛି ଏହା ଠିକ୍ ସେତିକି ବେଗରେ ବୁଲିବ। ତେଣୁ ଏହା ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥିର ରହିବା ପରି ଜଣାପଡ଼ିବ ଏବଂ ପୃଥିବୀର ନିର୍ଦ୍ଦିଷ୍ଟ ବିରାଟ ଅଞ୍ଚଳ ଉପରେ ସର୍ବଦା ନଜର ରଖିପାରିବ। ଏହା ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସାହାଯ୍ୟ କରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ