ସୀମା ବିବାଦକୁ ନେଇ ଦୁଇ ଗାଁ ଭିତରେ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ମୋଟରାଗଡିଆ ସ୍କୁଲ ସୀମାକୁ ନେଇ ମୋଟରାଗଡିଆ ଓ ଧରମପୁର ଦୁଇ ଗାଁ ଭିତରେ ବିବାଦ ଦେଖା ଦେଇଛି । ମୋଟରାଗାଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୃହଟି ଦୀର୍ଘବର୍ଷ ହେବ ମୋଟରାଗଡିଆ ଗାଁ ନିକଟରେ ୧୯୭୨ ମସିହାରୁ ସ୍ଥାପିତ ହୋଇଥିବାବେଳେ ଏଥିରେ ମୋଟରାଗଡିଆ, ଧରମପୁର, ତେନ୍ତୁଲିପଦି ଆଦି ତିନୋଟି ଗ୍ରାମର ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିଥାନ୍ତି । ପୁର୍ବରୁ ଏହାର ସ୍କୁଲ ପରିସୀମାକୁ ବାଉଁଶ କଣିରେ ବାଡ ବୁଝାଯାଇ ଥିବାବେଳେ ଏବେ ତାହାକୁ ତାରଜାଲି ଘେରାଉ କରିବାକୁ ନିଷ୍ପତି ନିଆଯାଇଥିଲା । ସେହି ଅନୁସାରେ ସିମେଣ୍ଟ ଖୁଣ୍ଟି ପକାଯାଇ ତାରଜାଲି ଘେରାଉ କରିବା ବେଳେ ଧରମପୁର ଗ୍ରାମର କିଛି ମହିଳା ଆସି ଏହାକୁ ଉପାଡି ଦେବା ସହ ଏହା ଧରମପୁର ଗାଁ ସୀମାରେ ତେଣୁ ତୁମେ ବାଡ କରିପାରିବ ନାହିଁ ବୋଲି ମନା କରିଦେଇଥିଲେ । ପରେ ଧରମପୁର ଗାଁର ଆଉ କିଛି ଲୋକ ଆସି ପାଟିତୁଣ୍ଡ କରିବାରୁ ଦୁଇ ପକ୍ଷର ଗ୍ରାମବାସୀଙ୍କ ଭିତରେ ପାଟୁତୁଣ୍ଡ ହେବା ସହ ହାତାହାତି ହୋଇଥିଲା । ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ଭିତରେ ଉତ୍ତେଜନା ଲାଗି ରହିଛି । ମୋଟରାଗଡିଆ ଗ୍ରାମବାସୀଙ୍କ କହିବାକଥା ଯେ ସ୍କୁଲ ସରକାରଙ୍କର ଓ ଯେଉଁ ସ୍ଥାନରେ ସ୍କୁଲ ହୋଇଛି ତାହା ମଧ୍ୟ ସରକାରୀ ଯାଗା ତେଣୁ ଅସୁବିଧା ରହିଲା କେଉଁଠି ବୋଲି କହିଛନ୍ତି ।


