ସୀମା ବିବାଦର ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ୱାଇଏନ୍‍ଏସ୍‍): ଓଡ଼ିଶାର ପଡ଼ୋଶୀ ରାଜ୍ୟ ସହିତ ସୀମା ବିବାଦ ପ୍ରସଙ୍ଗରେ ଆଜି ସମାଜବାଦୀ ପାର୍ଟିର ଏକ ଦୁଇଜଣିଆ ପ୍ରତିନିଧି ଦଳ ‘ପାର୍ଟି’ର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ କରି ଏକ ତିନିଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହିତ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସ୍ଥାୟୀ ସମାଧାନ ଦାବି କରିଛନ୍ତି । ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଦିଆଯାଇଥିବା ଏହି ସ୍ମାରକପତ୍ରର କୁହାଯାଇଛି ଯେ, ଓଡ଼ିଶାର ପାଖାପାଖି ୧୪ଟି ଜିଲ୍ଲାର ସୀମା ବିବାଦ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗଳା ସହିତ ରହିଛି । ଏହି ସୀମାନ୍ତବର୍ତୀ ଜିଲ୍ଲାଗୁଡ଼ିକର ପାଖାପାଖି ୯୬ଟି ରାଜସ୍ୱ ଗ୍ରାମ ଓ ୧୪ଟି ପଡ଼ା ଗ୍ରାମ ଉପରେ ପଡ଼ୋଶୀ ରାଜ୍ୟମାନେ ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି । ଯାହାଫଳରେ ସମୟ ସମୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହିତ ସୀମାନ୍ତବର୍ତୀ ଜିଲ୍ଲାଗୁଡ଼ିକର ବିକାଶ ବାଧାପ୍ରାପ୍ତ ହେଉଛି ଏବଂ ଜନସାଧାରଣ ମଧ୍ୟ ଏକ ଅସ୍ୱସ୍ଥିକର ପରିବେଶ ଦେଇ ବଂଚି ରହୁଛନ୍ତି । ରାଜ୍ୟର ସୀମାବିବାଦକୁ ନେଇ ବିଧାନସଭାରେ ବହୁଥର ଝଡ଼ ଉଠିବା ସତ୍ୱେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ କରାଯାଇନାହିଁ । ଏଥିପାଇଁ ବିଧାନସଭାର ଏକ “ଗୃହ କମିଟି” ଗଠିତ ହୋଇଥିଲେ ମଧ୍ୟ କମିଟି ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ସୀମା ବିବାଦର ସମାଧାନ କରିବାରେ ତତ୍ପରତା ପ୍ରକାଶ କରିପାରିନାହାଁନ୍ତି । ରାଜ୍ୟ ସରକାର ମଧ୍ୟ ସୀମା ବିବାଦ ସମାଧାନକୁ ନେଇ ଯେଉଁ ସକ୍ରୀୟତା ପ୍ରକାଶ କରିବା କଥା, ତାହା ମଧ୍ୟ କରିନାହାଁନ୍ତି । ଗତ ପାର୍ଲାମେ ଅଧିନରେ ଆନ୍ଧ୍ର ସରକାର ଯେତେବେଳେ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଗ୍ରାମପୁଞ୍ଜରେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଅନଧିକାର ପ୍ରବେଶ କଲେ, ତାକୁ ନେଇ ସମପାଜବାଦୀ ପାର୍ଟି ରାଜ୍ୟର ସାଂସଦମାନଙ୍କୁ ଏକ ପତ୍ର ଲେଖି ଭାରତର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ହସ୍ତକ୍ଷେପ ଦାବି କରିଥିଲା ଏବଂ ପାର୍ଲାମେ ରେ ସୀମା ପ୍ରସଙ୍ଗକୁ ଉପସ୍ଥାପନ କରିବା ପାଇଁ ସାଂସଦମାନଙ୍କୁ ଅନୁରୋଧ କରିଥିଲେ ହେଁ ତାହା ଉପସ୍ଥାପିତ ହୋଇନଥିଲା । ଏଭଳି କି ପାର୍ଲାମେଂଟରେ ଭାରତ ସରକାରଙ୍କ ପକ୍ଷରୁ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ରାୟ ଯେଉଁ ବିବୃତି ରଖିଥିଲେ ସେଥିରେ ଅନ୍ୟାନ୍ୟ ରାଜ୍ୟର ସୀମା ବିବାଦ ସ୍ଥାନ ପାଇଥିଲେ ମଧ୍ୟ ଓଡ଼ିଶାର ସୀମା ବିବାଦ ନେଇ କୌଣସି କଥା ଉଲ୍ଲେଖ କରାଯାଇନଥିଲା, ଯାହାକି ଓଡ଼ିଶା ପାଇଁ କେବଳ ଅପମାନଜନକ ନଥିଲା,ତାହା ଓଡ଼ିଶାବାସୀଙ୍କୁ ଘୋର ଦୁଃଖ ଓ ଆଘାତ ଦେଇଥିଲା । ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ଏହି ମନୋଭାବର ସୁଯୋଗ ନେଇ ଆଜି ଆନ୍ଧ୍ର ଓ ପଶ୍ଚିମବଙ୍ଗଳା ଓଡ଼ିଶା ମାଟିକୁ ଦଖଲ କରି ଦାଦାଗିରି କରିବାକୁ ମଧ୍ୟ ପଶ୍ଚାତପଦ ହେଉନାହାଁନ୍ତି । ଗତ ସେପ୍ଟେମ୍ବର ୯ ତାରିଖ ଦିନ ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଗ୍ରାମର ମାଟି ଉପରେ ଠିଆହୋଇ ଆନ୍ଧ୍ରପ୍ରଦେଶର ପଶୁପାଳନ ମନ୍ତ୍ରୀ ଆପାଲା ରାଜୁ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଯେଉଁ ନାଲି ଆଖି ଦେଖାଇଲେ ଓ ୧୦ ମିନିଟ୍‌ରେ ଆଇ.ସି.ଡି.ଏସ୍‌. ଘର ଭାଙ୍ଗିଦେବାର ଧମକ ଦେଲେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବିରଳ ଘଟଣା । ଓଡ଼ିଶା ସରକାର ଆନ୍ଧ୍ରର ସେହି ମନ୍ତ୍ରୀଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବାକୁ ଆମ୍ଭେ ଦାବି କରୁଛୁ ଏବଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଜେ ସ୍ୱରାଷ୍ଟ୍ର ମନ୍ତ୍ରୀ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକ ଡାକି ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଆମ୍ଭେ ଦାବି କରୁଛୁ । ସେହିଭଳି ପଶ୍ଚିମବଙ୍ଗଳା ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅଧିନ ଉଦୟପୁର ବେଳାଭୂମି ଉପରେ ଓଡ଼ିଶା ମାଟିରେ ୩୦ଫୁଟର ଏକ ପାଚେରୀ ନିର୍ମାଣ କରୁଛି, ଯାହା ଉପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ଏ ସବୁ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବା କରିବା ରାଜ୍ୟ ସରକାରଙ୍କୁ ଆପଣ ନିର୍ଦ୍ଦେଶ ଦେବାକୁ ଏହି ସ୍ମାରକପତ୍ର ଜରିଆରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରୁଛି । ପାର୍ଟିର ରାଜ୍ୟ ସଭାପତି ଶ୍ରୀ ବେହେରା ଓ ଯୁବ ଜନସଭାର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ଲେଙ୍କା ପ୍ରମୁଖଙ୍କ ହସ୍ତାକ୍ଷରରେ ପ୍ରଦତ ଏହି ଦାବିପତ୍ରରେ ଓଡ଼ିଶାର ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ଆମ୍ଭେ ଆପଣଙ୍କ ହସ୍ତକ୍ଷେପ ଦାବି କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ