ସୀମା ବିବାଦ ସ୍ୱରାଷ୍ଟ୍ରମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ : ସମାଜବାଦୀ ପାର୍ଟି

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ସୀମା, ଜଳ, ଜମି ଓ ଜଙ୍ଗଲକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ଦୀର୍ଘଦିନ ଧରି ସୀମା ବିବାଦ ଲାଗି ରହିଛି । କିନ୍ତୁ ଗତ ସପ୍ତାହରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସାମ-ମିଜୋରାମ ସୀମା ବିବାଦ ପରିପ୍ରେକ୍ଷୀରେ ଦେଇଥିବା ବିବୃତ୍ତିରେ ଓଡ଼ିଶା ସହିତ ପଡ଼ୋଶୀ ରାଜ୍ୟର ସୀମା ବିବାଦକୁ ସ୍ଥାନିତ ନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ରାଜ୍ୟର ସାଂସଦମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଏହା କେବଳ ଦୁଃଖଦାୟକ ନୁହେଁ, କେନ୍ଦ୍ରୀୟ ଅବହେଳାର ଅନ୍ୟ ଏକ ନମୂନା ଏବଂ ଓଡ଼ିଶାର ସ୍ୱାର୍ଥ ପ୍ରତି ଅଣଦେଖା । ମାନ୍ୟବର ସାଂସଦମାନେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ମତବାଦର ଉର୍ଦ୍ଧ୍ୱକୁ ଉଠି ଏହି ସୀମା ବିବାଦ ଉପରେ ଏକତ୍ରିତ ହୋଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଏହାର ସମାଧାନ ପାଇଁ ତାଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ରାଜ୍ୟ ରାଜ୍ୟ ଭିତରେ ଦେଖା ଦେଉଥିବା ଜଳ, ଜମି ଓ ଜଙ୍ଗଲକୁ ନେଇ ଦୀର୍ଘଦିନର ବିବାଦର ସମାଧାନ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର । କିନ୍ତୁ ଓଡ଼ିଶାର ଏହି ସୀମା ବିବାଦ ଉପରେ କେନ୍ଦ୍ର ଗୁରୁତ୍ୱ ନଦେବା ଓଡ଼ିଶାବାସୀଙ୍କ ସ୍ୱାଭିମାନ ପ୍ରତି ଏକ ଶକ୍ତ ଆଘାତ । ଆନ୍ଧ୍ର ସରକାର ଓଡ଼ିଶାରେ ଜବରଦସ୍ତ ପଶି ନିର୍ବାଚନ କରିବା ଏବଂ ଏହାକୁ ନେଇ ଓଡ଼ିଶା ସରକାର ଆନ୍ଧ୍ର ବିରୁଦ୍ଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମୋକଦ୍ଦମା ରୁଜୁ କରିବା ସତ୍ତ୍ୱେ ମଧ୍ୟ କେନ୍ଦ୍ର ଏହି ପ୍ରସଙ୍ଗକୁ ଏଡ଼ାଇଯିବା ଓଡ଼ିଶା ପ୍ରତି ଚରମ ଆଘାତ । ସେହିଭଳି ପଶ୍ଚିମବଙ୍ଗ ଓଡ଼ିିଶାର ବେଳାଭୂମିକୁ ଦଖଲ କରିବା ଏବଂ ଓଡ଼ିଶାର ନଈରୁ ଜବରଦସ୍ତ ବାଲି ଉଠାଇବା, ଝାଡ଼ଖଣ୍ଡ ମୟୁରଭଞ୍ଜ ଭିତରକୁ ପଶିଆସି ଖଣି ଖନନ କରିବା ଏବଂ ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଓଡ଼ିଶାର ବିନା ଅନୁମୋଦନରେ ଆଡ଼ିବନ୍ଧ ନିର୍ମାଣ କରି ପାଣି ଅଟକାଇବା, ନୂଆପଡ଼ା ଜିଲ୍ଲା ଭିତରକୁ ପଶିଆସି ଜବରଦଖଲ କରି ରାଜସ୍ୱ ଆଦାୟ କରିବା ଓଡ଼ିଶା ପାଇଁ ଗୋଟିଏ ଗୋଟିଏ ଆହ୍ୱାନ । କେନ୍ଦ୍ର ସରକାର ଯଦି ତୁରନ୍ତ ଏ ଦିଗରେ ହସ୍ତକ୍ଷେପ ନକରନ୍ତି, ତାହେଲେ ଓଡ଼ିଶାବାସୀଙ୍କର ତାଙ୍କ ପଡ଼ୋଶୀ ସହିତ ଥିବା ସଦ୍‌ଭାବନା, ଭାଇଚାରା ଓ ସୁସମ୍ପର୍କ ବ୍ୟାହତ ହୋଇ ତାହା ଯେ ଦିନେ ଆସାମ-ମିଜୋରାମ ଭଳି ସୀମା ସଂଘର୍ଷର ରୂପ ନନେବ ଏହାକୁ ଏଡ଼ାଇ ଦିଆଯାଇ ନପାରେ । ତେଣୁ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସାଂସଦମାନେ ଦଳମତ ଉର୍ଦ୍ଧ୍ୱକୁ ଉଠି ଚଳିତ ପାର୍ଲାମେଣ୍ଟ ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଏ ଦିଗରେ ତାଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ରାଜ୍ୟ ସରକାର ମଧ୍ୟ ରାଜ୍ୟର ଜଳ, ଜମି, ଜଙ୍ଗଲ ଓ ସୀମାର ସୁରକ୍ଷା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଏହି ପ୍ରେସ୍ ବିଜ୍ଞପ୍ତି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ