ସୁଟକେସ୍ ମା’, ସାଇକେଲ ଝିଅକୁ ୧ ଲକ୍ଷ ଲେଖାଏଁ ଦେଲେ ଅଖିଳେଶ
ଲକ୍ଷ୍ନୌ: ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଖବର ଦେଶବ୍ୟାପୀ ଚର୍ଚ୍ଚା ରହିଛି । ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଖବର ମଧ୍ୟରୁ କେତେକ କରୁଣ ପରିବେଶ ସୃଷ୍ଟି କରିଥିବା ବେଳେ ଆଉ କେତେକ ଆଶ୍ଚର୍ଯ୍ୟର ବିଷୟ ହୋଇଛି । ଚର୍ଚ୍ଚାରେ ରହିଥିବା ପ୍ରସଙ୍ଗ ମଧ୍ୟରେ ଜଣେ ମହିଳା ନିଜ କ୍ଲାନ୍ତ ଶିଶୁପୁତ୍ରକୁ ସୁଟକେସ ଉପରେ ଶୋଇବା ଅବସ୍ଥାରେ ଟାଣି ଟାଣି ନେବା ଏବଂ ଜଣେ ୧୫ ବର୍ଷର ବାଳିକା ଜ୍ୟୋତି ତାର ଅସୁସ୍ଥ ବାପାକୁ ସାଇକେଲରେ ବସାଇ ୧୨୦୦ କିମି ଯାତ୍ରା କରିବା ଅନ୍ୟତମ । ଏହି ଦୁଇଟି ଘଟଣାର ଚିତ୍ର ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଥିଲା । ଚର୍ଚ୍ଚାରେ ରହିଥିବା ଏହି ମହିଳା ଓ ବାଳିକାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଦଳର ଜଣେ ମୁଖପାତ୍ର କହିଛନ୍ତି ଯେ ମହିଳା ଜଣଙ୍କର ପରିଚୟ ମିଳିନଥିବା ବେଳେ ତାଙ୍କ ନିକଟରେ ପହଞ୍ଚିବାକୁ ଦଳ ଉଦ୍ୟମ ଚଳାଇଛି । ମହିଳା ଜଣଙ୍କ ପଞ୍ଜାବରୁ ଝାନସୀ ଯିବା ବେଳେ ଚାଲିଚାଲି କ୍ଲାନ୍ତ ହୋଇପଡ଼ିଥିବା ନିଜ ପୁଅକୁ ଟ୍ରଲି ସୁଟକେସ ଉପରେ ଶୁଆଇ ଏହାକୁ ଟାଣି ଟାଣି ରାସ୍ତାରେ ଚାଲିଥିଲେ । ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁସଂଖ୍ୟାରେ ଭାଇରାଲ ହୋଇଥିଲା । ସେହିପରି ଜ୍ୟୋତି ନାମକ ବାଳିକା ତାର ଅସୁସ୍ଥ ବାପା ମୋହନ ପାଶ୍ୱାନକୁ ସାଇକେଲ ପଛରେ ବସାଇ ହରିୟାଣାର ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ୧୨୦୦ କିମି ଯାତ୍ରା କରିଥିଲେ । ଏହି ଦୀର୍ଘ ପଥ ଅତିକ୍ରମ କରିବାକୁ ତାଙ୍କୁ ୮ ଦିନ ଲାଗିଥିଲା । ଏହି ଘଟଣା ମଧ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାର ହୋଇଥିଲା । ଜ୍ୟୋତିଙ୍କ ଏପରି ସାହସିକତା ପାଇଁ ସାଇକେଲ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଅଫର ଦିଆଯାଇଛି ।