ସୁଟିଂ ବିଶ୍ବକପ୍ ; ବିଶ୍ବରେକର୍ଡ ସହ ଅପୂର୍ବୀଙ୍କୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ : ଭାରତର ଅପୂର୍ବୀ ଚାନ୍ଦେଲା ସୁଟିଂ ବିଶ୍ବକପ୍ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ସ୍ଥାନୀୟ ଡ. କର୍ନି ସିଂହ ସୁଟିଂ ରେଞ୍ଜରେ ଆୟୋଜିତ ସୁଟିଂ ବିଶ୍ବକପ୍ର ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୂର୍ବୀ ନୂତନ ବିଶ୍ବରେକର୍ଡ ପ୍ରତିଷ୍ଠା କରିବା ସହ ସ୍ବର୍ଣ୍ଣପଦକ ଜିତିଛନ୍ତି। ଅପୂର୍ବୀ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରି ମୋଟ୍ ୨୫୨.୯ ପଏଣ୍ଟ ହାସଲକରି ବିଶ୍ବର ନାମୀ ମହିଳା ସୁଟରଙ୍କୁ ପଛରେ ପକାଇ ଦେଇଥିଲେ। ଚୀନ୍ର ରୌଝୁ ଝାଓ ୨୫୧.୮ ପଏଣ୍ଟ ସହ ରୌପ୍ୟ ଓ ତାଙ୍କଦେଶର ଜୁ ହଙ୍ଗ୍ ୨୩୦.୪ ପଏଣ୍ଟ ସହ ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।
ଏହି ମୁକାବିଲାରେ ଅପୂର୍ବୀ ଏପରି ପ୍ରାଧାନ୍ୟ ବିସ୍ତାର କରିଥିଲେ ଯେ ରୌପ୍ୟ ବିଜୟିନୀ ରୌଝୁ ଝାଓଙ୍କଠାରୁ ସେ ୧.୧ ପଏଣ୍ଟ ଆଗରେ ରହିଥିଲେ। ଗତବର୍ଷ ସେପ୍ଟେମ୍ବରରେ ଆୟୋଜିତ ସୁଟିଂ ବିଶ୍ବକପ୍ରେ ଭଲ ପ୍ରଦର୍ଶନ କରି ଅପୂର୍ବୀ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରି ସାରିଛନ୍ତି। ୨୬ ବର୍ଷୀୟା ଅପୂର୍ବୀ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତିଥିବା ବେଳେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ୨୦୧୮ ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଦଳଗତ ଇଭେଣ୍ଟରେ ଅପୂର୍ବୀ ବ୍ରୋଞ୍ଜ୍ ପଦକ ଜିତିଥିଲେ। ଶନିବାର ଏହି ଇଭେଣ୍ଟରେ ଅନ୍ୟ ଦୁଇ ଭାରତୀୟ ଅଞ୍ଜୁମ୍ ମୌଦଗିଲ ୧୨ଶ ଓ ଏଲାଭେନିଲ ଭାଲାରିଭାନ୍ ୩୦ତମ ସ୍ଥାନରେ ରହିଥିଲେ। ଏହା ବିଶ୍ବ ସୁଟିଂ ଚମ୍ପିଆନ୍ସିପ୍ରେ ଅପୂର୍ବୀଙ୍କ ୩ୟ ପଦକ। ୨୦୧୫ ସୁଟିଂ ବିଶ୍ବକପ୍ ଫାଇନାଲରେ ଅପୂର୍ବୀ ରୌପ୍ୟ ଜିତିଥିବା ବେଳେ ସେହିବର୍ଷ ଚାଙ୍ଗୱନ୍ ବିଶ୍ବକପ୍ରେ ବ୍ରୋଞ୍ଜ୍ ପଦକ ଜିତିଥିଲେ।