ସୁଦଶା ବ୍ରତ ହାତରେ ବାନ୍ଧିଲେ ମିଳେ ଶ୍ରୀମହାଲକ୍ଷ୍ମୀଙ୍କ ଆଶ୍ରିବାଦ
ସନ୍ତୋଷ କୁମାର ଦାଶ
ଆମ ଓଡ଼ିଆଙ୍କ ଘରେ ବାର ମାସରେ ପାଳିତ ହୋଇଥାଏ ତେର ପର୍ବ ପର୍ବାଣୀ। ତା ମଧ୍ୟରୁ ସୁଦଶା ବ୍ରତ ଅନ୍ୟତମ। ଏହା ଦେବୀ ଶ୍ରୀ ମହାଲକ୍ଷ୍ମୀ ଙ୍କ ପୂଜା। ଦେବୀ ମା ଲକ୍ଷ୍ମୀ ସମସ୍ତ ଧନସମ୍ପଦ,ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ଅଟନ୍ତି । ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।ରାମାୟଣ ରେ ବର୍ଣ୍ଣିତ ହୋଇଛି ଯେ,ସମୁଦ୍ର ମନ୍ଥନ ସମୟ ରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ତାଙ୍କର ବାହାନ ପେଚା ଓ ହାତୀ । ଦେବୀ ଲକ୍ଷ୍ମୀ ଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀ ଙ୍କୁ ପୂଜା କରାଯାଏ । ଉପାସନା ରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ପିଠା ର ଆବଶ୍ୟକ ହେଉଥିବା ବେଳେ ଦେବୀ ଲକ୍ଷ୍ମୀ ଙ୍କ ପ୍ରତୀକ ରୂପେ ଲକ୍ଷ୍ମୀ ଙ୍କ ଦଶ ନାମ ଲକ୍ଷ୍ମୀ ନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ ବୋଲା ଯାଇଥାଏ। ଦଶ ଖିଅ ଧଳା ସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତ କୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ସୁଦଶା ବ୍ରତ ସମ୍ପର୍କ ରେ ଏକ କିମ୍ବଦନ୍ତୀ ରହିଛି ଯେ,ଜନୈକା ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହଜାଇ ଦେଇଛନ୍ତି । ବ୍ରତ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଇଛନ୍ତି । ବ୍ରତଟି ଲକ୍ଷ୍ମୀ ଙ୍କ ପ୍ରତୀକ ହୋଇଥିବାରୁ ବ୍ରତ ଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଛନ୍ତି । ବ୍ରତଦାନ ପରେ ତାଙ୍କର ସକଳ ସମ୍ପଦ, ସୁଖ, ଐଶ୍ଵର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି । ଯାବତୀୟ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି।
ସେଥିପାଇଁ ଦେବୀ ମା ମହା ଲକ୍ଷ୍ମୀଙ୍କର ଆଶ୍ରିବାଦ ପାଇବାକୁ
ଓଡ଼ିଆ ପରିବାର ରେ ଯେଉଁ ମାସ ର ଶୁକ୍ଳ ଦଶମୀ ତିଥି ଗୁରୁବାର ଦିନ ପଡ଼େ ସେହିଦିନ ସୁଦଶା ବ୍ରତ ପାଳିତ ହୋଇଆସୁଛି କାହିଁ କେତେ କାଳରୁ।
ତୁଳସୀପୁର। ପୁରୀ।୯୪୩୯୩୬୧୮୮୮।