ସୁଧାଂଶୁ ହେଲେ ବିଜେପି ପ୍ରାର୍ଥୀ, କର୍ମୀଙ୍କ ମହଲରେ ଖୁସିର ଲହରୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଆମାଗୀ ସାଧାରଣ ନିର୍ବାଚନ ପରିପେକ୍ଷୀରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ମାତ୍ର ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବାରେ ବିଳମ୍ବ ଯୋଗୁ କର୍ମୀଙ୍କ ମହଲରେ ନାନାଦି ପ୍ରଶ୍ନ ଉଠିଥିଲା । ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ପକ୍ଷରୁ ଭଣ୍ଡାରିପୋଖରୀ ଆସନ ପାଇଁ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ତଥା ନାଟ୍ୟକାର ଡ.ସୁଧାଂଶୁ ନାୟକଙ୍କ ନାମ ଘୋଷଣା କରିଛି । ଏହି ଘୋଷଣା ପରେ ବନ୍ତ ଓ ଭଣ୍ଡାରିପୋଖରୀରେ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଶ୍ରୀ ନାୟକଙ୍କର ଘର ବନ୍ତରେ ହୋଇଥିବା ବେଳେ ସେ ବନ୍ତ ଆଞ୍ଚଳକ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ଅଧ୍ୟାପକ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ଦୀର୍ଘ ୨୦ ବର୍ଷ ଧରି ସେ ବନ୍ତ ବ୍ଲକ ବିଜେଡିର ପ୍ରଚ୍ଛଦ ପଟରେ ରହି ସମସ୍ତ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ପତ୍ନୀ ୨ ଥର ବ୍ଲକ ଅଧ୍ୟକ୍ଷା, ଥରେ ସମିତି ସଭ୍ୟା ଓ ଥରେ ଜିଲା ପରିଷଦ ସଭ୍ୟା ରହିଥିଲେ । ସେ ସିଧା ରାଜନୀତି କରୁନଥିଲେ ମଧ୍ୟ ତାଙ୍କ ଇସାରାରେ ବ୍ଲକ ବିଜେଡିର ସମସ୍ତ କାର୍ଯ୍ୟ ସଂପାଦନ ହେଉଥିଲ । ମାତ୍ର ଗତ ୧ ବର୍ଷ ତଳେ ଦଳ ତାଙ୍କୁ ଅଣଦେଖା କରିବା ଯୋଗୁ ସେ ବିଜେଡି ଛାଡି ଶତାଧିକ ସମର୍ଥକଙ୍କ ସହିତ ବିଜେପିରେ ଯୋଗ ଦେଇଥିଲେ । ସେ ବିଜେପିରେ ଯୋଗଦେବା ଦିନ ଠାରୁ ଆଉ କେବେ ପଛକୁ ଫେରି ଚାହିଁ ନାହାନ୍ତି । ଦିନରାତି ସେ ଦଳର ସାଙ୍ଗଠନିକ କାର୍ଯ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଛନ୍ତି । ଏପରିପେକ୍ଷୀରେ ଗତ ୨ ମାସ ହେବ ସେ ବିଜେପିରୁ ଟିକେଟ ପାଇବା ନେଇ ଚର୍ଚ୍ଚା ହେଉଥିଲା । ସେ ଏଠାରୁ ପ୍ରାର୍ଥୀ ହେବା ପରେ ବିଜେଡି ଓ କଂଗ୍ରେସ ସହିତ କଡା ଟକ୍କର ହେବ ବୋଲି ଆଶା କରାଯାଇଛି ।


