ସୁଧ ଆଦାୟ ପାଇଁ ମହିଳା ଗୋଷ୍ଠୀଙ୍କୁ ନିର୍ଯ୍ୟାତନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ବୋରି ପଦର, କଇଠଖଣ୍ଡି ଏବଂ ନୂଆଗଡ ଗ୍ରାମରେ କେତେକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କୌଣସି ସରକାରୀ ସ୍ଵୀକୃତି ନଥାଇ ମହିଳା ଗ୍ରୁପ ଗଠନ କରି ଲକ୍ଷ ଲକ୍ଷ ଋଣ ପ୍ରଦାନ କରୁଛନ୍ତି।  ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କ ଠାରୁ  ଶୋଷଣ କରାଯାଇ ଅଧିକ ସୁଧ ମୂଳ ଟଙ୍କା ଜବରଦସ୍ତ ଆଦାୟ କରାଯାଉଥିବା  ଅଭିଯୋଗ ହୋଇଛି।ଏନେଇ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି। ଗତ କିଛିବର୍ଷ ହେଲା କିଛି ଅର୍ଥ ଲଗାଣକାରୀ  ସଂସ୍ଥା ର କର୍ମଚାରୀ ମାନେ ପ୍ରଥମେ ବିନା ବନ୍ଧକ ରେ  ଋଣ ପ୍ରଦାନ କରି ଗ୍ରାମାଞ୍ଚଳ ମହିଳା ମାନଙ୍କୁ ବିଶ୍ୱାସ ଜନ୍ମାଇବା ପରେ କୌଶଳ କରି ସେମାନଙ୍କ ବିଭିନ୍ନ ସ୍ଵିକାରୋକ୍ତିି ନଥିପତ୍ର ରେ ଦସ୍ତଖତ କରାଇ ନିଅନ୍ତି। ପରବର୍ତ୍ତୀ ଅବସ୍ଥାରେ ସେମାନଙ୍କୁ ଭୟଭୀତ କରି ଜୋର ଜବରଦସ୍ତ ଅତ୍ୟଧିକ ସୁଧ ସହ ମୂଳ ଟଙ୍କା ଆଦାୟ କରୁଛନ୍ତି।ପ୍ରତିବାଦ କଲେ ସେମାନଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦିଆଯାଉଛି। ଋଣ ଟଙ୍କା ପରିଶୋଧ କୁ ନେଇ ଘରେ ଘରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଲାଣିି।ଋଣ ଟଙ୍କା ପରିଶୋଧ କରିନପାରିଲେ ଅନୈତିକ ଭାବେ ଟଙ୍କା ଆଦାୟ କରାଯିବ ବୋଲି କିଛି ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ମାନେ ମହିଳା ମାନଙ୍କୁ ଚେତାବନୀ ଦେଉଛନ୍ତି। ଏନେଇ ବହୁ ସଂଖ୍ୟକ ମହିଳା ନିର୍ଯ୍ୟାତିତ ହେବାପରେ ସରପଞ୍ଚ ଙ୍କ ନିକଟରେ ଅଭିଯୋଗ କରିଥିଲେ। ପଞ୍ଚାୟତ ପକ୍ଷରୁ ଏନେଇ ସଭା ଡକାଯାଇ ଅଭିଯୋଗର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧାରଣ ଗୃହୀତ କରାଯାଇଛି।  କିଛି ମାସ ପୂର୍ବରୁ ୨ ରୁ ୩ ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି  ମହିଳା ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗ୍ରୁପ ଗଠନ କରିବା ସହ ଋଣ ଦେଇଥିଲେ। । ବର୍ତ୍ତମାନ ଉକ୍ତ ସଂସ୍ଥାର କର୍ମକର୍ତ୍ତା ମାନେ ମହିଳା ମାନଙ୍କୁ ଋଣ ପରିଶୋଧ କରିବାକୁ କହିବା ସହ ଗାଁ କୁ ଆସଘର ବାରଣ୍ଡାରେ ଜଗିରହି ଜୋର ଜବରଦସ୍ତ ସୁଧ ସହ ଋଣ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।ଏପରିକି କିଛି ମହିଳା ଙ୍କ ଠାରୁ ସେମାନଙ୍କ  ସୁନା ଅଳଙ୍କାର ଛଡାଇ ନେଇଥିବା ଏତଲା ରେ ଉଲ୍ଲେଖ ରହିଛି । ଏନେଇ ଦିଗପହଣ୍ଡି ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ପଚାରିବାରୁ ତଦନ୍ତ ଚାଲିଛି।ଆବଶ୍ୟକ ପ୍ରମାଣ ମିଳିଲେ ଖୁବ୍ ଶୀଘ୍ର  କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ