ସୁନାପୁରସ୍ଥିତ ବାହୁଦା ନଦୀ ମୁହାଣର ନିର୍ମାଣ ହେବ ରାଜ୍ୟର ସର୍ବ ବୃହତ ବନ୍ଦର

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଗଞ୍ଜାମ ଜିଲ୍ଲାର ସୁନାପୁରସ୍ଥିତ ବାହୁଦା ନଦୀ ମୁହାଣର ରାଜ୍ୟର ସବୁଠାରୁ ବଡ଼ ପ୍ରସ୍ତାବିତ ବନ୍ଦରସ୍ଥଳୀକୁ ଶନିବାର ଦିନ ପୂର୍ବାହ୍ନରେ ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସମାନ୍ତରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ, ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ, ଜିଲ୍ଲା ସ୍ତରୀୟ ଓ ସ୍ଥାନୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ସେହି ସ୍ଥାନର ସାମ୍ପ୍ରତିକ ସ୍ଥିତି, ପାରିପାର୍ଶ୍ଵିକ ପରିସ୍ଥିତି ଓ ନକ୍ସାର ସମୀକ୍ଷା କରିଥିଲେ, ପ୍ରସ୍ତାବିତ ବନ୍ଦର ଦେଶର ଏକ ବଡ଼ ବନ୍ଦରରେ ପରିଗଣିତ ହେବ । ଏହି ବିଶ୍ଵସ୍ତରୀୟ ବନ୍ଦର ନିର୍ମାଣ ପାଇଁ ପାଖାପାଖି ୨୧ ହଜାର ୫୦୦ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି । ଏହି ବନ୍ଦରରେ ବର୍ଷକୁ ୧୫୦ ମିଲିଅନ୍‌ ମେଟ୍ରିକ ଟନ୍‌ କାର୍ଗୋ ପରିବହନ କରିବାର କ୍ଷମତା ରହିବ । ଏହି ବନ୍ଦରର ନିର୍ମାଣ ପାଇଁ 2025 ମସିହା ସେପ୍ଟମ୍ବର 19 ତାରିଖରେ ପାରାଦୀପ ପୋର୍ଟ ଲିମିଟେଡ଼, ସାଗରମାଳା ଫାଇନାନ୍ସ ଲିମିଟେଡ଼ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ବନ୍ଦର ପାଇଁ ଆବଶ୍ୟକ ରହିଥିବା ଭିଜିବିଲିଟି ରିପୋର୍ଟ ପାଇଁ ପ୍ରାଥମିକ ସର୍ଭେ ହୋଇସାରିଛି । ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଶା – ଆକାଂକ୍ଷାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇ ବନ୍ଦର ନିର୍ମାଣ ହେବ। ବନ୍ଦର କାର୍ଯ୍ୟକ୍ଷମ ହେଲା ପରେ ଗଞ୍ଜାମବାସୀଙ୍କ ପାଇଁ ଅନେକ ସୁଯୋଗ ନେଇଆସିବ ଏଠାରେ ହଜାର ହଜାର ଲୋକ ନିଯୁକ୍ତି ପାଇବା ସହ ଛୋଟବଡ଼ ଅନେକ ବ୍ୟବସାୟିକ ସୁଯୋଗ ନେଇ ଆସିବ। ଗଞ୍ଜାମ, ଆଖ ପାଖ ଜ଼ିଲ୍ଲାର ଲୋକେ ଉପକୃତ ହେବା ସହ ସ୍ଥାନୀୟ ଅଂଚଳବାସୀ ବିଶେଷ ଭାବେ ଉପକୃତ ହେବେ। ସବୁଠାରୁ ବଡ କଥା ସୁନାପୁର ଏବେ ବିଶ୍ୱମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି । ତାସହିତ ଅଂଚଳବାସୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି, ଏହି ବନ୍ଦର କାର୍ଯ୍ୟକ୍ଷମ ହେଲା ପରେ କାର୍ଗୋ ପରିବହନରେ ଓଡିଶା ବିଶେଷ ଲାଭାନ୍ୱିତ ହେବ । କାରଣ ଜଳ ପଥରେ ନିର୍ଦ୍ୱନ୍ଦରେ ଓ ଯେ କୌଣସି ସମୟରେ ଦ୍ରବ୍ୟ / ସାମଗ୍ରୀ ପରିବହନ ହୋଇପାରିବ । ଏହା ସହିତ ବନ୍ଦର ନିକଟରେ ଜାତୀୟ ରାଜପଥ ସହ ରେଳପଥ ରହିଛି ତେଣୁ ସେଠାରୁ ଭୁପୃଷ୍ଟରେ ଦ୍ରବ୍ୟ / ସାମଗ୍ରୀ ପରିବହନରେ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି । ଏହି ବନ୍ଦର କାର୍ଯ୍ୟକ୍ଷମ ହେଲାପରେ ରାଜ୍ୟର ବିକାଶ ଜୟଯାତ୍ରାରେ ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣ ବନ୍ଦର ପ୍ରମୁଖ ସାରଥୀ ସାଜିବ ବୋଲି ସେ କହିଛନ୍ତି, ବନ୍ଦରକୁ ପିପିପି ମୋଡରେ ନିର୍ମାଣ କରାଯିବ । ଏହାର ଅନେକ ସର୍ଭେ ସରିଥିବା ବେଳେ ବୈଷୟିକ ରିପୋର୍ଟ ମଧ୍ୟ ଆସିସାରିଛି । ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ଡ଼ିପିଆର ପ୍ରସ୍ତୁତ କରାଯାଇ ବନ୍ଦର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ରାଜପୁତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ