ସୁନାପୁର ବେଳାଭୂମି ପରିଚାଳନା କମିଟି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍ ମାନ୍ୟତା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରହିଛି । ଅନ୍ୟପକ୍ଷରେ ସୁନାପୁର ବେଳାଭୂମିର ପରିବେଶ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ପରିଷ୍କାର ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ପଦକ୍ଷେପ ଉପରେ ସୁନାପୁର ବେଳାଭୂମି ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲପାଳଙ୍କ ଏନ୍ଆଇସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରି ସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍ ମାନ୍ୟତା ପାଇଁ ଧାର୍ଯ୍ୟ ହୋଇଥିବା ଗାଇଡ୍ଲାଇନ୍କୁ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ହେବ ବୋଲି କହିଛନ୍ତି । ଏହାସହ ଉକ୍ତ ଅଞ୍ଚଳକୁ ପର୍ଯ୍ୟଟକ ମାନଙ୍କ ପାଇଁ ପିକ୍ନିକ୍ ସ୍ପଟ୍ ଭଳି ବିଭିନ୍ନ ସ୍ପଟ୍ କରାଯିବ । ଏହାସହ ପାର୍କିଂ ପାଇଁ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯିବ । ସେହିପରି ପିକ୍ନିକ୍ ସ୍ଥଳ ଭଳି ରୋଷେଇ ବାସ କରିବା ପାଇଁ ବିଭିନ୍ନ ପିଣ୍ଡି ତିଆରି କରି ପର୍ଯ୍ୟଟକଙ୍କୁ ଦିଆଯିବ । ଏହାର ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯିବ । ରୋଷେଇ ବାସ କରିବା ଲାଗି ୨୫୦ ଟଙ୍କା ଏବଂ ଶେଷରେ ଉକ୍ତ ସ୍ଥାନକୁ ପରିଷ୍କାର ପରିଛନ୍ନତା ଲାଗି ଆଉ ୨୫୦ ଟଙ୍କା ଅମାନତ ରଖାଯିବ । ଏଭଳି କରିବା ଦ୍ୱାରା ପଞ୍ଚାୟତ ଉକ୍ତ ଅଞ୍ଚଳର ତଦାରଖ କରିପାରିବ ଫଳରେ ସ୍ପଟ୍ ଗୁଡିକ ସବୁ ସମୟରେ ପରିଷ୍କାର ହୋଇ ରହିବ । ସେହିପରି ବେଳାଭୂମିକୁ ପହଞ୍ଚିବା ପାଇଁ ସଂଲଗ୍ନ ରାସ୍ତାରେ ସାଇନ୍ ବୋର୍ଡ ଏବଂ ରିଫଲେଟର ଲଗାଯିବ । ଏହାସହ ମତ୍ସ୍ୟଜୀବୀମାନେ ଯେଉଁ ମାଛ ଗୁଡିକ ଏଣେତେଣେ ଫୋପାଡିବା ଦ୍ୱାରା ସେହି ଅଞ୍ଚଳର ପରିବେଶରେ ସମସ୍ୟା ଦେଖାଦେଉଛି । ଏଣୁ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରି ‘ ମାଛ ଡ୍ରଇଂ ୟାଡ୍’ କରାଗଲେ ଏଣେତେଣେ ନଫୋପାଡି ସେଠାରେ ମାଛ ଗୁଡିକୁ ଫିଙ୍ଗିବାରେ ସୁବିଧା ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍, ବ୍ରହ୍ମପୁର ଡିଏଫ୍ଓ ସନି ଖୋଖାର, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଏସିଏଫ୍ ଡ.ରୁଦ୍ରପ୍ରସାଦ ରଥ,ଡିଏସ୍ପି ଅଜୟ କୁମାର ମିଶ୍ରଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।


