ସୁନାମୀ ପ୍ରତିରୋଧକ ବନ୍ଧ ନିର୍ମାଣ ଅସମ୍ପୂର୍ଣ୍ଣ : ଚାଷଜମିରେ ମାଡିଲା ଲୁଣାପାଣି
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଆଳସାହି ଓ ଆଳଙ୍ଗପୁର ପଞ୍ଚାୟତ କୁ ଲୁଣା ଜୁଆର, ବନ୍ୟା, ସୁନାମୀ ପ୍ରଭୃତି ରୁ ରକ୍ଷା କରିବା ପାଇଁ ଜଳସେଚନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଉକୁଳେଇ – ପୁଇଚାନ୍ଦିଆ ସୁନାମୀ ପ୍ରତିରୋଧକ ବନ୍ଧ । ସେହିପରି ଉକ୍ତ ଦୁଇ ପଞ୍ଚାୟତ ସହିତ ନୂଆଗଡ ଓ ଝାଡଲିଙ୍ଗ ପଞ୍ଚାୟତ କୁ ଗମନାଗମନ ସୁବିଧା ପାଇଁ ପୁଇଚାନ୍ଦିଆ ଠାରେ ଭଉଁରୀଆ ନଦୀ ଉପରେ ୫.୭୮ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେଉଛି ଏକ ସେତୁ ।ସେତୁ ଓ ସୁନାମୀ ପ୍ରତିରୋଧକ ବନ୍ଧ ନିର୍ମାଣ ର ଅବଧି ଶେଷ ପରେବି କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ସେତୁ ନିର୍ମାଣ କାର୍ଯ୍ୟ ପାଇଁ ନିର୍ମାଣ ସ୍ଥାନରେ ନଦୀ ବନ୍ଧ କଟା ଯାଇଥିବା କାରଣରୁ ବର୍ଷା ଦିନରେ ଗାଁ ମଧ୍ୟକୁ ଲୁଣା ପାଣି ପ୍ରବେଶ କରୁଛି। ଲଘୁଚାପ ପ୍ରଭାବ ରେ ଗତ ୨/୩ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ସମୁଦ୍ର ଅଶାନ୍ତ ହୋଇ ପଡ଼ି ଥିବାରୁ ମୁକୁଳା ପଡିଥିବା ନଦୀ ବନ୍ଧ ଦେଇ ଲୁଣା ଜୁଆର ଏବେ କରଞ୍ଜପୁର , ଗୋପାଳପୁର, କୁହୁଡି, ବେଗୁନିଆବସ୍ତ ଗ୍ରାମ ର ଶହ ଶହ ଏକର ଚାଷ ଜମି ଓ ମେଘାପାଟ ଗହୀର ରେ ମାଡ଼ି ଯାଇଛି। ବର୍ଷା ପରେ ଚାଷୀ ମାନେ ରୁଆ ବେଉଷଣ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ଚାଷ ଜମି ରେ ଲୁଣା ଜୁଆର ମାଡ଼ି ଯାଇଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଯଦି ତୁରନ୍ତ ଉକ୍ତ ମୁକୁଳା ନଦୀ ବନ୍ଧ କୁ ମରାମତି କରା ନଯାଏ ତେବେ ଲୁଣା ଜୁଆର ଆଳଙ୍ଗ ପୁର, ବରାଙ୍ଗ, ଆଳସାହି, ଅନନ୍ତା, ପୋଇଚାନ୍ଦିଆ ପ୍ରଭୃତି ଗହିର ରେ ଥିବା ହଜାର ହଜାର ଏକର ଚାଷ ଜମି ରେ ମାଡିବା ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଆଳଙ୍ଗପୁର ଠାରୁ ପୁଇଁଚାନ୍ଦିଆ ଗାଁ କୁ ସଂଯୋଗ କରୁଥିବା ପ୍ରାୟ ୩ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ କାର୍ଯ୍ୟ ୭ବର୍ଷ ହେଲା ଚାଲୁଥିଲେ ମଧ୍ୟ ଏହି କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସମ୍ପୃକ୍ତ ଠିକାଦାର କିଛି ଦିନ କାମ କଲା ପରେ ନିର୍ବାଚନ ସରୁ ସରୁ କାମ ବନ୍ଦ କରିଦେଇଛନ୍ତି । ତିନି କିଲୋମିଟର ବ୍ୟାପୀ ବିଛା ଯାଇଥିବା ମେଟାଲ କାର୍ଯ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବେଳେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଖ ପାଖ ଅଞ୍ଚଳର ୫ଟି ଗାଁର ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ଶଙ୍କର ନାୟକ ଓ ଦଶରଥ ବରାଳ । ରାସ୍ତାନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନୋଟିସ କରାଯାଇଥିବା କହିଛନ୍ତି କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଉମାଶଙ୍କର ଜୟସିଙ୍ଗ । ଅପର ପକ୍ଷରେ ସୁନାମୀ ପ୍ରତିରୋଧକ ବନ୍ଧ ଓ ପୁଇ ଚାନ୍ଦିଆ ସେତୁ ନିର୍ମାଣ ବିଳମ୍ୱିତ ହୋଇଥିବା ସ୍ବୀକାର କରି ମୁକୁଳା ପଡିଥିବା ନଦୀ ବନ୍ଧ କୁ ତୁରନ୍ତ ମରାମତି କରାଯିବ ବୋଲି କହିଛନ୍ତି କାକଟପୁର ଜଳସେଚନ ଉପଖଣ୍ଡ ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ।


