ସୁନାମୀ ସମ୍ପର୍କିତ ନେଇ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ୫ ବିଶ୍ୱ ସୁନାମୀ ସଚେତନତା ଦିବସ ପାଳନ ଅବସରରେ ଶୁକ୍ରବାର ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁନାମୀ ଆସିଲେ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ, ସୁନାମୀ ଆସିବା ପୂର୍ବରୁ କଣ ସବୁ ସତର୍କତା ଅବଲମ୍ବନ କରାଯିବ, କରୁରୀ କାଳୀନ ସେବା ଗୁଡିକ କିପରି ଲୋକେ ପାଇପାରିବେ ସେ ଉପରେ ଆଲୋକପାତ କରାଯାଇଥିଲା । ଏଥିରେ ଛତ୍ରପୁର ବିଡିଓ ସୁଶାନ୍ତ କୁମାର ବରାଳ, ତହସିଲଦାର ଦିବ୍ୟା ମହାନ୍ତି, ଏ ବିଡିଓ ଜୟଶ୍ରୀ ନାୟକ, ବିପର୍ଯ୍ୟୟ ପ୍ରଶମନ ଅଧିକାରୀ (ଏନଡିଏମଏ) ଅବନୀକାନ୍ତ ଭୂୟାଁ, ଆସିଷ୍ଟାଣ୍ଟ ଫାୟାର ଅଫିସର ଏସ୍. କେ. ସିଂ, ଜିପିଇଓ ଅଶୋକ କୁମାର ଦାଶ, ସିଡିପିଓ ପ୍ରଣମିତା ପଣ୍ଡା, ସ୍ୱେଚ୍ଛାସେବୀ ଟୁନା ମହାରଣା, କାଳିପଲ୍ଲୀ ପଂଚାୟତର ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର, ବି. ଚନ୍ଦ୍ରମଣୀ ପାତ୍ରଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଆସନ୍ତା ୫ ତାରିଖ ଦିନ ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଂଚାୟତର ଉପୁଲାପୁଟି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିଶ୍ୱ ସୁନାମୀ ଦିବସ ଅବସରରେ ମକଡ୍ରିଲ ଅନୁଷ୍ଠିତ ହେବ । ଏହା କିପରି ସଫଳ ହୋଇପାରିବ ସେଥି ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ଜିଲ୍ଲାରେ ଗଞ୍ଜାମ ବ୍ଲକର ପ୍ରାୟାଗୀ ଓ କଣ୍ଟିଆଗଡ, ରଙ୍ଗେଇଲୁଣ୍ଡା ବ୍ଲକର ମାର୍କଣ୍ଡି ଏବଂ ଚିକିଟି ବ୍ଲକର ପାତିସୋନାପୁର ବାତ୍ୟା ଆଶ୍ରୟସ୍ଥଳୀ ରେ ଏହି ମକଡ୍ରିଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।