ସୁନା ବ୍ୟବସାୟୀଙ୍କୁ ଆକ୍ରମଣ ଓ ଲୁଟ ଘଟଣା ସ୍ଥଳରେ ଗଞ୍ଜାମ ଏସପିଙ୍କ ସିସି ଟିଭି ଫୁଟେଜ୍ ଯାଞ୍ଚ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ନିକଟ ଗଳାଶଙ୍ଖ ନିକଟରେ ଗତକାଲି ସଂଧ୍ୟାରେ ସୁନା ବ୍ୟବସାୟୀଙ୍କୁ ଆକ୍ରମଣ କରି ସୁନା ଓ ରୂପା ଅଳଙ୍କାର ଲୁଟ୍ ଘଟଣାର ତଦନ୍ତ ଯୋରଦାର ଆରମ୍ଭ କରିଛି ପୁଲିସ । ଆଜି ସକାଳୁ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ, ଏସଡିପିଓ ଗୌତମ କିଶାନ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଘଟଣା ସ୍ଥଳରେ ପହଞ୍ଚି ବୈଷୟିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ସୁନା ବ୍ୟବସାୟୀ ଘରକୁ ଯିବା ରାସ୍ତାରେ ଥିବା ପ୍ରାୟ ଛଅଟି ସ୍ଥାନର ସିସି ଟିଭି ଫୁଟେଜ୍ ଯାଞ୍ଚ କରିଛନ୍ତି । ଲୁଟ ଘଟଣାରେ ପୋଲିସ ଦୁଇ ଜଣଙ୍କ ଯୁବକଙ୍କୁ ଥାନାରେ ଅଟକ ରଖି ପଚାରା ଉଚୁରା କରୁଥିବା ଜଣାପଡିଛି । ଘଟଣାକ୍ରମ ଏଭଳିଥିଲା ଯେ ଗତ କାଲି ରାତି ପ୍ରାୟ ସାଢେ ୮ଟା ବେଳେ ଛତ୍ରପୁର କାରିଣୀ ସାହି ଛକରେ ଥିବା ମା ଶାରଳା ଜୁଏଲରୀ ଦୋକାନ ମାଲିକ ଶରତ ଚନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ଲକ୍ଷ୍ମିପ୍ରିୟା ସାହୁ ନିଜ ଦୋକାନ ବନ୍ଦ କରି ସାଇନଗର ପ୍ରଥମ ଲାଇନରେ ଥିବା ଘରକୁ ନିଜ ସ୍କୁଟି ଯୋଗେ ଫେରୁଥିବା ବେଳେ କୋର୍ଟ ଷ୍ଟେସନ ପରେ ଗଳା ଶଙ୍ଖ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ପଲସର ମୋଟର ସାଇକେଲରେ ଆସି ପ୍ରଥମେ ଲଙ୍କାଗୁଣ୍ଡ ଫିଙ୍ଗିଥିଲେ ଓ ମାରଣାସ୍ତ୍ରରେ ଆକ୍ରମ କରିଥିଲେ । ପରେ ଉଭୟଙ୍କୁ ଆକ୍ରମଣ କରି ସ୍କୁଟି ଡିକିରେ ଥିବା ପ୍ରାୟ ୭ ଶହ ଗ୍ରାମ ସୁନା ଓ ୧୫ ରୁ ୨0 କେ.ଜି ରୁପା ଅଳଙ୍କାର ଲୁଟି ନେଇଥିଲେ । ତେବେ ଏହି ଅଳଙ୍କାର ଲୁଟି ନେବା ସହ ବ୍ୟବସାୟୀଙ୍କ ପତ୍ନୀ ପିନ୍ଧିଥିବା ପ୍ରାୟ ତିନି ତୋଳା ଓଜନର ସୁନା ଚେନ ମଧ୍ୟ ତାଙ୍କୁ ଆକ୍ରମଣ କରି ଲୁଟି ନେଇଥିଲେ ଦୁର୍ବୃତ୍ତ । ଅପରପକ୍ଷରେ ଏନେଇ ଛତ୍ରପୁର ଥାନା ରେ ସୁନା ବ୍ୟବସାୟୀଙ୍କ ସ୍ତ୍ରୀ ଘଟଣା ସମ୍ପର୍କ ରେ ଏକ ଲିଖିତ ଏତଲା ଦେଇଛନ୍ତି l ଏତଲା କୁ ଭିତ୍ତି କରି ଛତ୍ରପୁର ପୁଲିସ ୨୫୪ /୨୦୨୦ ନଂ ଏକ କେସ ରୁଜୁ କରି ତଦନ୍ତ ଚଳାଇଛନ୍ତି l ଏସମ୍ପର୍କ ରେ ଗଞ୍ଜାମ ଏସପି କହିଛନ୍ତି ଘଟଣା ନେଇ ପୁଲିସ ତଦନ୍ତ ଚଳାଇଛନ୍ତି ଏବଂ ସିସି ଟିଭି ଫୁଟେଜ ଯାଞ୍ଚ କରାଯାଉଛି l