ସୁନ୍ଦରଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ

ଭୁୁବନେଶ୍ୱର, (ୱାଇଏନ୍‍ଏସ୍‍ ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ରାଉରକେଲା ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଂଟନର ଶୁଭାରମ୍ଭ କରିଛନ୍ତି । ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଚିକିତ୍ସା ଖର୍ଚ୍ଚ ଜନିତ ଆର୍ôଥକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଂଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୁନ୍ଦରଗଡରେ ଦ୍ୱିତୀୟ ଏମ୍‌ସ ପାଇଁ ରାଜ୍ୟ ସରକାର ତାଙ୍କର ପ୍ରୟାସ ଜାରି ରଖିବେ । ଦେଶ ପାଇଁ ଅଲ୍‌ମ୍ପିକ୍‌ସ ଗୌରବ ଆଣିଥିବା ସୁନ୍ଦରଗଡବାସୀଙ୍କ ଏହି ନ୍ୟାୟପୂର୍ଣ୍ଣ ଦାବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡିଶା ସରକାର ତାଙ୍କର ଉଦ୍ୟମକୁ ଆହୁରି ଜୋରଦାର କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନ କରିଥିଲେ ।ସ୍ୱାସ୍ଥ୍ୟ କାର୍ଡ଼ ବଂଟନ ସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ । ଏଥିରେ ସଂଯୋଗୀକରଣ ଠାରୁ ଆରମ୍ଭ କରି ଭିତିଭୂମି ନିର୍ମାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ପରିମଳ, ଜଳସେଚନ, ଶକ୍ତି, ମହିଳା ଓ ଶିଶୁବିକାଶ ଆଦି ବିଭିନ୍ନ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ କରାଯିବ ।ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗ ଦେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଓଡିଶାରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା, ମେଡିକାଲ କଲେଜ ପ୍ରତିଷ୍ଠା ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ଅନନ୍ୟ କାର୍ଯ୍ୟକ୍ରମ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱର ଉଚ୍ଚପ୍ରଶଂସା କରିଥିଲେ । ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱର ପ୍ରଶଂସା କରିଥିଲେ । ବିଧାୟକ ସୁବ୍ରତ ତରାଇ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ