ସୁପରିକଳ୍ପିତ ହତ୍ୟାକାଣ୍ଡରେ ପୁଣି ୨ ସୁପାରୀକିଲର ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଗତ ଜାନୁୟାରୀ ମାସରେ ସଂଘଟିତ ଏକ ସୁପରିକଳ୍ପିତ ହତ୍ୟା ଘଟଣାରେ ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପୁଣି ୨ଜଣ ହତ୍ୟାକାରୀ ତଥା ସୁପାରୀକିଲରଙ୍କୁ ଆଜି ଗିରଫ କରିଥିବା ସୁଚନା ମିଳିଛି । ଅଡବା ଥାନା ଅଧିକାରୀ ଆଲୋକ ରଂଜନ ଜଗଦଲ କହିଛନ୍ତି,ଗତ ଜାନୁୟାରୀ ମାସ ୧ତାରିଖ ଦିନ ଅଡବା ମୁଖ୍ୟରାସ୍ତାରେ ବେଡସିଟ୍ ବନ୍ଧା ହୋଇ ଜଣେ ଡ୍ରାଇଭରଙ୍କ ଶବକୁ ଫିଙ୍ଗି ଦିଆଯାଇଥିଲା । ମୁନିଗୁଡା ବ୍ଲକ ଅଫିସରେ ଡ୍ରାଇଭରଭାବେ କାର୍ଯ୍ୟରତ ଦେବରାଜ ଚଣ୍ଡିଙ୍କୁ ତାଙ୍କ ସ୍ତ୍ରୀ ଅନ୍ୟ ଜଣକ ସହ ପ୍ରେମ ସମ୍ପର୍କ ଯୋଗୁଁ ସୁପରିକଳ୍ପିତ ଭାବେ ମୁନିଗୁଡା ନିଜସ୍ୱ ଘରେ ହତ୍ୟା କରି ଶବକୁ ପ୍ରାୟ ଦେଢଶହ କିମିରୁ ଉର୍ଦ୍ଧ୍ୱ ଦୁରରେ ଥିବା ଗଜପତି ଜିଲ୍ଲାର ଅଡବା ମୁଖ୍ୟରାସ୍ତାରେ ଫିଙ୍ଗି ଦେଇଥିଲେ । ଅଡବା ପୋଲିସ ଶବକୁ ଜବତ କରି ସେହି ସମୟରେ ତଦନ୍ତ କରି ହତ୍ୟକାଣ୍ଡରେ ସମ୍ପୃକ୍ତ ସ୍ତ୍ରୀ ଓ ତାର ପ୍ରେମିକକୁ ଗିରଫ କରିଥିଲେ । ହେଲେ ଏହି ସୁପରିକଳ୍ପିତ ହତ୍ୟାରେ ସମ୍ପୃକ୍ତ ୩ଜଣ ସୁପାରୀ କିଲର ସେହି ସମୟ ଠାରୁ ଫେରାର ଥିଲେ । ବର୍ତ୍ତମାନ ଏହି ୩ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଛି । ଏମାନେ ହେଲେ ଗଞ୍ଜାମ ଜିଲ୍ଲାର ଖରିଡା ଗ୍ରାମର ପ୍ରମୋଦ ବେହେରା ଏବଂ ଖଡଭାଗ ଗ୍ରାମର ଅନୀଲ ବେହେରା । ଏହି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ସୁପରିକଳ୍ପିତ ହତ୍ୟାରେ ସମ୍ପୃକ୍ତ ଅନ୍ୟ ଜଣେ ସୁପାରୀକିଲର ବର୍ତ୍ତମାନ ସୁଦ୍ଧା ଧରା ପଡି ନାହିଁ ବୋଲି ଅଡବା ଆଇଆଇସି ଆଲୋକ ରଂଜନ ଜଗଦଲ ସୁଚନା ଦେଇ କହିଛନ୍ତି,ତଦନ୍ତ ଜାରି ରହିଛି ଅତି ତୁରନ୍ତ ତାକୁ ଗିରଫ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ