‘ସୁପର ୩୦’ର ହଲିଉଡ୍ ରିମେକ୍
ମୁମ୍ବାଇ : ହ୍ରିତିକ ରୋଶନଙ୍କ ପାଇଁ ଚଳିତ ବର୍ଷ ବହୁତ ସଫଳ ଥିଲା। ଚଳିତ ବର୍ଷ ରିଲିଜ୍ ହୋଇଥିବା ତାଙ୍କର ଦୁଇଟି ଯାକ ସିନେମା ‘ସୁପର ୩୦’ ଓ ‘ୱାର୍’ ସୁପରହିଟ୍ ହୋଇଥିଲା। ଫିଲ୍ମ ‘ସୁପର ୩୦’ରେ ହ୍ରିତିକ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ସିନେମାକୁ ଖୁବ୍ ପସନ୍ଦ କରାଯାଇଥିଲା। ଫିଲ୍ମଟି ବକ୍ସ ଅଫିସ୍ରେ ଜବରଦସ୍ତ କଲେକ୍ସନ ମଧ୍ୟ କରିଥିଲା। ଫିଲ୍ମରେ ମୃଣାଳ ଠାକୁର ଓ ପଙ୍କଜ ତ୍ରିପାଠୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏବେ ଖବର ଶୁଣିବାକୁ ମିଳୁଛି ‘ସୁପର ୩୦’ ସିନେମାର ହଲିଉଡ୍ ରିମେକ୍ ହେବାର ଯୋଜନା କରାଯାଉଛି। ରିପୋର୍ଟ ମୁତାବକ ‘ସୁପର ୩୦’ର କାହାଣୀ ଏକ ସୁନ୍ଦର ବିଷୟବସ୍ତୁ ଉପରେ ଆଧାରିତ ଏବଂ ଏହାକୁ ସାରା ବିଶ୍ବର ଲୋକେ ଜାଣିବା ଉଚିତ। ହଲିଉଡ୍ରେ ଏହି କାହାଣୀ ପ୍ରତି ଆଗ୍ରହ ପ୍ରକାଶ ପାଇଥିବା ଦେଖାଯାଇଛି। ଲେଖକ ସଞ୍ଜୀବ ଦତ୍ତ ଇଂରାଜୀରେ ଏହି ଫିଲ୍ମର ସ୍କ୍ରିପ୍ଟ ଲେଖୁଥିବା ଜଣାପଡ଼ିଛି। ମୁଖ୍ୟ ଭୂମିକାରେ ଅଭିନୟ କରିବା ଲାଗି ଫିଲ୍ମ ନିର୍ମାତା କାଷ୍ଟ ଫାଇନାଲ କରିସାରିଥିବା ମଧ୍ୟ କୁହାଯାଉଛି। ଆନନ୍ଦ କୁମାର ଏହି ଫିଲ୍ମର ଅଂଶବିଶେଷ ହୋଇ ରହିବେ, କାରଣ ତାଙ୍କ ଜୀବନୀ ଉପରେ ଏହି ସିନେମା ପ୍ରସ୍ତୁତ ହୋଇଛି। ଅପରପକ୍ଷରେ ଆମେରିକାର ଏକ ପ୍ରଡକ୍ସନ୍ କମ୍ପାନୀର ଜଣେ ଏଜେଣ୍ଟ ଓରିଜିନାଲ ଫିଲ୍ମ ନିର୍ମାତାଙ୍କୁ ସାକ୍ଷାତ କରିବା ସହିତ ହଲିଉଡ୍ରେ ଏହି ସିନେମା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଛି।


