ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ଷତିପୂରଣ ସହ ସରକାରୀ ଚାକିରି ଦେବେ ରାଜ୍ୟ ସରକାର

ନୂଆଦିଲ୍ଲୀ(ଏଜେନ୍ସି): ୨ଠଠ୨ ଗୁଜରାଟ ଦଙ୍ଗାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍କିଶ୍ ବାନୋଙ୍କୁ ୫ଠ ଲକ୍ଷ ଟଙ୍କା କ୍ଷତିପୂରଣ, ସରକାରୀ ଚାକିରୀ ଓ ବାସଗୃହ ଯୋଗାଇଦେବା ପାଇଁ ସୁପ୍ରିମକୋର୍ଟ ଗୁଜରାଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିବା ବେଳେ ସୁପ୍ରିମକୋର୍ଟ ଏତାଦୃଶ ରାୟ ଦେଇଛନ୍ତି ।
ପ୍ରକାଶ ଯେ, ୧୭ବର୍ଷ ପୂର୍ବେ ୨ଠଠ୨ଗୁଜରାଟ ଦଙ୍ଗା ସମୟରେ ୧୧ଜଣ ବିଲକିଶ୍ ବାନୋଙ୍କୁ ଗଣଦୁଷ୍କର୍ମ କରିଥିଲେ । ସେ ସମୟରେ ବାନୋଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା । ତେବେ ଗଣଦୁଷ୍କର୍ମ ପରେ ସେ ଗର୍ଭବତୀ ହୋଇପଡିଥିଲେ । ପରେ ସେହି ଦଙ୍ଗା ଆଳରେ ବାନୋଙ୍କ ୩ବର୍ଷର ଶିଶୁ ସମେତ ପରିବାରର ୧୪ଜଣ ସଦସ୍ୟଙ୍କୁ ମାରି ଦିଆଯାଇଥିଲା । ଏହି ମାମଲାର ବିଚାର କରି ନିକଟରେ ବମ୍ବେ ହାଇକୋର୍ଟ ଜଣେ ଆଇପିଏସ୍ ଅଧିକାରୀଙ୍କ ସମେତ ୪ଜଣ ପୁଲିସ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ବିଲକିଶ୍ ବାନୋ ଗଣ ଦୁଷ୍କର୍ମ ଘଟଣାରେ ଏକ ସ୍ୱତନ୍ତ୍ର କୋର୍ଟ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ଏମାନେ ବାନୋଙ୍କ ଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ କରିନଥିବା ପ୍ରମାଣିତ ହୋଇଥିଲା । ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ୫ ପୁଲିସ୍ କର୍ମୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ପୂର୍ବରୁ ଗୁଜରାଟ ସରକାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠକୁ ଅବଗତ କରାଇଥିଲେ ଯେ, ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ପୃକ୍ତ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଗୁଜୁରାଟ ସରକାର ସ୍ପଷ୍ଟ କରିଥିଲେ । ପୂର୍ବରୁ ବିଲକିଶ୍ ବାନୋଙ୍କ ଓକିଲ ଗୁଜରାଟ ସରକାର ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ । ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଜଣେ ଆଇପିଏସ୍ଙ୍କ ସମେତ ଅନ୍ୟ ଦୋଷୀ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ବିଲକିଶ୍ ବାନୋଙ୍କୁୂ ୫ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବା ବେଳେ ବାନୋ କିନ୍ତୁ ଏହାକୁ ଗ୍ରହଣ କରିବାକୁ ମନାକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ