ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ ୨୬ରୁ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଯାଉଥିବା ୨୩ ତମ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବର ପ୍ରସ୍ତୁତି ଚାଲିଛି । କୋଭିଡ କଟକଣା ପାଇଁ ଦୀର୍ଘ ଦୁଇବର୍ଷ ଧରି ପ୍ରଭାବିତ ହୋଇଥିବା ମହୋତ୍ସବକୁ ଚଳିତବର୍ଷ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଉଦ୍ୟମ ଜାରି ରହିଥିବା ଶୁକ୍ରବାର ଆୟୋଜିତଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ସବ କମିଟି ସଭାପତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ସୂଚନା ଦେଇଛନ୍ତି । ଏହି ଚାରିଦିନିଆ ମହୋତ୍ସବରେ ପ୍ରତ୍ୟେହ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ, ସାଂସଦ, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଅତିଥ୍ ଭାବେ ଯୋଗ ଦେବେ । କେନ୍ଦ୍ର ଓ ରାଜ୍ୟସରକାରଙ୍କ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ପ୍ରତି ସଂଧ୍ୟାରେ ଖ୍ୟାତନାମା କଳାକାରଙ୍କ ଦ୍ୱାରା ବିବିଧ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ରାଜ୍ୟ ତଥା ରାଜ୍ୟ ବାହାର ମୁମ୍ବାଇ ଓ କୋଲକତାର କଳାକାର ଏଥିରେ ଅଂଶ ଗ୍ରହଣ କରିବେ । ଏହା ସହିତ ସ୍ଥାନୀୟ କଳାକାରଙ୍କୁ ନେଇ ମଧ୍ୟ ନୃତ୍ୟ, ଗୀତ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଦଯାପନୀ ଅର୍ଥାତ ୨୯ ତାରିଖ ରାତିରେ ରଂଗ ବେରଙ୍ଗର ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ୪ ଦିନିଆ ମହୋତ୍ସବରେ ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ଅଧୀନ ପିଏକ୍ସଇ ଓ ଆଇଟିଆର ସମେତ ଓମଫେଡ, ଟିପିଏନଓଡିଏଲ, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପାନୁଷ୍ଠାନ,ଏସଏଚଜି, ମିଶନ ଶକ୍ତି ପ୍ରଭୃତିଙ୍କ ଷ୍ଟଲ ପ୍ରଦର୍ଶିତ ହେବ । ପ୍ରତ୍ୟେକ ଅପରାହ୍ନରେ ବେଳାଭୂମିରେ ଭଲିବଲ,ବାସ୍କେଟବଲ, ରିଙ୍ଗବଲ, କବାଡି ପ୍ରଭୃତି ବିଭିନ୍ନ କ୍ରୀଡ଼ା ଆୟୋଜନ କରାଯିବ । ଜିଲା ପ୍ରଶାସନର ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ନେଇ ଏକ ପ୍ରସ୍ତୁତି ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ଉତ୍ସବର ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିବା ବେଳ ଆୟୋଜନରେ ପର୍ଯ୍ୟଟନ ଅଧିକାରୀ ଗଗନ ସାହୁ ସହଯୋଗ କରୁଛନ୍ତି ବୋଲି ଉତ୍ସବ କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଭଳି ଉତ୍ସବ କମିଟିର ସ୍ମରଣିକା “ସୁବର୍ଣ ସିକତା” ପ୍ରକାଶ କରାଯିବ । କଳା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ପ୍ରଭୃତି ବିଷୟକୁ ନେଇ ବହୁ ଉପାଦେୟ ଲେଖା ଏଥିରେ ପ୍ରକାଶ ପାଇବ । ୧୨ ତାରିଖ ସୁଦ୍ଧା ଲେଖକ ଲେଖିକା ଓ କବିମାନେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି । ତେବେ ଉତ୍ସବ ପାଇଁ ସ୍ଥ୍‍ାନୀୟ କଳାକାର, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ ଭିତ୍ତିକ ଅର୍ଡ଼ିସନ ଆସନ୍ତା ୧୫ ତାରିଖରୁ ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ । ବାଲେଶ୍ୱର ଜିଲାର ଗରିମା ବୃଦ୍ଧିରେ ସହାୟକ ହୋଇଥିବା ଏହି ମହୋତ୍ସବକୁ ସଫଳ ପାଇଁ କମିଟି ସହଯୋଗ ନିମନ୍ତେ ସଭାପତି ପୂର୍ବତନ ବିଧାୟକ ଶ୍ରୀ ଦାଶଙ୍କ ସମେତ ଉପ-ସଭାପତି ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ସାଧାରଣ ସମ୍ପାଦକ ହରେକୃଷ୍ଣ ଦାଶ ପ୍ରମୁଖ ଉତ୍ସବ କମିଟି କର୍ମକର୍ତ୍ତାମାନେ ସମସ୍ତଙ୍କୁ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ମରଣିକା ସମ୍ପାଦନର ମୁଖ୍ୟ ସମ୍ପାଦକ ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଅତିରିକ୍ତ ସାଧାରଣ ସଂପାଦକ ଭାବଗ୍ରାହୀ ମହାନ୍ତି, ସଂପାଦକ ଭାଗବତ ସାହୁ, ସମରେନ୍ଦ୍ର ଦାସ, ଡ. ଶ୍ରୀମାନ ଶ୍ରୀଚନ୍ଦନ, କିଶୋର ଦାସ, କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର, ଗଙ୍ଗାଧର ରାଉତ, ଅମୃତାଶୁ ପଟ୍ଟନାୟକ, ସତ୍ୟପ୍ରିୟ ମହାନ୍ତି, ଆରତୀ ଦାସ, ସନ୍ଧ୍ୟାରାଣୀ ଭୂୟାଁ, ଅପର୍ଣ୍ଣା ମହାପାତ୍ର, ସୁକୁମାର ରଣା, ପୁଣ୍ୟବ୍ରତ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ସତ୍ୟ ନାରାୟଣ ନନ୍ଦ, ସେକ ଆଲାମ ଅଲ୍ଲୀ ଖାଁ, କେ.କେ. ମହାରାଜ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ