ସୁରତରୁ ସାଇକେଲରେ ଫେରିଲେ ହିଞ୍ଜିଳି ପ୍ରବାସୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପରିବାର ଲୋକଙ୍କ ପେଟପାଟଣା ପାଇଁ ଦାଦନ ଶ୍ରମିକ ଭାବେ ଯାଇଥିଲେ ସୁଦୂର ଗୁଜରାଟ ରାଜ୍ୟର ସୁରତ ସହର।କିଛି ଦିନ ଧରି କାମ କରିବା ପରେ ଆରମ୍ଭ ହୋଇଥିଲା ଦୁଃଖ ଓ ଦୁର୍ଦ୍ଦିନର ଉତ୍କଟ ସମୟ।ମହାମାରୀ କରୋନା ପ୍ରଭାବ ଯୋଗୁଁ ଗୁଜରାଟ ସମେତ ସାରା ଦେଶରେ ଲକ ଡାଉନ ସ୍ଥିତି ଜାରୀ ରହିଲା।ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଲକ ଡାଉନ ପର୍ଯ୍ୟନ୍ତ କଷ୍ଟେ ମଷ୍ଟେ ନିଜକୁ ସମ୍ଭାଳି ନେଇଥିଲେ।କିନ୍ତୁ ତୃତୀୟ ଥର ଲକ ଡାଉନ ଘୋଷଣା ହେବା ପୂର୍ବରୁ ନିଜ ଭିଟାମାଟି ଓଡ଼ିଶାକୁ ଫେରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲେ ୮ଜଣ ସୁରତ ଫେରନ୍ତା।ଅର୍ଥାଭାବ ଯୋଗୁଁ ବସ କିମ୍ବା ଟ୍ରେନ ଯୋଗେ ନିଜ ନିଜ ଗାଁ କୁ ଫେରିବା ସେମାନଙ୍କ ପାଇଁ ସମ୍ଭବ ନ ଥିଲା।ଖଣ୍ଡେ ଖଣ୍ଡେ ସାଇକେଲ ଯୋଗାଡ଼ କରି ମଇ ୨ ତାରିଖରୁ ସୁରତ ସହରର ବେସ୍ତାନରୁ ଓଡ଼ିଶା ଅଭିମୁଖେ ସେମାନେ ଯାତ୍ରା ଆରମ୍ଭ କରିଥିଲେ।ସାଙ୍ଗରେ ଧରିଥିଲେ ଚାଉଳ ଓ ଡାଲି ସହ ମରାମତି ସାମଗ୍ରୀ।ଦୀର୍ଘ ୧୩ ଦିନ ଧରି ସଡକ ପଥରେ ସାଇକେଲ ଚଳାଇ ଗୁରୁବାର ଗଞ୍ଜାମ ଜିଲ୍ଲାରେ ପହଞ୍ଚି ଥିଲେ ୩ ଜଣ ସୁରତ ଫେରନ୍ତା ଯୁବକ। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଷୋତ୍ତମ ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ହିଞ୍ଜିଳି ବ୍ଲକର ବୋଲି ଜଣାପଡ଼ିଛି। ହିଞ୍ଜିଳି ବ୍ଲକକୁ ଫେରିଥିବା ପ୍ରବାସୀ ଜଣକ ଘରକୁ ଫେରି ନ ଥିଲେ।ବରଂ ନୋଡାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କୁ ସହଯୋଗ କରି ସଙ୍ଗରୋଧ କେନ୍ଦ୍କକୁ ଫେରିଥିଲେ। ସାଇକେଲ ଯୋଗେ ଓଡ଼ିଶାକୁ ଫେରିଥିବା ଅନ୍ୟ ୫ଜଣ ସୁରତ ଯୁବକ କଟକ ଓ ପୁରୀ ଜିଲ୍ଲା ଅଞ୍ଚଳର ବୋଲି ହିଞ୍ଜିଳି ପ୍ରବାସୀଙ୍କ ଠାରୁ ସୂଚନା ମିଳିଛି। ବହୁକଷ୍ଟ ଓ ଦୀର୍ଘ ୧୮୦୦ କିମି ରାସ୍ତା ଅତିକ୍ରମ କରି ଗାଁ ମାଟିରେ ପହଞ୍ଚିଲୁ ବୋଲି ଦୁଃଖରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ