ସୁରାଟରେ ପ୍ରତିଷ୍ଠା ହେଲା ଶ୍ରମିକ ସହାୟକ କେନ୍ଦ୍ର

ପୋଲସରା/ବୁଗୁଡା, (ଅନିଲ କୁମାର ମହାରଣା):ସୁରାଟରେ ରହୁଥିବା ଓଡ଼ିଆ ଶ୍ରମିକମାନଙ୍କ ଉପକାର ପାଇଁ ସୁରାଟ ସହରରେ ପ୍ରତିଷ୍ଠା ହେଲା ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର। ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ସୁରତର ପାଣ୍ଡେସର ରୋଡ଼ରେ ଓଡ଼ିଶାର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଶ୍ରମ ସଚିବ ଓ ଶ୍ରମ କମିଶନର ମଧ୍ୟ ଗସ୍ତ କରିଥିଲେ। ଗତ ୨୦୨୨ ସେପ୍ଟେମ୍ବର ୨୫ ତାରିଖ ଦିନ ସୁରାଟର ବିଭିନ୍ନ ପ୍ରବାସୀ ଓଡ଼ିଆ ସଙ୍ଗଠନ ସହ ଆଲୋଚନା ବେଳେ ସୁରାଟରେ ଓଡିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର କାର୍ଯ୍ୟାଳୟ ଖୋଲିବାକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ପ୍ରକାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ଐତିହାସିକ ପଦକ୍ଷେପ ସ୍ୱରୂପ ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପତ୍ରସଂଖ୍ୟା ୮୮୧୭/୨୬.୧୦.୨୨ ପ୍ରକାରେ ସୁରାଟରେ ଶ୍ରମ ବିଭାଗ ପକ୍ଷରୁ ଓଡ଼ିଆ ଶ୍ରମିକ ସହାୟକ କେନ୍ଦ୍ର କାର୍ଯ୍ୟାଳୟ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସୁରାଟରେ ଏହି କାର୍ଯ୍ୟାଳୟ ଖୋଲିବା ଦ୍ୱାରା ସୁରାଟରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ବୃନ୍ଦ ନିଜର ସମସ୍ୟା ଓ ଅଭିଯୋଗ ଜଣାଇପାରିବେ। ଓଡିଶା ସରକାର ଏହାର ସମାଧାନ କରିବା ଦ୍ୱରା ଓଡ଼ିଆ ଶ୍ରମିକ ବୃନ୍ଦଙ୍କ ନିରାପତ୍ତା ଓ ମଙ୍ଗଳ ହୋଇପାରିବ। ଏହି ଅବସରରେ ପୂର୍ବାହ୍ନରେ ଶ୍ରମ ମନ୍ତ୍ରୀ ଶ୍ରୀ ସାହୁ ସୁରାଟର ଯେଉଁ ଚାରି ଗୋଟି ହସପିଟାଲକୁ ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ( ବି.ଏସ.କେ.ୱାଇ.)ରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ସମ୍ମତି ଦେଇଛନ୍ତି ସେହି ଚାରିଗୋଟି ହସପିଟାଲ ପରିଦର୍ଶନ କରି ଆଲୋଚନା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଆନ୍ତରିକ ଉଦ୍ୟମ ପାଇଁ ପ୍ରବାସୀ ଓଡିଆମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ