ସୁରାଟ ପ୍ରବାସୀ ଓଡ଼ିଆ କଲ୍ୟାଣ ଓ ଉନ୍ନତି କର୍ମଶାଳାରେ ଶ୍ରମ ମନ୍ତ୍ରୀ

ପୋଲସରା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏକ ସରକାରୀ ଗସ୍ତରେ ସୁରତ ସହରକୁ ଯାଇ ପ୍ରବାସୀ ଓଡ଼ିଆମାନଙ୍କ କଲ୍ୟାଣ ଓ ଉନ୍ନତି କର୍ମଶାଳାରେ ସେପ୍ଟେମ୍ବର ୨୫ ତାରିଖ ଦିନ ଯୋଗଦେଇଛନ୍ତି। ଓଡ଼ିଶା ସରକାରଙ୍କ ରାଜ୍ୟ ଶ୍ରମିକ କମିଶନର, ସୁରତର କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ଓଡ଼ିଶାର ଶ୍ରମ ମନ୍ତ୍ରୀ ସୁରତ ଗସ୍ତ କରୁଥିବା ନେଇ ପତ୍ର ଲେଖିଥିଲେ। ସେଥିରେ ସେ ଦର୍ଶାଇ ଥିଲେ ଯେ ମାନ୍ୟବର ଶ୍ରମ ମନ୍ତ୍ରୀ ସେପ୍ଟେମ୍ବର ୨୩ ତାରିଖ ସନ୍ଧ୍ୟାରେ ସୁରାଟରେ ପହଞ୍ଚିବେ ଓ ୨୫ ତାରିଖ ଦିନ ସର୍ଦ୍ଦାର ବଲଭଭାଇ ପଟେଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଗେଷ୍ଟ ହାଉସ କନ୍ଫରେନ୍ସ ହାଲରେ ପ୍ରବାସୀ ଓଡ଼ିଆମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଆଲୋଚନା କରିବେ। ସେହି ପ୍ରକାରେ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ରହଣି ସମୟରେ ବିଭିନ୍ନ ଓଡ଼ିଆ ଅନୁଷ୍ଠାନ ପରିଦର୍ଶନ କରିବା ସହ ସେପ୍ଟେମ୍ବର ୨୫ ତାରିଖ ଦିବା ୧୧ ଘଣ୍ଟା ସମୟରେ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କ ସହ ଏସ.ଭି.ପି.ଆଇ.ଟି. ଗେଷ୍ଟ ହାଉସ କନ୍ଫରେନ୍ସ ହାଲରେ ଏକ ସମ୍ମିଳନୀରେ ଯୋଗଦେଇଥିଲେ। ପ୍ରବାସୀ ଓଡ଼ିଆ ସମାଜ କଲ୍ୟାଣ ଓ ଉନ୍ନତି କର୍ମଶାଳାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ସହ ରାଜ୍ୟ ଶ୍ରମିକ କମିଶନର ଡ଼ଃ ଏନ. ଥିରୁମୁଲା ନାୟକ, ସହ ଶ୍ରମିକ କମିଶନର ସୁନୀଲ କୁମାର ଦାଶ, ରାଜ୍ୟ ଶ୍ରମିକ ଅଧିକାରୀ ଭକ୍ତବନ୍ଧୁ ଆଚାର୍ଯ୍ୟ, ଶ୍ରମ ମନ୍ତ୍ରୀଙ୍କ ପିଏ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବତନ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ଶ୍ରମ ମନ୍ତ୍ରୀ ନିଜ ବକ୍ତବ୍ୟରେ ସୁରାଟରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ପକ୍ଷରୁ ଏକ ସହାୟତା କେନ୍ଦ୍ର ଖୋଲିବା ପାଇଁ ଚିନ୍ତା କରାଯାଇଥିବା ପ୍ରକାଶ କରିଥିଲେ। ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ମାନେ ଯଦି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେହି ସହାୟତା କେନ୍ଦ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ସହଯୋଗ ଓ ସହାୟତା ପାଇପାରିବେ। ସୁରାଟରେ ୧୦ କୋଟି ଟଙ୍କା ବ୍ୟୟରେ ପ୍ରବାସୀ ଓଡ଼ିଆ ସାସ୍କୃତିକ ଭବନ ନିର୍ମାଣ ପାଇଁ ତିନି ବର୍ଷ ପୂର୍ବେ ଗୁଜୁରାଟ ସରକାରଙ୍କୁ ଓଡ଼ିଶା ସରକାର ପତ୍ର ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜମି ଖଣ୍ଡେ ଯୋଗାଇ ପାରିଲେ ନାହିଁ। ଗୁଜରାଟ ସରକାର ଯଦି ତୁରନ୍ତ ଜମି ଯୋଗାଇବାରେ ଅବହେଳା କରନ୍ତି ତେବେ ପ୍ରବାସୀ ଓଡ଼ିଆ ଓ ଓଡ଼ିଶାର ବାଦାନ୍ୟ ବ୍ୟକ୍ତିଙ୍କ ଠାରୁ ଦାନ ସଂଗ୍ରହ କରି ସୁରାଟରେ ଜାଗା କ୍ରୟ କରାଯାଇ ରାଜ୍ୟ ସରକାରଙ୍କ ଅର୍ଥରେ ସାଂସ୍କୃତିକ ଭବନ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଏହି କର୍ମଶାଳାରେ ସୁରାଟ ର ବିଭିନ୍ନ ସଙ୍ଗଠନର ବହୁ ପ୍ରବାସୀ ଓଡିଆମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ