ସୁରାଟ ଯିବା ବେଳେ ଟ୍ରେନ ଚକାତଳେ ଚାଲିଗଲା ଶ୍ରମିକଙ୍କ ଜୀବନ ।

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ସହରର ଜଣେ କୁଶଳୀ ଶ୍ରମିକ ସୁରାଟକୁ ଗଲାବେଳେ ବାଲୁଗାଁ ରେଳ ଷ୍ଟେସନରେ ଚଳନ୍ତି ଟ୍ରେନରେ ଚଢୁଥିବା ବେଳେ ଖସିପଡି ଟ୍ରେନ ଚକାତଳେ ପଡି ଜୀବନ ହରାଇଥିବା ଜଣାପଡିଛି । ଗତ ଅକ୍ଟୋବର ୧୭ ତାରିଖରେ ପୋଲସରା ସହର, ୧୧ ନଂ ୱାର୍ଡ, ମାଧବ ପୃଷ୍ଟି ସାହିର ପ୍ରଫୁଲ ସାହୁ(୪୭) ଓ ଖଲ୍ଲିକୋଟ ନିକଟ କହ୍ନେଇପୁର ଗ୍ରାମର ଝଡ଼ିଆ ସ୍ଵାଇଁ(୪୦) ଦୁହେଁ ମିଶି ନିଜ ପରିବାର ପ୍ରତିପୋଷଣ ପାଇଁ କାମ କରିବାକୁ ସୁରାଟ ଯିବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ୨୯୭୪ ରେ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଟ୍ରେନରେ ବସିଥିଲେ। ସେଦୁହେଁ ପୂର୍ବରୁ ଟିକେଟ କରି ସିଟ ରିଜର୍ଭ କରିଥିଲେ ମଧ୍ୟ ସଠିକ ଜାଣିନପାରି ଅନ୍ୟଏକ ବଗିରେ ବସିଥିଲେ । ଚଳନ୍ତି ଟ୍ରେନରେ ଟ୍ରେନ ଟିକେଟ ନିରୀକ୍ଷକ ସେମାନଙ୍କ ଟିକେଟ ତନଖି ସେଦୁହେଁ ଭୁଲ ଜାଗାରେ ବସିଥିବା ପ୍ରକାଶ କରି ପରବର୍ତ୍ତୀ ଷ୍ଟେସନରେ ନିଜ ରିଜର୍ଭ ସିଟ ବଗିକୁ ଯିବାକୁ ପରାମର୍ଶ ଦେଇଥିଲେ । ଟ୍ରେନ ପରବର୍ତ୍ତୀ ଷ୍ଟେସନ ବାଲୁଗାଁରେ ଦୁଇ ମିନିଟ ପାଇଁ ରହିଥିବା ବେଳେ ସେଦୁହେଁ ବସିଥିବା ବଗିରୁ ନିଜ ରିଜର୍ଭ ବଗିକୁ ଯିବାକୁ ଓହ୍ଲାଇ ଥିଲେ । ଝଡ଼ିଆ ଶୀଘ୍ର ଯାଇ ନିଜ ବଗିରେ ଚଢିଥିବା ବେଳେ ପ୍ରଫୁଲ ଶୀଘ୍ର ଯାଇପାରି ନଥିଲେ । ଏହି ସମୟରେ ଟ୍ରେନ ଷ୍ଟେସନ ଛାଡିବା ଆରମ୍ଭ କରିବାରୁ ଯେଉଁ ବଗି ନିକଟରେ ପ୍ରଫୁଲ ଥିଲେ ସେହି ବଗିରେ ଚଢ଼ିବାକୁ ଚେଷ୍ଟା କଲାବେଳେ ହାତ ଖସିଯିବା ଯୋଗୁ ଟ୍ରେନ ଚକା ତଳେ ପଡିଯାଇଥିଲେ । ଏହି ଦୃଶ୍ୟ ଦେଖି ଟ୍ରେନରେ ବସିଥିବା ଜଣେ ବ୍ୟକ୍ତି ତୁରନ୍ତ ଜରୁରୀ କାଳୀନ ସତର୍କ ଶିକୁଳି ଟାଣିବା ଯୋଗୁଁ ଗାଡି ଅଟକି ଥିଲା । ଟ୍ରେନ ଚକାତଳେ ପଡି ଗୁରୁତର ଆହତ ପ୍ରଫୁଲଙ୍କୁ ରେଳ ବିଭାଗ ପୋଲିସ ସହଯୋଗରେ ଉଦ୍ଧାର କରି ସାଥିରେ ଥିବା ଝଡ଼ିଆ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ମେଡିକାଲ ନେବା ବାଟରେ ପ୍ରଫୁଲଙ୍କ ଜୀବନ ଚାଲିଯାଇଥିଲା । ବ୍ରହ୍ମପୁରରେ ଡାକ୍ତର ପ୍ରଫୁଲଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ବ୍ରହ୍ମପୁର ରେଳବିଭାଗ ପୋଲିସ ପ୍ରଫୁଲଙ୍କ ମରଶରୀର ଜବତ କରି ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ୧୮ ତାରିଖ ଦିନ ହସ୍ତାନ୍ତର କରିଥିଲେ । ଶୋକକୁଳ ପରିବେଶ ମଧ୍ୟରେ ପ୍ରଫୁଲଙ୍କ ଶବ ସଂସ୍କାର ପୋଲସରରେ ହୋଇଥିଲା। ମନୁଷ୍ୟ ଜନ୍ମ ହେଲେ ମରଣ ସୁନିଶ୍ଚିତ । ଏହା ନିରାଟ ସତ୍ୟ । ହେଲେ ଏହି ଘଟଣା ସହ ସୁରାଟରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କ୍ଷେତ୍ରରେ ଶ୍ରମିକଙ୍କ ପରିବାର ହତାଶ ହେବାର ବହୁ ଦୃଶ୍ୟ ନଜରକୁ ଆସିଛି । ସରକାରଙ୍କ ଶ୍ରମ ବିଭାଗ ଅଧିକାରୀଙ୍କ ଶ୍ରମିକ ସଚେତନତା କାର୍ଯ୍ୟକ୍ରମରେ ଅବହେଳା ଯୋଗୁଁ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ନାମ ପଞ୍ଜିକରଣ ହୋଇପାରୁନାହିଁ କିମ୍ବା ସରକାରଙ୍କ ବିଭିନ୍ନ ଦୁର୍ଘଟଣା ଜନିତ ବୀମା ଯୋଜନାର ସୁଫଳ ଶ୍ରମିକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଯେଉଁ କାର୍ଯ୍ୟ ଶ୍ରମ ବିଭାଗ କରିବା କଥା ସେହି କାର୍ଯ୍ୟ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ପ୍ରଦୀପ କୁମାର ସାହୁ ମହୋଦୟ ବିଭିନ୍ନ ସ୍ଥାନରେ ବୈଠକ କରି ଶ୍ରମିକଙ୍କୁ ସଚେତନ କରାଇ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ଜନିତ ବୀମା ଯୋଜନା କରିବା ପାଇଁ ପରାମର୍ଶ ଦେଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରି ଶ୍ରମିକମାନଙ୍କୁ ସଚେତନତା କରିପାରିଲେ ଶ୍ରମିକଙ୍କ ପରିବାର ଉପକୃତ ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ