ସୁସ୍ଥ ଜଗତୀକରଣ ପ୍ରକ୍ରିୟାରେ ସାମାଜିକ ନ୍ୟାୟର ବ୍ୟବସ୍ଥା
୨୦ଫେବୃୟାରୀ, ବିଶ୍ୱ ସାମାଜିକ ନ୍ୟାୟ ଦିବସଉପଲକ୍ଷେ:
ସୁସ୍ଥ ଜଗତୀକରଣ ପ୍ରକ୍ରିୟାରେ ସାମାଜିକ ନ୍ୟାୟର ବ୍ୟବସ୍ଥା
ବିପିନ ବିହାରୀ ମହାନ୍ତି
କୌଣସି ବ୍ୟକ୍ତିର ସୁସ୍ଥତା କହିଲେ ଶାରିରୀକ, ମାନସୀକ, ସାଂସ୍କୃତିକ ଏବଂ ସାମାଜିକ ସୁସ୍ଥତାକୁ ବୁଝାଏ । ସାମାଜିକ ସୁସ୍ଥତା ହେଉଛି ସେହି ସୁସ୍ଥତା ଯାହାକି ଜଣେ ବ୍ୟକ୍ତି ଅଭାବ ଏବଂ ଅନାଟନର ଦୂରରେ ରହି ସୁଖ ଏବଂ ଶାନ୍ତିରେ ସମାଜରେ ବସବାସ କରିପାରିବ । ସାମାଜିକ ସୁସ୍ଥତାର ବାଧକ ହେଉଛି ଦାରିଦ୍ର୍ୟ, କିଛି ବଂଞ୍ଚିତ ବା ବର୍ଜିତ କାରଣ ତଥା ବେକାରୀ ସମସ୍ୟା । କୌଣସି ପ୍ରକାରେ ଏହି ତିନୋଟି ଆବଶ୍ୟକ କୌଣସି ବ୍ୟକ୍ତି ପାଖରେ ପହଞ୍ôଚ ପାରିଲେ, ଏ ସମସ୍ୟା ରହିବନାହିଁ । ନୋହିଲେ ଏହାହିଁ ଆମ ଦୁଃଖର କାରଣ । ସମାଜରେ ଏ ନେଇ ବୈଷମ୍ୟ ରହିଥିବା ହେତୁ ଏବଂ ଜଣଙ୍କ ପାଖରେ ତା’ର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଏବଂ ବାସଗୃହର ଅଭାବ ରହିବା କାରଣରୁ ସେ ସାମଜିକ ସ୍ୱାସ୍ଥ୍ୟ ପାଇପାରେ ନାହିଁ । ଏହି ପ୍ରକାର ବ୍ୟକ୍ତିମାନେ ସମାଜରେ ବଡ଼ ଦୟନୀୟ ଅବସ୍ଥାରେ ବାସ କରନ୍ତି । ଏ ବିଶ୍ୱରେ ଏହିପରି ଅନେକ ବଂଞ୍ôଚତ ଅଥବା ବର୍ଜ୍ଜିତ ଗୋଷ୍ଠୀ ଦୈନନ୍ଦିନ ବହୁଦୁଃଖରେ କାଳାତିପାତ କରନ୍ତି ।
ବିଶ୍ୱର ଏହି ଦୁଃଖ ଦେଖି ସନ୍ଥ କବି ଭୀମଭୋଇ ଆର୍ତ୍ତନାଦ ସ୍ୱରରେ ଯେଉଁ ପଂକ୍ତିିଟି ଗାଇ ଉଠୁଥିଲେ :-
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ
ଏ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ । ।
ଭୀମଭୋଇଙ୍କର ଏହି ଉକ୍ତିଟି ଜାତିସଂଘର ସନନ୍ଦ ସ୍ତମ୍ଭରେ ଲିଖିତ ହୋଇଅଛି ଯାହାର ଅର୍ଥ ହେଉଛି ଆସ ଏହି ଅନ୍ଧ କବିଙ୍କ ଲାଖେ ବିଶ୍ୱର ମଂଗଳ ପାଇଁ କାନ୍ଦିବା ଏବଂ ସେମାନଙ୍କ ପିଣ୍ଡ ପାଇଁ ମଣ୍ଡ ଯୋଗାଇଦେବା ପୂର୍ବକ ସେମାନଙ୍କଠୁ ଆନନ୍ଦର ହସ ଟିକିଏ ଦାବୀକରିବା ।
ସୁସ୍ଥ ଜଗତୀକରଣ ପକ୍ରିୟାରେ ସାମାଜିକ ସୁସ୍ଥତା ପାଇଁ ସାମାଜିକ ନ୍ୟାୟ ବ୍ୟବସ୍ଥାର ଆବଶ୍ୟକତା ରହିଛି । ଏହି ସାମାଜିକ ନ୍ୟାୟ ବିଶ୍ୱସ୍ତରରେ କାର୍ଯ୍ୟକାରୀ ହେଲେ ବିଶ୍ୱରୁ ଦାରିଦ୍ର୍ୟ, ବେକାରୀ ବା ବର୍ଜିତ ସମସ୍ୟା ରହିବ ନାହିଁ । ଏହାକୁ ଆଖିରେ ରଖି ଏବଂ ଏ ଜନିତ ସକଳ ସମସ୍ୟାର ସମାଧାନ ଏବଂ ଉନ୍ନତି କଳ୍ପେ ମିଳିତ ଜାତିସଂଘର ସାଧାରଣ ପରିଷଦରେ ୨୬ ନଭେମ୍ବର ୨୦୦୭ରେ ଘୋଷଣାନାମା ହୋଇଅଛି ଏବଂ ଏହି ଘୋଷଣା ନାମା ଅନୁସାରେ ପ୍ରତିବର୍ଷ ୨୦ଫେବୃୟାରୀକୁ ବିଶ୍ୱ ସାମାଜିକ ନ୍ୟାୟ ଦିବସ ରୂପେ ପାଳିତ ହେବାକୁ ନିଷ୍ପତ୍ତି ହୋଇଛି ଏବଂ ୨୦୦୯ ଠାରୁ ପାଳିତ ହୋଇଆସୁଛି । ମିଳିତ ଜାତିସଂଘର ଶିଖର ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ବିଶ୍ୱରେ ସାମାଜିକ ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ସାମାଜିକ ପ୍ରଗତି ଯଥାକ୍ରମେ ସାମାଜିକ ନ୍ୟାୟ, ସଂହତି, ପାରଷ୍ପରିକ ନିର୍ଭରଶୀଳତା ଏବଂ ସମାନତା ଉପରେ ଗୁରୁତ୍ୱ ଦିଏ । ପୁନଶ୍ଚ ସାମାଜିକ ନ୍ୟାୟ, ସମତା ଏବଂ ନିରପେକ୍ଷତା ମିଶି ସମାଜର ମୌଳିକ ମୂଲ୍ୟବୋଧର ଉପଯୋଗିତାକୁ ବୁଝାଏ । ମିଳିତ ଜାତିସଂଘ ମତରେ ଆମେ ଏମିତି ଏକ ସମାଜ ଚାହୁଁ ଯାହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ଥିବ( ଇ ଝକ୍ଟମସରଗ୍ଧଚ୍ଚ ଲକ୍ଟକ୍ସ ବକ୍ଷକ୍ଷ) ଯେଉଁଠି ପ୍ରତିଟି ବ୍ୟକ୍ତି ତା’ର ସାମାଜିକ ନ୍ୟାୟ ଜାତୀୟ, ଆଞ୍ଚଳିକ ଏବଂ ଆର୍ନ୍ତଜାତିକ ସ୍ତରରେ ଉପଲବ୍ଧି ହେଉଥିବ । ଏହି ସାମାଜିକ ନ୍ୟାୟ ମତେ ପ୍ରତିଟି ବ୍ୟକ୍ତି ସେ ଅଞ୍ଚଳ ବା ଦେଶ ଅଥବା ବିଶ୍ୱର ଅର୍ଜନ ଏବଂ ସଂପଦର ସମ୍ୟ ବଣ୍ଟନର ଉପଭୋଗ୍ୟତା ଲାଭ କରୁଥିବ ଯେଉଁଥିରେ ନିରପେକ୍ଷତା, ସମାନତା ଏବଂ ସମାନ ସୁଯୋଗ ସମସ୍ତଙ୍କୁ ଉପଲବ୍ଧ ଥିବ । ସମସ୍ତଙ୍କ ପାଇଁ ଗୋଟିଏ ସମାଜ ସାଧାରଣତଃ ସାମାଜିକ ନ୍ୟାୟ ଏବଂ ମାନବିକ ଅଧିକାର ତଥା ମୌଳିକ ସ୍ୱାଧୀନତା ଉପରେ ସମ୍ମାନ ଦେଇ ଆଧାରିତ ଥିବ ।
ବିଶ୍ୱର ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧଶାଳୀ ସହବାସ୍ଥାନ ପଛରେ ସାମାଜିକ ନ୍ୟାୟ କାମ କରେ । ଏଇ ସାମାଜିକ ନ୍ୟାୟ ଲିଙ୍ଗ ସ୍ଥାନ, ଦେଶାନ୍ତୀକରଣ, ସ୍ଥାନାନ୍ତୀକରଣ ତଥା ଅଧିଷ୍ଠାନର ଭେଦଭାବ ଉର୍ଦ୍ଧ୍ୱରେ ସର୍ବତ୍ର ସମାନ ଭାବରେ କାର୍ଯ୍ୟକରେ । ସାମାଜିକ ନ୍ୟାୟ ଠିକ୍ ଭାବରେ ସେଠି କାମ କରୁଛି ବୋଲି ଆମେ ଭାବିବା ଯେତେବେଳେ ଏହା କୌଣସି ଦେଶର ସୀମା ସରହଦ ଡ଼େଇଁ ଲିଙ୍ଗ, ବୟସ, ଜାତି, ଧର୍ମ, ସଂସ୍କୃତି, କ୍ଷମ ଏବଂ ଅକ୍ଷମ ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ସମାନ ନ୍ୟାୟ ଯୋଗାଉଥିବ । ମଣିଷର ବ୍ୟକ୍ତିତ୍ୱ ଏବଂ ଉନ୍ନତି କଳ୍ପେ ଜଗତୀକରଣ ପ୍ରକ୍ରିୟାରେ ଏହି ସାମାଜିକ ନ୍ୟାୟ ବିଶ୍ୱରେ ସର୍ବତ୍ର ସମାନ ଭାବରେ କାର୍ଯ୍ୟକରିବା ଉପରେ ଜାତିସଂଘ ଗରୁତ୍ୱ ଦିଏ ।
ବିଶ୍ୱବାସୀଙ୍କର ସୁଖ ,ଶାନ୍ତି ଏବଂ ଉନ୍ନତି କଳ୍ପେ ଆଜିର ଏ ସଙ୍କୁଚିତ ପୃଥିବୀରେ, ଏ ବିଶ୍ୱ ଏକ ପରିବାର ନ୍ୟାୟରେ, ଆମେ ପ୍ରତିଟି ବ୍ୟକ୍ତି ସେ ପରିବାରର ସଦସ୍ୟ ବିଚାରରେ, ବଂଚିବାରେ ନିଶ୍ଚିତ ଭାବରେ ଆନ୍ତର୍ଜାତିକ ସ୍ତରରେ ଏହାର ପ୍ରଗତି କଳ୍ପେ କାର୍ଯ୍ୟ କରିବାରେ ସହାୟକ ହେବା ସହିତ ଦାରିଦ୍ର୍ୟ ନିରାକରଣ, ମାନବ ସମ୍ବଳର ଯଥାର୍ଥ ବିନିଯୋଗ, ବେକାରୀ ସମସ୍ୟାର ସମାଧାନ ଏବଂ ମନଲାଖି ଅଥବା ପସନ୍ଦ ମୁତାବକ କର୍ମ ସୁଯୋଗଲାଭ ପୂର୍ବକ ସବୁର ଉର୍ଦ୍ଧ୍ୱରେ ରହି ନିଜକୁ ସାମିଲ କରି ସାମାଜିକ ନ୍ୟାୟ ସଭିଁଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ କରିପାରିଲେ, ଗୋଟିଏ ସୁସ୍ଥ ଏବଂ ବାସପଯୋଗୀ ବିଶ୍ୱଟିଏ ସୃଷ୍ଟି କରିହେବ । ଏହି ଉଦେଶ୍ୟ ନେଇ ମିଳିତ ଜାତିସଂଘ ତରଫରୁ ଆନ୍ତର୍ଜାତିକ ଶ୍ରମିକ ସଂଗଠନ କାମକରୁଅଛି ।
ଏହି ବିଶ୍ୱ ସାମାଜିକ ନ୍ୟାୟ ଦିବସଟିକୁ ମିଳିତ ଜାତିସଂଘର ୧୮୨ଟି ସଭ୍ୟ ରାଷ୍ଟ୍ର ପାଳନ କରନ୍ତି ଏବଂ ଏହି ଅବସରରେ ସାମାଜିକ ନ୍ୟାୟ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ରଖିଥାନ୍ତି । ନିଜର ତଥା ବିଶ୍ୱର ମଂଗଳାର୍ଥେ ଆମ୍ଭେମାନେ ଏହାର ଅଂଶୀଦାର ହେବା ଉଚିତ୍ ।
ବିକାଶା ନଗର,ଜଟଣୀ,
ମୋ-୯୯୩୮୩୪୪୧୩୮