ସୁସ୍ଥ ସମାଜ ଗଠନ ପାଇଁ ପାରମ୍ପରିକ ଚିକିତ୍ସା ପଦ୍ଧତିର ପୁନରୁତ୍ଥାନ ଜରୁରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିନୋବା ସେବା ପ୍ରତିଷ୍ଠାନ, ଭୁବନେଶ୍ୱର ଓ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହାୟତାରେ ଚଳିତବର୍ଷର ଆୟୁର୍ବେଦ ପର୍ବ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜରେ ଗତକାଲି ଉଦ୍‌ଘାଟନ ହୋଇଯାଇଛି । କାର୍ଯ୍ୟକ୍ରମକୁ ଶିଳ୍ପୀଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଥିବା ବେଳେ ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡ଼ାଇରେକ୍ଟର ଆୟୁଷ, ଓଡ଼ିଶା ସରକାର ଡ଼ାକ୍ତର ତ୍ରିଲୋଚନ ମାଝି, ଡ଼ାକ୍ତର ସୁଧୀର ଦାସ, ପ୍ରିନ୍ସିପାଲ ଡ଼ାକ୍ତର ଅଭିନବ ଚନ୍ଦ୍ର ହୋମିଓପ୍ୟାଥି ମେଡ଼ିକାଲ କଲେଜ, ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନର୍ବାଚନ କମିଶନ, ଭାରତ ସରକାର, ନମ୍ରତା ଚଢା, ପୂର୍ବତନ ଚେୟରମ୍ୟାନ, ରାଜ୍ୟ ମହିଳା କମିଶନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଗଠନର ସାଧାରଣ ସମ୍ପାଦକ ମନୋଜ ଜେନା ସ୍ୱାଗତ ଭାଷଣ ଦେଇ କରୋନା ସମୟରେ ଦୁନିଆର ସମସ୍ତ ବିତ୍ତଶାଳୀ ଦେଶ ଏହି ମହାମାରୀ ସହିତ ଲଢୁଥିବା ବେଳେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତି ଆମର ଲୋକମାନଙ୍କୁ ଏହି ମହାମାରୀରୁ ବଞ୍ଚାଇ ପରିଥିବା କହିଥିଲେ । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟସଭା ସାଂସଦ ମହାପାତ୍ର ଆୟୁର୍ବେଦର ସମୃଦ୍ଧିରେ ହିଁ ସମାଜର ସମୃଦ୍ଧି ହୋଇପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମର ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଦାସ ଆୟୁଷ ଚିକିତ୍ସାକୁ ସର୍ବୋତ୍କୃଷ୍ଟ ଚିକିତ୍ସା କହି, ସର୍ବଦା ଜଣେ ମଣିଷ ଏହି ଚିକିତ୍ସାରେ ରହିଲେ ଦୀର୍ଘାୟୁ ହୋଇପାରିବ ବୋଲି କହିଥିଲେ । ରାଜ୍ୟ ସରକାର ଏହି ଚିକିତ୍ସା ପଦ୍ଧତିର ପ୍ରାଚୀନ ଓ ପ୍ରସାରକୁ ଅଗ୍ରାଧିକାର ଦେଉଛନ୍ତି ବୋଲି କହିଥିଲେ । ଡ଼କ୍ଟର ଭଗବାନ ପ୍ରକାଶ, ଉପଦେଷ୍ଟା, ନିର୍ବାଚନ କମିଶନ, ଭାରତ ସରକାର ଗତ ଦୁଇ ଦଶନ୍ଧିରେ ଆୟୁର୍ବେଦର ଲୋକପ୍ରିୟତା ବଢିବା ସହିତ ଏହାର କମ୍ ମୂଲ୍ୟରେ ଭଲ ଚିକିତ୍ସା ଯୋଗାଇ ଦେବା ସହ ଆଦର ବଢିବା ବିଷୟରେ ନିଜର ଖୁସି ପ୍ରକାଶ କରିଥିଲେ । ଆୟୁଷ ଡ଼ାଇରେକ୍ଟ ମାଝି ପ୍ରତିଷ୍ଠାନର ଏହିଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏକ ଉଚ୍ଚସ୍ତରୀୟ ମିଟିଙ୍ଗ କରି କିଭଳି ଭାବରେ ଏହି ପ୍ରୟାସକୁ ରାଜ୍ୟର କୋଣ ଅନୁକୋଣକୁ ପହଞ୍ଚା ଯାଇପାରିବ ଆଲୋଚନା କରିଥିଲେ । ରାଜ୍ୟର ପୂର୍ବତନ ମହିଳା କମିଶନର ନମ୍ରତା ଚଢା ସ୍କୁଲ୍ ପାଠ୍ୟକ୍ରମରେ ଆୟୁଷ ଚିକିତ୍ସା ପଦ୍ଧତିକୁ ମିଶାଇବା ନେଇ ସରକାରଙ୍କୁ ଅନୁରୋଧ କରିଥିଲେ । କଲେଜର ପ୍ରିନ୍ସିପାଲ ଏହିଭଳି କାର୍ଯ୍ୟକ୍ରମ ସହ ଆୟୋଜକ ସହ ଆୟୋଜକ ହୋଇଥିବାରୁ ନିଜକୁ ଧନ୍ୟ ମନେ କରି ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ କହିଥିଲେ । ଓଡ଼ିଶା ଅଭିଭାବକ ମହାସଂଘର ଚେୟାରମ୍ୟାନ ବାସୁଦେବ ଭଟ୍ଟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସୁରକ୍ଷାରେ ହିଁ ଆମ ଭବିଷ୍ୟତ ସୁରକ୍ଷା ବୋଲି କହିଥିଲେ । ଏହି ଉପଲକ୍ଷେ ଏକ ସୋଭେନିଅରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଆଲୋଚନା ସହିତ କାର୍ଯ୍ୟକ୍ରମରେ ସେମିନାର ମାଧ୍ୟମରେ ଡ଼ାକ୍ତର ଦୀପକ ସ୍ୱାଇଁ, ଡ଼ାକ୍ତର ଜି.ସି ଭୂୟାଁ, ଡ଼ାକ୍ତର ଭବାନୀ ଶଙ୍କର ପାଲ, ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା, ଡ଼ାକ୍ତର ଅଶୋକ ପଣ୍ଡା, ଡାକ୍ତର ଇନ୍ଦୁ, ଡ଼ାକ୍ତର ସ୍ନେହମୟୀ ମିଶ୍ର, ଡ଼ାକ୍ତର କେଦାରନାଥ ନାୟକ ଆଦି ପାରମ୍ପରିକ ଚିକିତ୍ସା ଉପରେ ନିଜର ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ । ସେମିନାରର ପ୍ରଥମ ଅଧିବେଶନକୁ ଡ଼ାକ୍ତର ଅଶୋକ ପଣ୍ଡା ଓ ଦ୍ୱିତୀୟ ଅଧିବେଶନକୁ ଡ଼ାକ୍ତର ପୂର୍ଣ୍ଣେନ୍ଦୁ ପଣ୍ଡା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଶ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଡ଼ାକ୍ତର, ବୁଦ୍ଧିଜୀବୀ, ବକ୍ତା, ସାଧାରଣ ଲୋକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସରକାରଙ୍କ ଆୟୁର୍ବେଦ, ହୋମିଓପ୍ୟାଥି, ସିଦ୍ଧ, ୟୁନାନୀ ଓ ଯୋଗ ବିଭାଗ ଦ୍ୱାରା ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ୨୫୦ରୁ ଉର୍ଦ୍ଧ୍ୱ ସାଧାରଣ ଜନତାଙ୍କର ଚିକିତ୍ସା କରାଯାଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଶେଷରେ ପ୍ରତିଷ୍ଠାନର ସଂଯୋଜକ ରମେଶ ଭାରତୀ ଧନ୍ୟବାଦ ଦେଇଥିଲେ । କାର୍ଯର୍୍ୟକ୍ରମକୁ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ମନୋଜ ଜେନା, ସଂଯୋଜକ ରମେଶ ଭାରତୀ, ରଘୁନାଥ ମଣ୍ଡଳ, ଶୁଭଶ୍ରୀ ମହାପାତ୍ର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ